ଟାଟା କମ୍ପାନୀର ବର୍ଜ୍ୟବସ୍ତୁ ପରିଚାଳନା ନେଇ ପୌରପାଳିକା ତରଫରୁ କମ୍ପାନୀକୁ ନୋଟିସ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ଥିବା ଟାଟାଷ୍ଟିଲ କମ୍ପାନୀର ନିଜସ୍ୱ ବର୍ଜ୍ୟବସ୍ତୁ କୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବା ପାଇଁ ଯୋଡା ପୌରପାଳିକା ପକ୍ଷରୁ ଟାଟାଷ୍ଟିଲ କମ୍ପାନୀକୁ ନୋଟିସ ଜାରି କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟକି ଉପରୋକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦିଲୀ କେଶ୍ ନଂ ୬୦୬/୨୦୧୮ ଅନୁଯାୟୀ ସଲିଡ୍ େଓଷ୍ଟ ମ୍ୟାନେଜମେନ୍ଟ ରୁଲ୍ସ ୨୦୧୬ କୁ କାର୍ଯ୍ୟକାରୀ କରିବା ପାଇଁ ଓ ଓଡିଶା ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗଙ୍କ ପକ୍ଷରୁ ଯୋଡା ପୌରପାଳିକାକୁ ଏକ ନିର୍ଦ୍ଦେଶନାମା ଜାରି ହେବା ପରେ ଏହାକୁ ତୁରନ୍ତ ଟାଟା କମ୍ପାନୀ କାର୍ଯ୍ୟକାରୀ କରିବା ପାଇଁ ଯୋଡା ପୌରପାଳିକା ପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଯୋଡା ମୁଖ୍ୟଙ୍କୁ ଚିଠି ଦିଆଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଗତ ତା ୧୬/୦୭/୨୦୧୯ ରିଖରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ଚିଠି ନଂ ୬୦୯୨ ରେ ଟାଟାଷ୍ଟିଲ କମ୍ପାନୀର ଯୋଡା ମୁଖ୍ୟଙ୍କୁ ସଲିଡ େଓଷ୍ଟ ମ୍ୟାନେଜମେନ୍ଟ ଆଣ୍ଡ ହ୍ୟାଣ୍ଡଲିଂ ରୁଲ୍ସ ୨୦୧୬ ଅନୁଯାୟୀ ଟାଟାଷ୍ଟିଲର ବିଭିନ୍ନ କଲୋନୀ, ଅଫିସ, ପାର୍କ, ଗେଷ୍ଟହାଉସ୍, କମ୍ୟୁନିଟ ସେନ୍ଟର, ହସ୍ପିଟାଲ ଏବଂ ଡିସପେନ୍ସାରୀ ଓ କାରଖାନା ଅଂଚଳରୁ ଓ ସହରରେ ଥିବା ଟାଟାଷ୍ଟିଲ କମ୍ପାନୀର ପ୍ରାୟ ୩ହଜାର ଗୃହରୁ ନିର୍ଗତ ହେଉଥିବା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବା ପାଇଁ ଚିଠି କରାଯାଇଥିଲା । ଏହି ସମ୍ବନ୍ଧରେ ପୁନଶ୍ଚ ଚମ୍ପୁଆ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଡା ପୌରପାଳିକା ପକ୍ଷରୁ ଚିଠି ସଂଖ୍ୟା ୬୪୩୩/୨୬/୦୭/୨୦୧୯ରିଖ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଯୋଡା ସହରର ବିଭିନ୍ନ ଓାର୍ଡରେ ଟାଟା କମ୍ପାନୀ ପକ୍ଷରୁ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ବାଚୁ ହଟିଂଠାରେ ଥିବା ପୌରପାଳିକାର ଡମ୍ପିୟାର୍ଡରେ ପକାଯାଉଛି । ଯୋଡା ସହରର ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବା ପାଇଁ ଯୋଡା ପୌରପାଳିକା ପକ୍ଷରୁ ବାଚୁ ହଟିଂଠାରେ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେନ୍ଟର ଏବଂ ଡି ସେନ୍ଟ୍ରାଲାଇଜ୍ କମ୍ପୋଷ୍ଟିଂ ପ୍ଲାନ୍ଟ ନିର୍ମାଣ କରାଯାଉଛି । ଉକ୍ତ ପ୍ଲାନ୍ଟ ଆରମ୍ଭ ହେଲେ ଟାଟା ଷ୍ଟିଲ କମ୍ପାନୀର ବର୍ଜ୍ୟବସ୍ତୁକୁ ସେଠାରେ ପକାଇବା ପାଇଁ ବନ୍ଦ କରାଯିବ ବୋଲି ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀ ସୂଚନା ଦେଇଛନ୍ତି । ତେବେ ଏହା କାର୍ଯ୍ୟକାରୀ ହେଲେ ଟାଟାଷ୍ଟିଲ କମ୍ପାନୀ ତାର ନିଜସ୍ୱ ବର୍ଜ୍ୟବସ୍ତୁକୁ କେଉଁଠାରେ ଗଛିତ କରିବ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟାଟା କମ୍ପାନୀ ପକ୍ଷରୁ ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ ନକଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଚିଠିରେ ଉଲେଖ କରାଯାଇଛି । ଯୋଡା ପୌରପାଳିକାର ଅଧିକାଂଶ ଅଂଚଳ ଟାଟାଷ୍ଟିଲ ଅଧିନରେ ରହିଛି । ଉକ୍ତ ଅଂଚଳରେ ଥିବା କମ୍ପାନୀ ଗୃହ, କଲୋନୀ, ଅଫିସ, ପାର୍କ, ଗେଷ୍ଟହାଉସ, କମ୍ୟୁନିଟ ସେନ୍ଟର, ହସ୍ପିଟାଲ ପ୍ରଭୃତି ସ୍ଥାନରୁ ଓଦା ଓ କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି । ସହରରେ ଥିବା କମ୍ପାନୀର ଆବାସିକ ଗୃହ ଗୁଡିକରୁ ଶୃଙ୍ଖଳିତ ଭାବେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଟାଟା କମ୍ପାନୀର ଗୁରୁତ୍ୱ ହୀନତାକୁ ଯୋଡା ଜନସାଧାରଣରେ ନିନ୍ଦା କରାଯାଇଛି । ଏହାକୁ ବାଚୁ ହଟିଂଠାରେ ନପକାଇ କମ୍ପାନୀ ପକ୍ଷରୁ ଏକ ସଲିଡ୍ େଓଷ୍ଟ ମ୍ୟାନେଜମେନ୍ଟ ପ୍ଲାନ୍ଟ ନିର୍ମାଣ କରି ନିଜସ୍ୱ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବା ପାଇଁ ଜନସାଧାରଣରେ ଦାବି ହେଉଛି । ଏନେଇ ଟାଟା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।