ଝଙ୍କଡ ପୀଠରେ ମା’ଶାରଳାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ

ତିର୍ତ୍ତୋଲ, ୨୩ା୯ (ଯୁଗାବ୍ଦ ନ୍ୟୁଜ) ଓଡିଶାର ପ୍ରାଚୀନ ଶକ୍ତିପୀଠ ଜଗତସିଂହପୁର ଜିଲା କନକପୁରସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ଠାକୁରାଣୀଙ୍କ ଶାରଦୀୟ ପାର୍ବଣପୂଜା ମୁଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ୧୪ ଦିନ ପୂଜା ପଡୁଥିବାରୁ ଆସନ୍ତା ମାସ ୫ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପାର୍ବଣ ପୂଜା ଚାଲିବ । ଏହି ଉପଲକ୍ଷେ ପ୍ରତ୍ୟହ ନୈଷ୍ଠିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ପାଞ୍ଜି ପାଠ, ଚଣ୍ଡିପାଠ, ଷୋଡଶୋପଚାର ପୂଜା ସହିତ ସନ୍ଧ୍ୟାରେ ଭିନ୍ନ ଭିନ୍ନ ବେଶରେ ମାଆଙ୍କୁ ବେଶ କରାଯାଇଥାଏ । ବିଶ୍ୱଶାନ୍ତି ଯଜ୍ଞ ନିମନ୍ତେ ଯଜ୍ଞଶାଳାରେ ଆହୁତି ପ୍ରଦାନ । ରାତ୍ର ୧୦ଟା ସମୟରେ ସଂପୂର୍ଣ୍ଣ ସୁନାବେଶ ଅନୁଷ୍ଠିତ ହେଉଅଛି । ଆସନ୍ତା ୨୯ ତାରିଖ ନବରାତ୍ର ଠାରୁ ମା ଶାରଳାଙ୍କ ବିଜେ ପ୍ରତିମା ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ଦାଣ୍ଡଯାତ୍ରା ବା ନଗର ପରିକ୍ରମା କରିବେ । ଏହି ସମୟରେ ଘଣ୍ଟ, ଘଣ୍ଟା , କାହାଳୀ, ଭେରୀ, ତୁରୀ, ଢୋଲ ମହୁରୀ ଓ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠେ ଗାଁ ଦାଣ୍ଡ । ପ୍ରଥମ ଦିବସରେ ପାଚେରୀ କଣ ବାଟ, ୨ୟ ଦିନରେ ଗୋବିନ୍ଦଜୀଉଙ୍କ ମଠ, ୩ୟ ଦିନରେ ଗୋପାଳମାନଙ୍କ ୍ଗୋଠ, ୪ର୍ଥ ଦିନରେ ଭେଟବର ପୀଠ, ୫ଦିନରେ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ୱମ୍ଭର ଘାଟ ପର୍ଯ୍ୟନ୍ତ ନଗର ଯାତ୍ରାରେ ଯିବେ । ସେହିପରି ଷଷ୍ଠ ଦିବସରୁ ଦଶହରା ପର୍ଯ୍ୟନ୍ତ ମାଆଙ୍କ ପ୍ରାଚୀନ ବିଜେସ୍ଥଳୀ ବଡସାରୋଳ ଗ୍ରାମର ନଣ୍ଡାଦେଉଳକୁ ଯାଇ ସେଠାରେ ପୂଜାର୍ଚ୍ଚନା ମା ନିଜ ସ୍ୱପୀକୁ ପ୍ରତ୍ୟାବର୍ତ୍ତନ କରିବେ । ୩ତାରିଖ ଷଷ୍ଠୀ, ୪ତାରିଖ ସପ୍ତମୀ ଓ ୫ ତାରିଖ ମହାଷ୍ଟମୀ ଦିନ ସନ୍ଧ୍ୟାରେ ମାଆଙ୍କ ମହିଷା ମର୍ଦ୍ଦିନୀ ଅନୁଷ୍ଠିତ ହେବ ଓ ରାତ୍ର ୧୦ଟାରେ କାଳିଜା ନୃତ୍ୟ ମନ୍ଦିର ବେଢା ଓ ପୀଠ ପରିକ୍ରମା କରିବେ । ଅକ୍ଟୋବର ୫ତାରିଖ ପାର୍ବଣର ଶେଷ ପୂଜା ମହାଷ୍ଟମୀରେ ରାତ୍ରୀ ୩ଟାରେ ସନ୍ଧିପୂଜା ଓ ପରେ ପରେ ପାତ୍ରଃ ସମୟରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ ପରେ ପାର୍ବଣ ପୂଜା ଶେଷ ହେବ । ଏହି ଶାରଦୀୟ ପାର୍ବଣ ପୂଜା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଉଜ୍ଜଳ ଆଲୋକ ବ୍ୟବସ୍ଥା ସହ ପ୍ରତ୍ୟୁଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମା ଶାରଳାଙ୍କ ଭଜନ, ଜଣାଣ ଇତ୍ୟାଦି ପ୍ରଚାରିତ ହେବା ସହ ଦର୍ଶନାର୍ଥୀ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସୁରୁଖୁରେ ଦର୍ଶନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ