ଝିଲ୍ଲୀ ଦଳବେହେରା ପାଇବେ ଏକଲବ୍ୟ ପୁରସ୍କାର-ଜବାମଣି ଟୁଡୁ, ନମିତା ଟପ୍ପୋଙ୍କୁ ମିଳିବ ସମ୍ମାନ

ଭୁବନେଶ୍ୱର: ରାଜ୍ୟର ମର୍ଯ୍ୟାଦାଜନକ ତଥା ସର୍ବପୁରାତନ କ୍ରୀଡ଼ା ସମ୍ମାନ ‘ଏକଲବ୍ୟ ପୁରସ୍କାର’ର ୨୭ ତମ ସଂସ୍କରଣ ବିଜେତା ହୋଇଛଉନ୍ତି ଉଦୀୟମାନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା । ଏଥିସହିତ ଅନ୍ତର୍ଜାତୀୟ ମହିଳା ଫୁଟବଲର ଜବାମଣି ଟୁଡୁ ଓ ହକି ଅଲିମ୍ପିଆନ ନମିତା ଟପ୍ପୋ ମଧ୍ୟ ସମ୍ମାନିତ ହେବେ । ଇମ୍ପାକ୍ଟ ପ୍ରଦତ୍ତ ଏହି ପୁରସ୍କାର ଲାଗି ରବିବାର ବସିଥିବା ବିଚାରକ ମଣ୍ଡଳି ଉପରୋକ୍ତ ୩ ନାମକୁ ସର୍ବସମ୍ମତି କ୍ରମେ ମନୋନୀତ କରିଛନ୍ତି । ଝିଲ୍ଲୀଙ୍କୁ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଏବଂ ଜବାମଣି ଓ ନମିତାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ । କ୍ରୀଡ଼ାବିତଙ୍କୁ ଇମ୍ପା ନିରନ୍ତର ଭାବେ ପ୍ରୋତ୍ସାହିତ କରି ଆସୁଛି । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ ଲାଗି ରାଜ୍ୟର ଯୁବ ପ୍ରତିଭାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଲାଗି ଏକଲବ୍ୟ ପୁରସ୍କାର ୧୯୯୩ ମସିହାରେ ପ୍ରଚଳନ କରାଯାଇଥିଲା ବୋଲି ପ୍ରକାଶ କରିଥିଲେ ଇମ୍ପାର ଟ୍ରଷ୍ଟି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବିଗତ ୨ ବର୍ଷର ପ୍ରଦର୍ଶନ ଏବଂ ଅନ୍ୟ ପାରିପାଶ୍ୱିର୍କ ସ୍ଥିତିକୁ ନଜରକୁ ନେଇ ଚୟନ କରାଯାଇଥାଏ । ରାଜ୍ୟର ଖେଳାଳିମାନଙ୍କ ପାଇଁ ଏହା ମନୋବଳ ବଢ଼ାଇବାର ପ୍ରମୁଖ ମାଧ୍ୟମ ହୋଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ୨୦୧୭ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଝିଲ୍ଲୀ ଅନ୍ତର୍ଜାତୀୟ ସ୍ତରରେ ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୧ କାଂସ୍ୟ ପଦକ ହାସଲ କରିଥିଲେ । ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଭାରୋତ୍ତଳନର ଯୁବ ବର୍ଗରୁ ୨ ସ୍ୱର୍ଣ୍ଣ ଜିତିଥିବା ବେଳେ ଉଜବେକିସ୍ତାନରେ ଅନୁଷ୍ଠିତ ଏସୀୟ କନିଷ୍ଠ ଭାରୋତ୍ତୋଳନରେ ରୌପ୍ୟ, ତାସକେଣ୍ଟ ବିଶ୍ୱ କନିଷ୍ଠ ଭାରୋତ୍ତୋଳନରେ କାଂସ୍ୟ, ଏସୀୟ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦ ବର୍ଷୀୟ ଏହି ନୟାଗଡ଼ ଝିଅ ଭୁବନେଶ୍ୱର କ୍ରିଡ଼ା ଛାତ୍ରାବାସର ଅନ୍ତେବାସୀ ଭାବେ ପ୍ରଶିକ୍ଷକ ପି ଧର୍ମାରାଓଙ୍କ ଠାରୁ ଖେଳ ଶିଖି ଆଗକୁ ବଢ଼ିଛନ୍ତି । ସେହିଭଳି କନିଷ୍ଠ ଏବଂ ବରିଷ୍ଠ ମହିଳା ଫୁଟବଲ ଦଳର ସଦସ୍ୟ ପାଲଟିଥିବା ଜବାମଣି ଟୁଡୁ ଦୁଇ ଥର କୋଟିଫ କପରେ ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ସାଫ ପ୍ରତିଯୋଗୀତା ବିଜେତା ଭାରତୀୟ ଦଳର ସଦସ୍ୟ ଏବଂ ୧୯ ବର୍ଷରୁ କମ ଭାରତୀୟ ଦଳର ନେତୃତ୍ୱ ନେଇ ଥାଇଲାଣ୍ଡ ଗସ୍ତ କରିଥିବାରୁ ବିଜେତାର ହକଦାର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ