ଟିଲୋ ଗଡଚଣ୍ଡୀ ପୀଠରେ ଭାଗବତ ପାରାୟଣ, ପ୍ରବଚନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଗଡଚଣ୍ଡୀ ପୀଠସ୍ଥିତ କପାଳୀ ନଦୀ ତଟରେ ଗତ ବର୍ଷ ପରି ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରବିବାର ଅପରାହ୍ନରେ ୨୮ ଜଣ କଳସ ଯାତ୍ରୀଙ୍କୁ ନେଇ ଘଟାଧିବାସ କରାଯାଇଥିଲା । ସୋମବାର ପ୍ରାତଃରେ ସୂର୍ଯ୍ୟପୂଜା, ଗୋପୂଜା, ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଚକ୍ରରାଜ ସୁଦର୍ଶନ ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ କାର୍ଯ୍ୟ, ବାଳ ଧୂପରେ ନିସ୍କାମ ଭକ୍ତି ନିମିତ ମଧ୍ୟାହ୍ନ ଧୂପ, ମୋକ୍ଷ ନିମିତ ଓ ସନ୍ଧ୍ୟାରେ ରୋଗମୁକ୍ତି ନିମିତ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ମୁଖ୍ୟ ପୂଜକ ଭାବେ ପଣ୍ଡିତ ହରେକୃଷ୍ଣ ପତି, ଭଗବାନ ପତି, ଶଶିକାନ୍ତ ପାଣିଗ୍ରାହୀ, ଭୋଟର ପଣ୍ଡା, କ୍ଷୀରୋଦ କୁମାମର ପତି, ପ୍ରଦ୍ୟୁମ୍ନ କୁମାର ପତି ଦାୟୀତ୍ୱ ସଂପାଦନ କରିଥିଲେ । କର୍ତ୍ତା ଭାବେ ନରୋତ୍ତମ ରାଉତ, ମନୋରମା ରାଉତ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀମଦ ଭାଗବତ ପାରାୟଣ କମିଟିର ଉପଦେଷ୍ଟା, ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସମେତ ଟିଲୋ ଗ୍ରାମବାସୀ ସହଯୋଗ କରିଥିଲେ ।