ଝାଡଖଣ୍ଡର ଓଡିଶା ଭାଷାଭାଷୀ ଅଂଚଳରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ଝାଡଖଣ୍ଡ– ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି ଶନିବାର ଝାଡଖଣ୍ଡର ସମୀବର୍ତୀ ଓଡିଶା ଭାଷାଭାଷୀ ଅଂଚଳ ଜାମସେଦପୁର, ଜଗନ୍ନାଥପୁର ଓ ଚକ୍ରଧରପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟିର ସରକାର ନିରନ୍ତର ଚେଷ୍ଟିତା ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ଏକ ସ୍ଥିର ଏବଂ ମଜବୁତ ସରକାର ଝାଡଖଣ୍ଡର ବିକାଶ କରିବା କାମରେ ଲାଗିଛନ୍ତି । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାର ମାଆ ଭଉଣୀଙ୍କୁ ଗ୍ୟାସ ଯୋଗାଇ ଧୂଆଁରୁ ମୁକ୍ତି ଦେବା ସହ ଯୁବକଙ୍କୁ ରୋଜଗାର ପ୍ରଦାନ କରିଛି । ଗରିବ ତଥା ଆଦିବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ମସେଦପୁର ଇସ୍ପାତ ନଗରୀ । ପ୍ରଧାନମନ୍ତ୍ରୀ ମୋଦି ଜାମସେଦପୁରରେ ବ୍ୟବସାୟ, ରୋଜଗାର ବୃଦ୍ଧି ତଥା ମସେଦପୁରରେ ଇସ୍ପାତ୍ ଉଦ୍ୟୋଗ ବିକାଶ ପାଇଁ ପ୍ରତିବଦ୍ଧ । ଝାଡଖଣ୍ଡ ଏବଂ ପୂର୍ବାଂଚଳ ରାଜ୍ୟର ବିକାଶ ବିନା ଭାରତର ବିକାଶ ଅସମ୍ଭବ । କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଞ୍ଜିନର ସରକାର ଫଳରେ ଝାଡଖଣ୍ଡବାସୀଙ୍କୁ ବହୁତ ଲାଭ ହୋଇଛି । ଜାମସେଦପୁରକୁ ପାଇପଲାଇନ ଦ୍ୱାରା ଗ୍ୟାସ ଯୋଗାଣର ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଝାଡଖଣ୍ଡର ୩୩ ଲକ୍ଷ ଘରେ ଏଲପିଜି ଗ୍ୟାସ ପହଁଚିଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ମଧ୍ୟ ଝାଡଖଣ୍ଡ ରାଜ୍ୟରୁ ଆରମ୍ଭ ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଝାଡଖଣ୍ଡ ଏବଂ ପୂର୍ବ ଭାରତରେ ବିକାଶର ଅପାର ସମ୍ଭାବନା ଥିଲାବେଳେ ବିଗତ ବର୍ଷ ଗୁଡିକରେ ଏହା ଉପେକ୍ଷିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଦେଶ ସ୍ୱୀକାର କରିଛି । ମୋଦି ଜଣେ ସେବକ ଭାବରେ ସମାଜର ସବୁ ବର୍ଗ ତଥା ସମସ୍ତଙ୍କୁ ବିକାଶ ସହ ଯୋଡିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଯାହାର ଲାଭ ପୂର୍ବ ଭାରତ ଏବଂ ଝାଡଖଣ୍ଡର ଜନତାଙ୍କୁ ମିଳୁଛି । ଉଲ୍ଲେଖନୀୟ ଯେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଜେପିକୁ ଅଧିକ ଭୋଟ ଦେଇ ଝାଡଖଣ୍ଡରେ ପୁଣି ବିଜେପି ସରକାର ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।