ଜ୍ଞାନଦୋୟ
ହସ୍ପିଟାଲର ସେହି ଖାଲି ବେଞ୍ଚରେ ବସିପଡିଲେ ଅନୁଭବ ଓ ସ୍ମିତା. ଏଇ ଖାଲି ବେଞ୍ଚରେ ସେମାନେ ଅନେକ ଥର ବସିଛନ୍ତି ଅପେକ୍ଷା କରି. କେବେ ଡାକ୍ତର ଆସିବେ?, କେବେ ରିପୋର୍ଟ ଦେବେ?,କେବେ ପରୀକ୍ଷା ରିପୋର୍ଟ ଆସିବ? ଏମିତି ଅନେକ ଅପେକ୍ଷା ଭିତରେ ସେ ଦୁଇଜଣ ହରେଇଛନ୍ତି ନିଜ ପିତା ମାତାଙ୍କୁ. ପୁଣି କେବେ ହରେଇଛନ୍ତି କୌଣସି ବନ୍ଧୁବାନ୍ଧବ ବା ନିକଟସମ୍ପର୍କୀୟଙ୍କୁ. କେତେଥର ଭାବିଲେଣି ଏ ହସ୍ପିଟାଲକୁ ଆଉ ଆସିବେ ନାହିଁ କି ଏ ଖାଲି ବେଞ୍ଚରେ ବସିବେ ନାହିଁ. କିନ୍ତୁ ନିୟତିର ଗତି ସହିତ ପରିସ୍ଥିତି ବାଧ୍ୟ କରେ ଯେମିତି. ଆଜି ପୁଅର ଦେହ ଭୀଷଣ ଖରାପ. ଭୁବନେଶ୍ୱରରେ ରହୁଥିବା ସ୍ଥାନଠାରୁ ଏ ହସ୍ପିଟାଲର ଦୂରତା କମ ସହଜେ ଏହି ଖାଲି ବେଞ୍ଚରେ ଅନେକ ସ୍ମୃତି. ଆଜି ସେସବୁ ସ୍ମୃତି କାହିଁ ନିରର୍ଥକ ଲାଗୁଛି. ଯୋଉ ପୁଅକୁ ନେଇ ପିତା ମାତା ଅନୁଭବ ଓ ସ୍ମିତାଙ୍କର ବହୁତ ଗର୍ବ, ସେ ଗର୍ବ ଆଜି ଖର୍ବ ହେଲା ଭଳି ଲାଗୁଛି.ପିଲାଦିନୁ ପୁଅ ଖୁବ କଥାମାନେ. ମନଦେଇ ପଢେ. ପରୀକ୍ଷା ପରେ ପରୀକ୍ଷା ଦେଇ ସଫଳତାର ଶିଡି ଚଢି ଚଢି ଆଜି ଗାଁ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ହୋଇପାରିଛି.ସ୍କୁଲର ସମସ୍ତ ଉପରିସ୍ଥ, ସହକର୍ମୀ ଓ ଛାତ୍ରଛାତ୍ରୀ ତାଙ୍କୁ ଖୁବ ଭଲ ପାଆନ୍ତି. ସେଇଥିପାଇଁ ପୁଅର ଦେହ ଖରାପ କଥା ଶୁଣି ଓ ହସ୍ପିଟାଲରେ ଭର୍ତ୍ତି ହେବା ଜାଣି ଯିଏ ଯାହା ବାଟରେ ଆସି ଦେଖିଯାଉଛନ୍ତି. ଆରୋଗ୍ୟ କାମନା କରି ଘଡିଏ ଖାଲି ବେଞ୍ଚରେ ବସି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି. ମାଆ ସ୍ମିତା ମଧ୍ୟ ଆଜି ଶିବାରାତ୍ରୀରେ ନିଜ ମନର ଭକ୍ତି ଚେତନା ଭିତରେ ଓଁ ନମଃ ଶିବାୟ ଜପ କରୁ କରୁ ନିଜର ଆୟୁଷ ମୋ ପୁଅକୁ ଲାଗିଯାଉ କହି ଶିବଶଙ୍କରଙ୍କୁ ଯୋଡ ହସ୍ତରେ ଡାକୁଥାଆନ୍ତି ପ୍ରଭୁ ମୋ ପୁଅକୁ ଶୀଘ୍ର ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କର ପ୍ରଭୁ.
ମନେପଡୁଥିଲା ସେଦିନ କଥା. ସ୍ମିତା ତାଙ୍କ ସାଙ୍ଗ ମାନଙ୍କ ସଙ୍ଗେ ପାର୍କରେ ବସିଥିବା ବେଳେ ନିତା କହୁଥିଲେ ମୁଁ ମୋ ପୁଅ ପାଇଁ ଖୁବ ଗର୍ବିତ କାରଣ ସେ ବହୁଭାଷାରେ ପାଣ୍ଡିତ୍ୟ ଲାଭ କରିବା ସହ ସଂସ୍କୃତ ଓ ସାହିତ୍ୟରେ ବିଦ୍ୱାନ ଅଟେ. ରାଜା ସିନା ପୂଜା ପାଏ ନିଜ ଦେଶରେ.. ପଣ୍ଡିତ କିନ୍ତୁ ପୂଜା ପାଏ ଦେଶ ବିଦେଶରେ. ତାଙ୍କ କଥା ନସରୁଣୁ ବାସନ୍ତୀ କହିଲେ ହଁ ଠିକ କଥା ମୋ ପୁଅ ମଧ୍ୟ ଜଉତିଷ ବିଦ୍ୟାରେ ଏତେ ପାରଙ୍ଗମ ଯେ ବିଦେଶରେ ତାର ବହୁତ ଆଦର. ରୀତା କିନ୍ତୁ କିଛି କହିନଥିଲେ ତ ସମସ୍ତେ ତାଙ୍କୁ ପଚାରିଥିଲେ ତୁମ ପୁଅ ଭଲ ଟି?ସ୍ମିତାଙ୍କ ପୁଅ ତ ସେହି ଗ୍ରାମର ହାଇସ୍କୁଲରେ ବିଜ୍ଞାନ ସାର ରୂପେ ପାରଦର୍ଶିତା ଲାଭ କରିସାରିଥାଏ ତେଣୁ ରୀତାଙ୍କ ଉତ୍ତରକୁ ସମସ୍ତେ ଅପେକ୍ଷା କରିଥିଲା ବେଳେ ସେ କହିଲେ ମୋ ପୁଅ ପାଠ ପଢିଲେ ମଧ୍ୟ ଚାଷ କରିବାକୁ ଆଗ୍ରହୀ ଆଉ ସବୁ ବ୍ୟବହାରିକ ଗୁଣରେ ସେ ପାରଙ୍ଗମଥିବାରୁ ତାର ମନ, ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ଖୁବ ଭଲ. ସ୍ମିତା, ନିତା ଓ ବାସନ୍ତୀ ବ୍ୟବହାରିକ ଶିକ୍ଷା ଓ ଗୁଣ ଧର୍ମ ବିଷୟରେ ବୁଝି ନପାରି ମଲକୁ ଚାଲିଲେ. ସେଠୁ ଚାରିଜଣଯାକ ପରିବାପତ୍ର ଓ ଘରର ଆବଶ୍ୟକୀୟ ଜିନିଷ ପତ୍ର କିଣି ନିଜ ନିଜ ବ୍ୟାଗ ବୋହି ଘରକୁ ଆସୁଥାଆନ୍ତି
ବାଟରେ ସ୍ମିତା, ମିତା ଓ ବାସନ୍ତୀଙ୍କ ତିନି ପୁଅଙ୍କ ସଙ୍ଗେ ଦେଖା ହେଲା ସେମାନଙ୍କର. ତ ସେହି ନମ୍ର, ଶାନ୍ତ ଓ ଭଦ୍ର ଯୁବକ ତିନିଜଣଯାକ ନିଜ ମାଆମାନଙ୍କ ସହ ମାଉସୀ ମାନଙ୍କୁ ପ୍ରଣାମ କରି ଆଗେଇ ଯିବା ପରେ ସମସ୍ତେ କୁହାକୁହି ହେଲେ ସଂସ୍କାର ତଥା ଆଚାର ବ୍ୟବହାର ଓ ଶିକ୍ଷା ଦୀକ୍ଷାରେ ଏମାନଙ୍କ ସମକକ୍ଷ କିଏ ହେବ?ସ୍ମିତା, ମିତା ଓ ବାସନ୍ତୀଙ୍କର ଗର୍ବରେ ଛାତି ଫୁଲି ଉଠୁଥିବା ବେଳେ ଦେଖାହେଲା ରୀତାଙ୍କ ପୁଅକୁ ବାଟରେ . ସେ ମଧ୍ୟ ମାଆ ଓ ମାଉସୀମାନଙ୍କୁ ବିନମ୍ର ପ୍ରଣତି ଜଣାଇ ସାରିବା ପରେ ମାଆ ରୀତାଙ୍କ ହାତରୁ ବ୍ୟାଗ ନେବା ସହ କହୁଥିଲା ତୁ ଏତେ ବଡ଼ ବ୍ୟାଗ ବୋହି ତୋ ହାତ କାଟିବଣି ମାଆ, ଦେ ଦେ ମତେ ଦେ. ମତେ କହିଲୁନି ସଉଦା ପାଇଁ. ନିଜେ କାହିଁକି ଗଲୁ? ହଉ ହଉ ମାଉସୀମାନଙ୍କର ମଧ୍ୟ ହାତ କାଟିବଣି, ମତେ ସବୁ ଦେଇଦିଅନ୍ତୁ ମୁଁ ମୁଣ୍ଡ ଓ କାନ୍ଧରେ ବୋହି ନେବି କହି ସତକୁ ସତ ସମସ୍ତଙ୍କୁ ହାଲକା କରି ନିଜ ମୁଣ୍ଡରେ ବ୍ୟାଗ ସବୁକୁ ବୋହି ଯେଝାଘରେ ପହଞ୍ଚାଇ ଦେବା ବେଳେ ସ୍ମିତାଙ୍କ ସହ ଅନ୍ୟମାନେ ବୁଝିସାରିଥିଲେ ବ୍ୟବହାରିକ ଜ୍ଞାନ କେବଳ ନମ୍ର ଓ ଭଦ୍ର କରେନାହିଁ ବରଂ ଅନ୍ୟର ଆଶୀର୍ବାଦ କାମନା କରେ. ରୀତା ମଧ୍ୟ କହୁଥିଲେ ତାଙ୍କ ପୁଅ ପରିଶ୍ରମ କରିବାକୁ ନିଜର ବ୍ୟବହାରିକ ଶିକ୍ଷା, ପହଁରା ପରି ବାୟାମ ସହ ସାଇକେଲ ଚାଳନା କରିବାକୁ ବ୍ୟବହାରିକ ଯୋଗ, ମାଟି ମାଆ ବକ୍ଷରେ ନୂତନ ଜ୍ଞାନ କୌଶଳ ବଳରେ ଫସଲ କରି ଧାନ, ମୁଗ, ବିରି, କୋଳଥ,ମାଣ୍ଡିଆ ଇତ୍ୟାଦି ଉତ୍ପନ୍ନ କରିବାକୁ ବ୍ୟବହାରିକ ରୋଜଗାର ବୋଲି ମନେକରେ.ସେତେବେଳକୁ ଡାକ୍ତର ଆସିସାରିଥିଲେ. ରିପୋର୍ଟ ମଧ୍ୟ ସବୁ ଠିକ ଥିଲା ସ୍ମିତାଙ୍କ ଶିକ୍ଷକ ପୁଅ ସୁଶାନ୍ତର. ଖାଲି ଯାହା ଆବଶ୍ୟକ ଥିଲା ମସ୍ତିଷ୍କ ବାୟାମ ସାଙ୍ଗକୁ ଶାରୀରିକ ବାୟାମ, ସୁସ୍ଥ, ନିରାମୟ ଓ ନୀରୋଗ ଜୀବନ ଜୀଇଁବାକୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ