ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଜାତୀୟ ସ୍ତରରେ ସମ୍ମାନିତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) କୋରାପୁଟ ଜିଲ୍ଲାର ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଜାତୀୟସ୍ତରରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି।କୃଷି ଜାଗରଣ ଓ ଭାରତୀୟ କୃଷି ଗବେଷଣା ପରିଷଦର ମିଳିତ ଉଦ୍ୟମରେ ନୂଆଦିଲ୍ଲୀର ଆଇ.ଏ.ଆର.ଆଇ ମେଳା ପଡିଆରେ ଆୟୋଜିତ ପୁରସ୍କାର ସମାରୋହ -୨୦୨୪ ଅବସରରେ ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ରାଜ୍ୟସ୍ତରୀୟ ଶ୍ରେଷ୍ଠ କୃଷକ ଉତ୍ପାଦକ କମ୍ପାନୀ ଓ ଜାତୀୟ ସ୍ତରର ଶ୍ରେଷ୍ଠ କ୍ଷୁଦ୍ରଶସ୍ୟ ଉତ୍ପାଦକ ” ଲକ୍ଷପତି ଚାଷୀ ” ସମ୍ମାନରେ ସମ୍ମାନୀତ କରାଯାଇଛି । କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ସି.ଡୋମିନିକ ଏବଂ ପରିଚାଳନା ନିର୍ଦ୍ଦେଶିକା ଶିନୀ ଡୋମିନିକ ଦ୍ୱାରା ଜୈବିକ ଶ୍ରୀ କୃଷକ ଉତ୍ପାଦନ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲିଧର ଅଧିକାରୀ ଏବଂଜୈବିକ ଶ୍ରୀ କୃଷକ ଉତ୍ପାଦନ କମ୍ପାନୀର ଅଗ୍ରଣୀ ଚାଷୀ ସୁରେନ୍ଦ୍ର ଗାଦବା ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।ଏହି ସମ୍ମାନ ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବିକାଶ ପାଇଁ ଅନବରତ କାର୍ଯ୍ୟ କରୁଥିବାର ସ୍ବୀକୃତି ସ୍ବରୂପ ମିଳିଛି । କମ୍ପାନୀ ଦ୍ବାରା ଛୋଟ ଓ ନାମମାତ୍ର ଚାଷୀ ମାନେ ସୁଲଭ ମୂଲ୍ୟରେ ବିହନ, ଜୈବିକ ଖତ, କୃଷି ଉପକରଣ ପାଇବା ସହିତ, ବିଭିନ୍ନ ସୂଚନା, ଜ୍ଞାନକୌଶଳ ଲାଭ କରିବା ସହ ବଜାର ବ୍ୟବସ୍ଥାରେ ସାମିଲ ହୋଇ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରୁଛନ୍ତି।ବର୍ତମାନ ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ରାଜ୍ୟ,ଦେଶ ତଥା ଅନ୍ତର୍ଜାତୀୟ ବଜାର ବ୍ୟବସ୍ଥାରେ ସାମିଲ ହେବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।