ଟିକସଦାତାଙ୍କୁ ସିବିଡିଟିରେ ୭୧,୨୨୯ କୋଟି ଟଙ୍କା ରିଫଣ୍ଡ
ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ ୭୧,୨୨୯ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି । ଚଳିତ ଜୁଲାଇ ୧୧ ତାରିଖ ସୁଦ୍ଧା ୨୧.୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ ରିଫଣ୍ଡ କରାଯାଇଛି । କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଏପ୍ରିଲ ୮ ତାରିଖରେ କେନ୍ଦ୍ର ସରକାର ଏକ ନିଷ୍ପତ୍ତି ନେଇ ଫେରସ୍ତ ହେବାକୁ ଥିବା ଆୟକର (ରିଫଣ୍ଡ) କରଦାତାଙ୍କୁ ଯଥାଶୀଘ୍ର ଫେରାଇବାକୁ ନିର୍ଦେଶ ଦେଇଥିଲେ । ୨୪,୬୦୩ କୋଟି ଟଙ୍କାର ଆୟକର ରିଫଣ୍ଡ ୧୯.୭୯ ଲକ୍ଷ ମାମଲାରେ ଟିକସଦାତାଙ୍କୁ ଫେରାଯାଇଥିବାବେଳେ ୧.୪୫ ଲକ୍ଷ ଘଟଣାରେ ୪୬,୬୨୬ କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ ରିଫଣ୍ଡ କରୋନା ମହାମାରୀ ସମୟରେ ଦିଆଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମହାମାରୀ ଭଳି ଏକ ଜଟିଳ ସମୟରେ କରଦାତାମାନେ ନିଜର ପ୍ରାପ୍ୟ ଯେପରି ଠିକ୍ ସମୟରେ ପାଆନ୍ତି ସେଥିପାଇଁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଟିକସ ବାବଦ ମାମଲାର ତ୍ୱରିତ ସମାଧାନ ଏବଂ ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ନିଶ୍ଚିତ କରିବାକୁ ଆୟକର ବିଭାଗକୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି । ତଦନୁସାରେ ଆୟକର ବିଭାଗ ଯଥାସମ୍ଭବ ଲୋକଙ୍କୁ ସେମାନଙ୍କର ରିଫଣ୍ଡ ପ୍ରଦାନ କରୁଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା କରଦାତାଙ୍କ ସବୁ ରିଫଣ୍ଡ ମାମଲାର ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି । ଏ କ୍ଷେତ୍ରରେ ଯେଉଁ କରଦାତାମାନେ ସଂଶୋଧନ ଆବେଦନ କରୁଛନ୍ତି ସେମାନେ ଆଇଟିବିଏରେ ଅର୍ଜି ଅପ୍ଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ତଦ୍ଦ୍ୱାରା ଏହାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଆୟକର ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ କରଦାତାମାନେ ସେମାନଙ୍କର ରିଫଣ୍ଡର ଶୀଘ୍ର ପ୍ରୋସେସିଂ ପାଇଁ ଆଇଟି ବିଭାଗର ଇ-ମେଲ ସହ ତୁରନ୍ତ ଯୋଗାଯୋଗ କରିବା ଆବଶ୍ୟକ । କରଦାତା ଯେତେ ଶୀଘ୍ର ସେମାନଙ୍କର ଆପତ୍ତି ଅଭିଯୋଗ ପଠାଇବେ ତାହାକୁ ବିଚାର କରି ସେତେଶୀଘ୍ର ସେମାନଙ୍କର ଦେୟ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ ଅନେକ ଟିକସଦାତା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ସେମାନଙ୍କର ଅର୍ଜି ପ୍ରେରଣ କରି ସଂଶୋଧନ ପାଇଁ ଆବେଦନ କରିଛନ୍ତି । ଏସବୁ ଆବେଦନକୁ ସମୟବଦ୍ଧ ଭିତ୍ତିରେ ବିଚାର କରି ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି । ସମସ୍ତ ରିଫଣ୍ଡ ଅନ୍ଲାଇନ ବ୍ୟବସ୍ଥାରେ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ।