ଝାମୁଯାତ୍ରା ଲାଗି କାକଟପୁର ଉତ୍ସବମୁଖର

କାକଟପୁର (ଜୁଗାବ୍ଦ ନ୍ୟୁଜ୍‍): କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପାଟୁଆମାନେ ଅପରାହ୍ନ ୨ଟା ବେଳେ ପ୍ରାଚୀନଦୀରୁ ପାଣି ତୋଳି ମନ୍ଦିରରେ ନୃତ୍ୟ କରିବା ସହିତ ମା’ଙ୍କ ଆଜ୍ଞାମାଳ ନେଇ ଝାମୁ ନିଆଁରେ ପ୍ରବେଶ କରିଥିଲେ । ଏକ ମାସ ବ୍ୟାପୀ ଚାଲିଥିବା ଏହି ଝାମୁଯାତ୍ରାର ଅନ୍ତିମ ପାଳିରେ ଝାମୁ ଦର୍ଶନ କରିବା ଲାଗି କାକଟପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲେ ସୁଦ୍ଧା, ଶ୍ରଦ୍ଧାଳୁ ସକାଳୁ ସକାଳୁ ମତଦାନ ସାବ୍ୟସ୍ତ କରି ମା’ଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ପ୍ରାନ୍ତରରୁ କାକଟପୁରକୁ ଛୁଟି ଆସିଥିଲେ । ମଧ୍ୟରାତ୍ରରୁ ମା’ଙ୍କ ମଙ୍ଗଳଆଳତୀ, ଉଲାଗୀ, ସ୍ନାନ ମାର୍ଜଣା, ବସ୍ତ୍ରଲାଗି, ଚନ୍ଦନ ଲାଗି, ଅଳଙ୍କାର ଲାଗି, ସୂର୍ଯ୍ୟପୂଜା, ବଲ୍ଲଭ ଅବକାଶ, ସକାଳ ଧୂପ ପରେ ଭକ୍ତଙ୍କ ନିମନ୍ତେ ଶାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପ୍ରଶାସନ ପ୍ରସ୍ତୁତ ବ୍ୟାରିକେଟ୍ରେ ଭକ୍ତ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିଥିଲେ । ବେଢା ମଧ୍ୟରେ ସଧବା ମା’ମାନେ ପରିବାରର ମଙ୍ଗଳ ନିମନ୍ତେ ପନ୍ଥେଇ ପୂଜା କରିଥିଲେ । ପ୍ରସିଦ୍ଧ ଝାମୁଯାତ୍ରା ପାଇଁ ଆଜି କାକଟପୁର ଉତ୍ସବ ମୁଖର ହୋଇଉଠିଛି । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର, ସୂଚନା କେନ୍ଦ୍ର ଖୋଲାଯାଇଥିଲା । ସଂଯୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମାଗଣାରେ କେଚୁଡି ଭୋଗ ବଣ୍ଟନ କରାଯାଇଥିଲା । ସାଧାରଣ ନିର୍ବାଚନ ହେତୁ ସୁରକ୍ଷାକର୍ମୀଙ୍କ ଅଭାବକୁ ସ୍ଥାନୀୟ ଯୁବକ ସଂଘର ସଦସ୍ୟ, କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଏବଂ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି ଏବଂ ସ୍କାଉଟ ଗାଇଡ ଭିଡ଼ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ, ସ୍ଥାନୀୟ ପୁଲିସ୍ ପକ୍ଷରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ