ଟିପିଏସଓଡିଏଲ ପକ୍ଷରୁ ପଂଚାୟତକୁ ମଡେଲ ଗ୍ରାମ ପଂଚାୟତ ଭାବେ ଘୋଷଣା
ଛତ୍ରପୁର, (ଦେବଦତ୍ତ ମହାରଣା) :-ବିଦ୍ୟୁତ ଯୋଗାଣ ବିଶ୍ୱସନୀୟତାରେ ଉନ୍ନତି, ଶୁନ୍ୟ ଅସୁରକ୍ଷିତ ସ୍ଥାନ, ବିଦ୍ୟୁତ ସମାଧାନ କେନ୍ଦ୍ର ସମେତ ଭିତ୍ତିଭୂମିର ଉନ୍ନତି ସକାଶେ ଟିପିଏସଓଡିଏଲ ଛତ୍ରପୁର ସବ ଡିଭିଜନ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଡାପଦର ପଂଚାୟତକୁ ମଡେଲ ଗ୍ରାମ ପଂଚାୟତ ଭାବେ ଘୋଷଣା କରାଯାଇଛି । ଏନେଇ ପୋଡାପଦର ଗ୍ରାମ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଲଭଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧିକ୍ଷଣ ଯନ୍ତ୍ରୀ ଇଂ ଚନ୍ଦନ ଦାସ, ନିର୍ବାହୀ ଯନ୍ତ୍ରୀ ଇଂ ସୁଦର୍ଶନ ବେହେରା, ଡିଡିଓ ଇଂ ପ୍ରକାଶ କୁମାର ପୁହାଣ, ଇଂ ଆଶଷ କୁମାର ସାହୁ, ଇଂ ସଂଗ୍ରାମ କେଶରୀ ଚୌଧୂରୀ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍. ସାରଦା ପ୍ରସାଦ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ଏସ୍, କିଶୋର ରେଡ୍ଡୀ, ପୋଡାପଦର ସରପଂଚ ସୁଜାତା ଦାସ, ସମିତିସଭ୍ୟା ଶଶୀ ଦାସ, ଶ୍ରମିକ ନେତା ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବିଦ୍ୟୁତ ବିଭାଗ ପକ୍ଷରୁ ପାଇଲଟ ପ୍ରକଳ୍ପ ଭାବେ ପୋଡାପଦର ପଂଚାୟତକୁ ମଡେଲ ଗ୍ରାମ ପଂଚାୟତ ଭାବେ ନିଆଯାଇଥିବାରୁ ସରପଂଚ ଶ୍ରୀମତି ଦାସ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଦ୍ୱାରା ପଂଚାୟତର ବିଦ୍ୟୁତ ସେବାରେ ବିକାଶ ହେବା ସହ ଲୋକମାନେ ଅସୁରକ୍ଷିତ ମନେ କରିବେ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି ଛତ୍ରପୁର ଉପଖଣ୍ଡ ସ୍ତରର ୮୪ ଟି ପଂଚାୟତରୁ ପୋଡାପଦର ପଂଚାୟତକୁ ମଡେଲ ପଂଚାୟତ ଭାବେ ନିଆଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ପଂଚାୟତକୁ ସାମିଲ କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଥିଲେ । ଶେଷରେ ସହକାରୀ ଯନ୍ତ୍ରୀ ଇଂ ସୁଧିର କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ଇଂ ଉମା ଶଙ୍କର ଦାଶଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।