ଟାଟା କମ୍ପାନୀ ବିରୁଦ୍ଧରେ କାଳିପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନ ପଞ୍ଚମ ଦିନରେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟ ଟାଟା କମ୍ପାନୀ ଅଧିକୃତ ଜମିରେ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ ବୁଧବାର ପଞ୍ଚମ ଦିନରେ ପହଂଚିଛି । ଆଜି ପବିତ୍ର ରଜ ସଂକ୍ରାନ୍ତି ହୋଇଥିଲେ ମଧ୍ୟ କାଳିପଲ୍ଲୀ ଗ୍ରାମବାସୀ ମାନେ ଆନ୍ଦୋଳନ ସ୍ଥଳରେ ନିଜ ଜିଦ୍ ରେ ଅଟଳ ରହି ବସି ରହିବା ସହ ସେଠାରେ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମର ଏକ ପ୍ରତିନିଧୀ ଦଳ ଛତ୍ରପୁର ଠାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୭ ତାରିଖ ଦିନ ଏକ ତ୍ରିପାକ୍ଷିକ ବୈଠକରେ ଏ ସମ୍ପର୍କିତ ଆଲୋଚନା ହେବାକୁ ଥିବାବେଳେ ଆଜି ବିଧାୟକଙ୍କ ସହ ଗ୍ରାମର ଏକ ପ୍ରତିନିଧୀ ଦଳ ଭେଟି ଆଗାମୀ ବୈଠକ ଏବଂ ସେମାନଙ୍କ ହକ୍ ସମ୍ପର୍କରେ ଆଲୋଚନା କରିଛନ୍ତି । ଗ୍ରାମବାସୀ ମାନେ ପ୍ରଥମେ ନିଯୁକ୍ତି ପରେ ପ୍ରକଳ୍ପ କାମ କରିବା ସହିତ ଡି -ନୋଟିଫିକେସନ କରି ସେମାନଙ୍କ ଜମି ପଟ୍ଟା ଫେରାଇବା ଦାବୀ ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ । ଅଂଚଳରେ ଶାନ୍ତି ବଜାୟ ରଖିବା ସହ ଏଠାରେ ଶିଳ୍ପ ପ୍ରତିଷ୍ଠା ହେଉ ଏବଂ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ଉପରେ ବିଧାୟକ ଗୁରୁତ୍ୱ ଦେଇଛନ୍ତି । ପ୍ରଥମେ ପ୍ରକଳ୍ପ ହେଲେ ତ ନିଯୁକ୍ତି ମିଳିବ । ଏହାସହିତ ଗ୍ରାମବାସୀ ଦାବୀ ଗୁଡିକ ଉପରେ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ଥିବା ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆସନ୍ତା ୧୭ତାରିଖ ଦିନ ଜିଲ୍ଲାପ୍ରଶାସନ , ଗ୍ରାମବାସୀ ଓ କଂପାନୀର ମିଳିତ ବୈଠକ ହେବା ପୂର୍ବରୁ ଏସମ୍ପର୍କରେ ସେ ଗଂଜାମ ଜିଲ୍ଲାପାଳ ଓ ଗଂଜାମ ଏସପିଙ୍କ ଅବଗତ କରାଇବେ ବୋଲି ସେ କହିଥିଲେ । ଅଂଚଳର ଲୋକଙ୍କୁ କିପରୀ ନିଯୁକ୍ତି ମିଳିବ ସେ ସମ୍ପର୍କରେ ଆଲୋଚନା କରିବେ । ଏହାସହିତ ଡି-ନୋଟିଫିକେସନ କରି କିପରୀ ଶୀଘ୍ର ଜମି ପଟ୍ଟା ଫେରାଯିବ ସେନେଇ ବିଭିଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବି ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ଥିବା ପ୍ରତିନିଧୀ ଦଳ କୁ କହିଥିଲେ । ବିଧାୟକଙ୍କ ସହ ଏହି ଆଲୋଚନା ବେଳେ କାଳୀପଲ୍ଲୀ ଗ୍ରାମର ରାଇଟର ରଘୁନାଥ ରେଡ୍ଡୀ, ଆଇନଜିବୀ ଡଃ. ଜି.ଧର୍ମରାଜୁ ରେଡ୍ଡୀ, ଏସ.ଲାଚ୍ଛମୟା ରେଡ୍ଡୀ , ପି.ଚନ୍ଦୁରୁ , ମୋହନ ପାତ୍ର, କେ.ନାରସୁମୁଲୁ, ଏସ.ତାରିଣୀ, ଜେ.ମହାଲକ୍ଷ୍ମୀ,ବି.ସନ୍ତୋଷୀ ଓୱାର୍ଡ ମେମ୍ବର କେ.ଶୁଭଶ୍ରୀଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ସହ ଟାଟା କଂପାନୀ ସିଧାସଳଖ କାହିଁକି ଆଲୋଚନା କରୁନାହିଁ । ଯାହା ଫଳରେ ଏପରି ଅବସ୍ଥା ହୋଇଛି ବୋଲି ଗ୍ରାମର ବହୁ ମହିଳା ମାନେ କହିଛନ୍ତି । ଆମ୍ଭ ମାନଙ୍କର ସମସ୍ୟା ନେଇ ଦୀର୍ଘ ମାସ ଧରି ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ କୈାଣସି ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଯାହାଫଳରେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ