ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସଚେତନତା ଅଧିବେସନ

ଯୋଡ଼ା,(ସମୀର କୁମାର ଦାସ): ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କର୍କଟ ରୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ପୌରପାଳିକା ଅନ୍ତର୍ଗତ ୱାର୍ଡ଼ ସଂଖ୍ୟା ୯ ର କମାରସାହି ଅଙ୍ଗନବାଡ଼ି କେନ୍ଦ୍ରରେ ‘ବିଶ୍ୱ କର୍କଟ ଦିବସ’ ଅବସରରେ ଏକ ସଚେତନତା ଅଧିବେସନର ଆୟୋଜନ କରାଯାଇଛି । ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ଆୟୋଜିତ ଏହି ସଚେତନତା ଅଧିବେସନରେ ଯୁବବର୍ଗ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନଙ୍କୁ ମିଶାଇ ୩୦ରୁ ଊର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଡଃ ଅନମୋଲ ଟିଗା କହିଛନ୍ତି ଯେ, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱସାରା ହୃତପିଣ୍ଡ ଓ ଧମନୀ ସମ୍ପର୍କିତ ରୋଗରେ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଥିବାବେଳେ କର୍କଟ ରୋଗ ଦ୍ୱିତୀୟ ସ୍ଥାନରେ ରହିଛି ।  ବିଶ୍ୱରେ ମୃତ୍ୟୁବରଣ କରୁଥିବା ପ୍ରତି ୬ଜଣଙ୍କ ମଧ୍ୟରୁ ଜଣେ କର୍କଟ ରୋଗୀ ଅନ୍ତର୍ଭୁକ୍ତ । ଏହି ମାରାତ୍ମକ ରୋଗରୁ ସୁରକ୍ଷିତ ରହିବାରେ ସଚେତନତା ଏକ ପ୍ରମୁଖ ପଦକ୍ଷେପ” । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ତମ୍ବାଖୁରୁ ଦୂରେଇ ରହିବା ପାଇଁ କହିବା ସହିତ ଡଃ ଟିଗା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ତମ୍ବାଖୁର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।  ଏହାବ୍ୟତୀତ, ଅଂଶଗ୍ରହଣକାରୀମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପଦ୍ଧତି ଓ ତମ୍ବାଖୁ ସେବନ ସହିତ ଜଡ଼ିତ ବିପଦକୁ ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, କର୍କଟ ରୋଗ ଉପରେ ଗୁରୁତ୍ୱ ଦେଇ, ସଚେତନତା ବୃଦ୍ଧି ଓ ଲୋକମାନଙ୍କୁ କର୍କଟ ରୋଗ ସମ୍ପର୍କରେ ଶିକ୍ଷିତ କରିବା ପାଇଁ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଫେୃବଆରୀ ୪ ତାରିଖରେ “ବିଶ୍ୱ କର୍କଟ ଦିବସ”କୁ ଏକ ଆନ୍ତର୍ଜାତୀୟ ସଚେତନତା ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ‘ବିଶ୍ୱ କର୍କଟ ଦିବସ’ ର ବିଷୟବସ୍ତୁ ହେଉଛି ‘ଆଇ ଏମ୍ ଆଣ୍ଡ ଆଇ ଉଇଲ’, ଯାହାକି ଆତ୍ମ-ପ୍ରତିବଦ୍ଧତା ଦ୍ୱାରା ୨୦୩୦ ସୁଦ୍ଧା ଅଣ-ସଂକ୍ରମିତ ରୋଗରେ ଅସମୟ ମୃତ୍ୟୁ ପରିମାଣକୁ ଏକ ତୃତୀୟାଂଶକୁ ହ୍ରାସ କରିବା ଦିଗରେ ଏକ ସକରାତ୍ମକ ପଦକ୍ଷେପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ