ଝିଟିପିଟି ମାରିବା ନିଷେଧ କାହିଁକି
ଭାରତରେ ଜୀବଜନ୍ତୁମାନଙ୍କୁ ସମ୍ମାନ ଦିଆଯାଏ ଏବଂ ବିଭିନ୍ନ ଉପାୟରେ ସୁରକ୍ଷା ମଧ୍ୟ ଦିଆଯାଏ । ଏହା ପଛରେ ବହୁ ପୌରାଣିକ ଆଖ୍ୟାନ ମଧ୍ୟ ରହିଥାଏ । ସେମିତି ଗୋଟାଏ ସରୀସୃପ ହେଉଛି ଝିଟିପିଟି । ଏହା ଆମ ଘର ବାହାରେ ସର୍ବତ୍ର ଦେଖାଯାଏ ।
ଭାରତୀୟ ବିଶ୍ୱାସରେ ଝିଟିପିଟି ମରାଯାଏ ନାହିଁ । କଥିତ ଅଛି ଈଶ୍ୱର ବିଭିନ୍ନ ମାଧ୍ୟମରେ ଭକ୍ତମାନଙ୍କ ସହ କଥା ହୁଅନ୍ତି । ସେଥିରୁ ଗୋଟିଏ ମାଧ୍ୟମ ହେଉଛି, ଝିଟିପିଟ ମାଧ୍ୟମ । ସେଥିପାଇଁ କାହିଁ କେତେ କାଳରୁ ଠାକୁରଘରେ ତଥା ପୂଜା ଆସ୍ଥାନରେ ଝିଟିପିଟି ରହି ଲୋକମାନଙ୍କ ଉପରେ ଦୃଷ୍ଟି ରଖିବା ସହ ଗୁରୁତ୍ୱପୂର୍ଣ୍ଣ ସମୟରେ ଭଲ ଓ ମନ୍ଦର ସୂଚନା ଦେଇଥାଏ । ଅର୍ଥାତ ଏହି ସମୟରେ ଝିଟିପିଟିର ପତ୍ତନ ଏବଂ ଶବ୍ଦକୁ ଅର୍ଥ କରି ଶୁଭାଶୁଭ ସ୍ଥିର କରାଯାଏ । ତେଣୁ ଭାରତୀୟ ପରମ୍ପରାରେ ଝିଟିପିଟି ବର୍ଣ୍ଣନା ଥିବା ଗୋଆଲି ଶାସ୍ତ୍ର ଭାରି ଗୁରୁତ୍ୱପୂର୍ଣ୍ଣ । ତେଣୁ ଝିଟିପିଟି ମାରିବାକୁ ନିଷେଧ କରାଯାଇଛି । ତା’ଛଡା ସତର୍କ କରାଇ ଦିଆଯାଇଛି କି, ଝିଟିପିଟି ମାରିଲେ ଜନ୍ମଜନ୍ମାନ୍ତର ଯାଏଁ ପାପ ଫଳ ଭୋଗିବାକୁ ହୁଏ । କେତେକ ମନ୍ଦିରରେ ମଧ୍ୟ ଝିଟିପିଟି ପୂଜା କରାଯାଏ । ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିରର ପାଚେରିରେ ଝିଟିପିଟି ଚିତ୍ର ଖୋଦେଇ ହୋଇଛି । ଲୋକେ ମନ୍ଦିର ପ୍ରଦକ୍ଷିଣ କରିବା ବେଳେ ଏହାକୁ ଦର୍ଶନ କରନ୍ତି । କାଞ୍ଚିପୁରମ ସ୍ଥିତ ବରଦରାଜ ମନ୍ଦିରରେ ସୁନା ଓ ରୂପା ଝିଟିପିଟିର ପ୍ରତିମା ରହିଛି । ଲୋକେ ଦିଅଁ ଦର୍ଶନ ପରେ ଏ ଦୁଇ ଝିଟିପିଟି ପ୍ରତିମାଙ୍କୁ ସ୍ପର୍ଶ କରନ୍ତି ।


