ଟାଟା କମ୍ପାନି ବିରୋଧରେ ଆନ୍ଦୋଳନ ପ୍ରସଙ୍ଗ : ଗ୍ରାମବାସୀ-ଟାଟା- ପ୍ରଶାସନ ତ୍ରିପାକ୍ଷିକ ବୈଠକ ବିଫଳ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟ ଟାଟା କମ୍ପାନି ଅଧିକୃତ ଜମିରେ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ ଶୁକ୍ରବାର ସପ୍ତମ ଦିନରେ ପହଞ୍ଚିଛି । ଗ୍ରାମବାସୀଙ୍କ ଦାବି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ, ଟାଟା କର୍ତ୍ତୃପକ୍ଷ ଏବଂ ପ୍ରଶାସନର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ‘ଦୀପକ ଫର୍ଟିଲାଇଜର’ ପ୍ରକଳ୍ପ ନିର୍ମାଣ କରିବାକୁ ଗ୍ରାମବାସୀ ବିରୋଧ କରୁନାହୁଁ କିନ୍ତୁ ଡି-ନୋଟିଫିକେସନ୍ କରି ମୂଳ ପଟ୍ଟାଧାରୀଙ୍କୁ ହସ୍ତାନ୍ତର, ଜମି ହରାଇଥିବା ପରିବାରକୁ ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ମୁଖ୍ୟତଃ ପ୍ରସଙ୍ଗ ଉପରେ ପ୍ରଥମେ ପଦକ୍ଷେପ ନିଆଯାଉ ବୋଲି ବୈଠକରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିନିଧିମାନେ ଦାବି ରଖିଥିଲେ । ଦୀର୍ଘ ୨ ଘଣ୍ଟା ଆଲୋଚନା ପରେ ମଧ୍ୟ ବୈଠକରେ ଗ୍ରାମବାସୀଙ୍କୁ ସନ୍ତୋଷଜନ ଭଳି କିଛି ନିଷ୍କର୍ଷ ବାହାରିନଥିଲା । ଜିଲ୍ଲାପାଳ ଡି-ନୋଟିଫିକେସନ୍ ବିଷୟକୁ ସମୟ ଲାଗିବ ବୋଲି କହିଥିବା ବେଳେ ନିଯୁକ୍ତି ସଂପର୍କରେ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ କେଉଁ ପ୍ରକାରେ ନିଯୁକ୍ତି ଦେବେ ସେ ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଦିନେ ଦୁଇଦିନ ମଧ୍ୟରେ ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଟାଟା କର୍ତ୍ତୃପକ୍ଷ ଗ୍ରାମକୁ ଯାଇ ନିଯୁକ୍ତି ବିଷୟରେ ଜଣାଇବେ ଏବଂ ଲିଖିତ ଭାବେ ଗ୍ରାମବାସୀ ପ୍ରଦାନ କରିବେ ସୂଚନା ମିଳିଛି । କମ୍ପାନି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ତଥା ଲିଖିତ ପତ୍ର କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ବିଗତ ବର୍ଷରୁ କମ୍ପାନିକୁ ଭଳ ଭାବେ ଅବଗତ ରହିଛୁ । ଗ୍ରାମଠୁ ୧୦୦ ମିଟର ଦୂରରେ ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ କମ୍ପାନି ପ୍ରଥମେ ଗ୍ରାମବାସୀଙ୍କ ଦାବି ସଂପର୍କରେ କିଛି ନିଷ୍ପତ୍ତି ନ ନେଇ ପ୍ରକଳ୍ପ କାମ ଆରମ୍ଭ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ପ୍ରଥମେ କର୍ମନିଯୁକ୍ତି ବିଷୟରେ ପଦକ୍ଷେପ ପରେ ପ୍ରକଳ୍ପ କାମ ଆରମ୍ଭ କର ନଚେତ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଯଦି ଜିଲ୍ଲାପାଳଙ୍କ କଥାରେ କମ୍ପାନି କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଦାବି ଗୁଡିକୁ କାର୍ଯ୍ୟକାରୀ କରିବେ ତେବେ ଏଠାରେ ପ୍ରକଳ୍ପ ନିର୍ମାଣରେ ଗ୍ରାମବାସୀ ନିଶ୍ଚିତ ସହଯୋଗ କରିବୁ ବୋଲି ଗ୍ରାମ୍ୟ କମିଟିର ବହୁ ସଦସ୍ୟ ମାନେ ଗଣମାଧ୍ୟମକୁ ଜଣାଇଥିଲେ । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ, ସପ୍ତାହକ ବ୍ୟାପି ଟାଟା କମ୍ପାନି ବିରୋଧରେ କାଳିପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଗ୍ରାମ୍ୟ କମିଟିର ପ୍ରାୟ ୨୦ ଜଣିଆ ପ୍ରତିନିଧି ଦଳ ସହ ସମାଧାନ ନିମନ୍ତେ ତ୍ରିପାକ୍ଷିକ ବୈଠକ ହୋଇଥିଲା । ଆନ୍ଦୋଳନକୁ ପ୍ରତ୍ୟାହୃତ କରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଥିଲା । ଟାଟା କମ୍ପାନି କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ସହ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେତେବେଳେ ଯେଉଁ ପ୍ରକଳ୍ପ କାମ କରିବା ପାଇଁ ପଦକ୍ଷେପ ନେଉଛନ୍ତି ପ୍ରଥମେ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିବାକୁ କୁହାଯାଇଛି । ଆଗକୁ ଏଭଳି ମଧ୍ୟ କରାଯିବା ପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ୍ରେ ଏସ୍ଡିପିଓ, ତହସିଲଦାର, ଚମାଖଣ୍ଡି ଥାନା ଅଧିକାରୀ ଓ ଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ ଗ୍ରାମକୁ ତଥା ଆନ୍ଦୋଳନ ସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ନିଯୁକ୍ତି ସଂପର୍କରେ ଅବଗତ କରାଇବେ । କେଉଁ ପ୍ରକ୍ରିୟା ଅନୁସାରେ କମ୍ପାନି ଗ୍ରାମବାସୀଙ୍କୁ ନିଯୁକ୍ତି ଦେବେ ଆଦି ସବିଶେଷ ତଥ୍ୟ ସହ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିର ଏହି ତ୍ରିପାକ୍ଷିକ ବୈଠକରେ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର,ତହସିଲଦାର ପ୍ରକାଶ କୁମାର ମିଶ୍ର, ଏସ୍ଡିପିଓ ଗୌତମ କିଷାନ୍, ଜିଲ୍ଲା ରାଜସ୍ୱ ଅଧିକାରୀ ରାଜକିଶୋର ଜେନା, ଚମାଖଣ୍ଡି ଥାନା ସିତାଂଶୁ ଶେଖର ମାନ୍ଧତା, ଟାଟା କର୍ତ୍ତୃପକ୍ଷ ଏବଂ ଗ୍ରାମ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଟାଟ କମ୍ପାନୀ ଇସ୍ପାତ କାରାଖାନା ପାଇଁ କାଳିପଲ୍ଲୀ ଓ ନିକଟସ୍ଥ ଅଂଚଳରେ ୧୯୯୬ ମସିହାରେ ଜମି ଅଧିଗ୍ରହଣ ହୋଇଥିଲା । ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଟାଟା କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ଅସନ୍ତୋଷ ଲାଗି ରହିଛି । ଏପରିକି, ଇସ୍ପାତ କାରାଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ନାଁ ରେ ବିଭିନ୍ନ କମ୍ପାନୀକୁ ଆଣି ଏଠାରେ ଟାଟା କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି । ଏବେ କାଳିପଲ୍ଲୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀ ଠାରୁ ଲିଜ୍ ନେଇ ଦିପକ ଫର୍ଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ କାଳିପଲ୍ଲୀ ଗ୍ରାମବାସୀ ବିରୋଧ କରି ଶନିବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।