ଜୟପୁର ମହିଳା ମହାବିଦ୍ୟାଳୟ ରେ ସାମ୍ବାଧନା ଉତ୍ସବ
ଜୟପୁର,(ଓ୍ବାଇଏନ୍ଏସ୍): ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରାୟୋଜିତ ଓ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶାଖା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ଆନୁଷଙ୍ଗିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପିଲାମାନେ ଧୈର୍ଯ୍ୟ, ସମର୍ପଣ ଓ ମନୋଯୋଗ ପୂର୍ବକ କାମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନ୍ ଏସ୍ ଏସ୍ ଜିଲ୍ଲା ସଂଯୋଜକ ଅଧ୍ୟାପକ କିଶୋର ବେହେରା ଏନ୍ ଏସ୍ ଏସ୍ ର ଯୋଗଦାନ ଓ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ସମ୍ବର୍ଧନା ଉତ୍ସବରେ ଅଧ୍ୟକ୍ଷତା କରି ନିଜ କଲେଜର ପ୍ରୋଗ୍ରାମ ଅଫିସର ଡ଼ ମନୋରଞ୍ଜନ ପ୍ରଧାନ ଙ୍କୁ ବିଶ୍ବବିଦ୍ୟାଳୟ ସ୍ତରରେ ବେଷ୍ଟ ପ୍ରୋଗ୍ରାମ ଅଫିସର ଭାବେ ସମ୍ମାନିତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଛାତ୍ରୀ ବର୍ଷାରାଣୀ ସାହୁ ସାଧାରଣତନ୍ତ୍ର ଦିବସରେ ରାଜପଥରେ ଜାତୀୟ ପ୍ୟାରେଡରେ ଯୋଗଦେଇ ଥିବାରୁ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ଡ଼ ମନୋରଞ୍ଜନ ପ୍ରଧାନ ଓ ବିଶ୍ଵବିଦ୍ୟାଳୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉସ୍ଚବରେ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍ ଏସ୍ ପ୍ରୋଗ୍ରାମ ଅଫିସର ଡ଼ ମନୋରଞ୍ଜନ ପ୍ରଧାନ,ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ, କୁନ୍ଦୁରାର ପ୍ରୋଗ୍ରାମ ଅଫିସର ଶ୍ରୀ ସୁଶାନ୍ତ କୁମାର ବେହେରା, ଜାତୀୟ ପ୍ୟାରେଡରେ ଭାଗ ନେଇଥିବା ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀ ବରଷାରାଣୀ ସାହୁ ଓ ଡମ୍ବରୁଧର ଗରଡାଙ୍କୁ ଅଙ୍ଗବସ୍ତ୍ର, ସ୍ମୃତି ଫଳକ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଅଧ୍ୟାପିକା ଡ଼ କନକଲତା ମହାପାତ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ ଡମ୍ବରୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ କଲେଜରୁ କୋଡ଼ିଏରୁ ଉର୍ଦ୍ଧ୍ବ ପ୍ରୋଗ୍ରାମ ଅଫିସର ଯୋଗଦାନ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନଙ୍କ ସହଯୋଗ ଓ ନିଷ୍ଠାପର କାମ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାନ୍ସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।