ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୧୮୨ତମ ପ୍ରତିଷ୍ଠାତା ଦିବସ ପାଳିତ
ଯୋଡ଼ା, (ସମୀର କୁମାର ଦାସ) : ଜାମସେତ୍ଜୀ ନସେରୱନ୍ଜୀ ଟାଟାଙ୍କ ୧୮୨ତମ ଜନ୍ମବାର୍ଷିକୀ ଅବସରରେ ଟାଟା ଷ୍ଟିଲ ଓଏମ୍କ୍ୟୁ ଏବଂ ଏଫ୍ଏଏମ୍ ଡିଭିଜନ୍ ପକ୍ଷରୁ ବୁଧବାର ଦିନ ପ୍ରତିଷ୍ଠାତା ଦିବସ ପାଳିତ ହୋଇଯାଇଛି । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମିତ ଲୋକମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇଛି । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର ପ୍ରତିନିଧିମାନେ ଜେସିଓ ଲନ୍ରେ ଜେ ଏନ୍ ଟାଟାଙ୍କ ପ୍ରତିମୂର୍ତ୍ତିରେ ମ୍ୟଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଏଫ୍ଏପି, ଯୋଡ଼ା ଓ ମାଙ୍ଗାନିଜ ଗ୍ରୁପ୍ ଅଫ ମାଇନ୍ସ, ବିଚ୍ଛାକୁଣ୍ଡି ଅଫିସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯଥାକ୍ରମେ ଟାଟା ଷ୍ଟିଲ ଏଫ୍ଏପି, ଯୋଡ଼ା ମୁଖ୍ୟ ଶ୍ରୀ ଜି ପି ସାହୁ ଓ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ ମୁଖ୍ୟ ଶ୍ରୀ ଅମିତ କୁମାର ଦୁବେଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର ପ୍ରତିନିଧିମାନେ ଜେ ଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ସଂଘର ପ୍ରତିନିଧିମାନେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହାବ୍ୟତୀତ ଯୋଡ଼ା ୱେଷ୍ଟଠାରେ ଅବସ୍ଥିତ ସାର ଦୋରାବଜୀ ଟାଟା ବଟାନିକାଲ ପାର୍କ, ଏଫ୍ଏପି ପ୍ଲାଣ୍ଟ ସମ୍ମୁଖରେ ଥିବା ସିଣ୍ଟେନାରୀ ପାର୍କ ଓ ଯୋଡ଼ା ଇଷ୍ଟଠାରେ ଥିବା ରେନ୍ୱାଟର ହାରଭେଷ୍ଟିଂ ପାର୍କକୁ ପୂର୍ବ ଦିନ ସନ୍ଧ୍ୟାରୁ ଆଲୋକିତ କରାଯାଇଥିଲା । ଭାରତର ଅଗ୍ରଣୀ ଶିଳ୍ପପତି ଜାମସେତ୍ଜୀ ନସେରୱନ୍ଜୀ ଟାଟା (ମାର୍ଚ୍ଚ ୩, ୧୮୩୯-ମେ ୧୯, ୧୯୦୪) ଭାରତର ସର୍ବବୃହତ୍ତ ଗ୍ରୁପ୍ କମ୍ପାନୀ ଟାଟା ଗ୍ରୁପ୍ର ପ୍ରତିଷ୍ଠା କରିଥିଲେ । ଏହି କିମ୍ବଦନ୍ତୀ ପୁରୁଷଙ୍କୁ ‘ଭାରତୀୟ ଶିଳ୍ପ ଜଗତର ପିତା ରୂପେ’ ମାନ୍ୟତା ପ୍ରଦାନ କରାଯାଇଛି ।