ଟାଟା କମ୍ପାନୀର ସ୍ୱରେଜ ପ୍ଲାଣ୍ଟ ରୁ ବାହାରୁଛି ଦୁର୍ଗନ୍ଧମୟ ଗ୍ୟାସ , ଅଂଚଳବାସୀ ହନ୍ତସନ୍ତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ପୌରପାଳିକା ର ଗୋପମହାନ୍ତି ହଟିଂ ତଥା ୯ନଂ ଓାର୍ଡବାସୀ ଟାଟାଷ୍ଟିଲ କମ୍ପାନୀର ସ୍ୱରେଜ ଟ୍ରିଟ୍ମେନ୍ଟ ପ୍ଲାନ୍ଟରୁ ନିର୍ଗତ ଦୁର୍ଗନ୍ଧର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଗୋପ ମହାନ୍ତି ହାଟିଂର ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ସୋମନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପଶ୍ଚିମ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନା ନିକଟରେ ଟାଟାଷ୍ଟିଲ କମ୍ପାନୀ ପକ୍ଷରୁ ଏକ ସ୍ୱରେଜ ଟ୍ରିଟ୍ମେନ୍ଟ ପ୍ଲାନ୍ଟ ସ୍ଥାପନ କରାଯାଇଛି । ଏହା ଗୋପ ମହାନ୍ତି ହଟିଂ ଅତି ନିକଟରେ ଅବସ୍ଥିତ । ଏଥିରେ ଟାଟାକମ୍ପାନୀର ବିଭିନ୍ନ କର୍ମଚାରୀ କଲୋନୀ ଓ କମ୍ପାନୀ ଗୃହରେ ଥିବା ପାଇଖାନାର ଜଳକୁ କମ୍ପାନୀ ଆଣି ପ୍ଲାନ୍ଟ ମାଧ୍ୟମରେ ତାହାକୁ ବିଷୋଧନ କରି ତାହାକୁ ଡ୍ରେନ ମାଧ୍ୟମରେ ସୁନାନଦୀରେ ଛାଡୁଛି , ଯାହାକୁକି ସ୍ୱରେଜ ଟ୍ରିଟ୍ମମେନ୍ଟ ପ୍ଲାନ୍ଟ କୁହାଯାଏ । ଏହି ପ୍ଲାନ୍ଟ ସ୍ଥାପନ ହେବାର କିଛି ମାସ ପର୍ଯ୍ୟନ୍ତ ଏହା ଠିକ୍ ଚାଲୁଥିଲା , ମାତ୍ର ଗତ ଜୁନ୍ ମାସରେ ଏହି ପ୍ଲାନ୍ଟର କୌଣସି ସ୍ଥାନରେ ପାଇପ ଫାଟିଯାଇଥିବାରୁ ଏଥିରୁ ନିର୍ଗତ ଦୁର୍ଗନ୍ଧ ଗ୍ୟାସ ଅଂଚଳକୁ ପ୍ରଦୂଷିତ କରିଥିଲା । ଏନେଇ ଓାର୍ଡବାସୀ ଅଭିଯୋଗ କରିବା ପରେ ତାହାକୁ ଟାଟା କମ୍ପାନୀ ପକ୍ଷରୁ ମରାମତି କରାଯାଇଥିଲା । କିନ୍ତୁ ପୁଣି ଥରେ ଏବେ ମଧ୍ୟ ଏହି ପ୍ଲାନ୍ଟରୁ ନିର୍ଗତ ଦୁର୍ଗନ୍ଧମୟ ଜଳକୁ ସକାଳ ଏବଂ ସନ୍ଧ୍ୟା ସମୟରେ ପ୍ରାୟ ଦୁଇ ଘନ୍ଟା ଧରି ଦୈନିକ ଏକ ନାଳକୁ ସିଧାସଳଖ ଛାଡି ଦିଆଯାଉଛି । ଏହି ପ୍ଲାନ୍ଟରେ ଦୁର୍ଗନ୍ଧମୟ ଜଳକୁ ବିଷୋଧନ କରି ଏଥିରୁ ନିର୍ଗତ ଦୁର୍ଗନ୍ଧହୀନ ଜଳକୁ ଛଡାଯିବାର ବ୍ୟବସ୍ଥା ରହିଥିଲେ ହେଁ , ଏହି ପ୍ଲାନ୍ଟରେ ଏହି କାର୍ଯ୍ୟ ଠିକ ଭାବେ କରାଯାଉନଥିବାରୁ ଏହା ସମଗ୍ର ଅଂଚଳକୁ ଦୁର୍ଗନ୍ଧମୟ କରୁଛି । ଓାର୍ଡର ଶହଦେବ କାରୁଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଟାଟା କମ୍ପାନୀର କଲୋନୀକୁ ଲାଗି ଏକ ଅଶ୍ୱସ୍ତ ଗଛରେ ଦୀର୍ଘଦିନ ହେବ ଓାର୍ଡବାସୀ ପୂଜାର୍ଚ୍ଚନା କରୁଛନ୍ତି । କିନ୍ତୁ, ଦୀର୍ଘ ଏକମାସରୁ ଉଦ୍ଧ୍ୱର୍ ହେବ କମ୍ପାନୀର ଉକ୍ତ ସ୍ୱରେଜ ଟ୍ରିଟ୍ମେନ୍ଟ ପ୍ଲାନ୍ଟରୁ ଦୁର୍ଗନ୍ଧମୟ ପାଣି ଛଡାଯାଉଛି , ଯାହା ଫଳରେ ଅଂଚଳବାସୀ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରି ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସକାଳ ଏବଂ ସନ୍ଧ୍ୟାରେ ଏହି ପାଣି ଛଡାଯାଉଥିବାରୁ ଦୀର୍ଘ ସମୟ ଧରି ପରିବେଶ ଦୁର୍ଗନ୍ଧମୟ ହୋଇ ରହୁଛି । ଦୁର୍ଗନ୍ଧମୟ ପରିବେଶ ହେଉଥିବାରୁ ଦିନ ବେଳା ଘରେ ରହିବା ମଧ୍ୟ ଦୁର୍ବିଷ ହୋଇପଡୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଓାର୍ଡର ମହିଳା କଇଁ କାରୁଆ, ଅଷ୍ଟମି କାରୁଆ, ଶାନ୍ତି କାରୁଆ, ଲିଲି କାରୁଆ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଟାଟାଷ୍ଟିଲ କମ୍ପାନୀର କର୍ପୋରେଟ କମ୍ୟୁନିକେସନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ପ୍ରତିଦିନ କୌଣସି ସ୍ଥାନରେ ଲିକେଜ ୍ ହେଉଥିବା ନେଇ କମ୍ପାନୀ ପକ୍ଷରୁ ଚେକ୍ କରାଯାଏ, ତେବେ କୌଣସି ପ୍ରକାର ପ୍ଲାନ୍ଟରୁ ଲିକେଜ ହେଉଥିବା ନେଇ ଜଣାପଡିନାହିଁ । ସ୍ଥାନୀୟ ଲୋକମାନେ ମଧ୍ୟ ଏନେଇ କମ୍ପାନୀଠାରେ କୌଣସି ଅଭିଯୋଗ କରିନାହାନ୍ତି । ଯେହେତୁ ଗଣମାଧ୍ୟମଠାରୁ ଏହି ଅଭିଯୋଗ ଶୁଣିବାକୁ ମିଳିଛି , ତାହେଲେ ପୁନର୍ବାର ପୁଙ୍ଖାନୁପୁଙ୍ଖ ଭାବେ ଏନେଇ ଯାଂଚ କରାଯିବ ଏବଂ ଲୋକଙ୍କ ଅଭିଯୋଗର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।