ଝାଡଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ ଓ ଇସ୍ପାତ୍ମନ୍ତ୍ରାଳୟ କାର୍ଯ୍ୟରତ : ଧର୍ମେନ୍ଦ୍ର ପ୍ରଧାନ
ବୋକାରୋ : ଝାଡଖଣ୍ଡର ବିକାଶ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଥିବା ବେଳେ ଏ ଦିଗରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାମ କରୁଛି ବୋଲି ଝାଡଖଣ୍ଡର ବୋକାରୋ ଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲିୟମ ଓ ଇସ୍ପାତ୍ ବିଭାଗ ଉଭୟ ମିଶି ଝାଡଖଣ୍ଡ ରାଜ୍ୟର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରୁଛନ୍ତି । ପେଟ୍ରୋଲିୟମ ବିଭାଗ ତରଫରୁ ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବାର ଯୋଜନା କରାଯାଇଛି । ସେହିପରି ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଅଗ୍ରଣୀ ଭୂମିକା ଝାଡଖଣ୍ଡର ରହିବ ଏବଂ ବୋକାରୋ ଷ୍ଟିଲ୍ ପ୍ଲାଂଟ ଏହାର ନେତୃତ୍ୱ ନେବ । ପ୍ରଧାନମନ୍ତ୍ରୀ ମୋଦୀ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି । ଜାମସେଦ୍ପୁର ଓ ଟାଟା ଦେଶର ଅର୍ଥନୈତିକ କ୍ଷେତ୍ର ବନିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଦାସଙ୍କ ନେତୃତ୍ୱରେ ବୋକାରୋକୁ ମଧ୍ୟ ଟାଟା ଓ ଜାମସେଦପୁର ଭଳି କ୍ଷେତ୍ର ବନାଯିବାର କଳ୍ପନା ରହିଛି । ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଖୁବ ଶୀଘ୍ର ଗରିବ ଶ୍ରେଣୀର ୮ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ହେବେ । ଝାଡଖଣ୍ଡରେ ଗତ ୪ ବର୍ଷରେ ମୋଟ୍ ୩୭ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲାଭ ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ମାଧ୍ୟମରେ ଦେଶର ପ୍ରଗତିକୁ ଅଣାଯାଇପାରିବ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍କାତା, ବାଙ୍ଗାଲୋର୍ ଭଳି ବଡ ବଡ ସହରରେ ପେଟ୍ରୋଲିୟମ୍ ପଦାର୍ଥର ବ୍ୟବହାର ୭ ରୁ ୮ ପ୍ରତିଶତ ବୃଦ୍ଧି ଘଟୁଛି । ଅନୂରୁ ଭାବେ ଝାଡଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫ ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।


