ଟ୍ରାଫିକ ଜାମ୍ ରେ ଫସିଲେ ମାଟ୍ରିକ ପରୀକ୍ଷାର୍ଥୀ, ନିରବଦ୍ରଷ୍ଟା ସାଜିଲା ପ୍ରଶାସନ
ଯୋଡ଼ା (ଯୁଗାଦ୍ଦ) : ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା- ଗୁଆଲୀ ରାସ୍ତାରେ ବୁଧବାର ଟ୍ରାଫିକ ଜାମ୍ ଚରମସୀମାରେ ପହନଚିଛି । ବିଳମ୍ବିତ ରାତିଠାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ ଜାମ୍ ରେ ହଜାର ହଜାର ସଂଖ୍ୟାରେ ଟ୍ରକ ଡମ୍ପର, ଯାତ୍ରୀବାହୀ ବସ୍, ସ୍କୁଲ୍ ବସ୍ ଓ ଭ୍ୟାନ୍, ଛୋଟ ଛୋଟ ଯାନବାହାନ ସମେତ ଜରୁରୀକାଳୀନ ଗାଡି ଗୁଡିକ ଫସି ରହିଥିଲା । ଟ୍ରାଫିକ ଜାମ୍ ଏପରି ବିପର୍ଯ୍ୟସ୍ତ ହୋଇପଡିଥିଲା ଯେ, ସାଧାରଣ ପଥଚାରୀ, ବାଇକ୍ ଆରୋହୀ ମଧ୍ୟ ରାସ୍ତାରେ ଯିବାସିବା ଅସମ୍ଭବ ହୋଇପଡିଥିଲା । ଏହି ଟ୍ରାଫିକ ଜାମରେ ଭୁବନେଶ୍ୱର ଠାରୁ ଆସୁଥିବା ଦ୍ରୁତଗାମୀ ବସ୍ ଗୁଡିକ ଯୋଡାରେ ଭୋର ୪ ଟା ରୁ ୫ ଟା ପହନଚିବା ପରିବର୍ତେ ୬ ଘନ୍ଟା ବିଳମ୍ବରେ ପୂର୍ବାହ୍ନ ୧୦ ଟା ବେଳେ ଯାତ୍ରୀମାନେ ଯୋଡାରେ ପହନଚିଥିଲେ । ମାଟ୍ରିକ ପରୀକ୍ଷା ଚାଲୁଥିବାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର କୁ ଯାଉଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ବସ୍ ଉପରେ ଘନ୍ଟା ଘନ୍ଟା ଧରି ଅପେକ୍ଷା କରି ରହିଥିଲେ । ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ବିଚଳିତ ହୋଇ ପରୀକ୍ଷାର୍ଥୀମାନେ ନିଜ ନିଜର ଅଭିଭାବକ ମାନଙ୍କ ସହିତ ମଟର ସାଇକେଲ ଯୋଗେ ପରୀକ୍ଷା କେନ୍ଦ୍ରକୁ ବହୁ କଷ୍ଟରେ ବଡ ବଡ ଗାଡି ର ଫାଙ୍କ ମଧ୍ୟରେ ଗଳି ବିପଦପୂର୍ଣ୍ଣ ଭାବେ ଯାଉଥିବା ଦେଖିବାକୁ ମିଳିଥିଲା । ଟ୍ରାଫିକ ଜାମ୍ କୁ ନିୟନ୍ତ୍ରଣ ତଥା ଖୋଲିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇନଥିବା ଯାତ୍ରୀବାହୀ ବସ୍ ରେ ଯାଉଥିବା ଯାତ୍ରୀ କିଶୋର ରାଉତ, ରୁକମଣୀ ମହାନ୍ତ, ହେମନ୍ତ କାରୁଆ, ସୁରେନ୍ଦ୍ର ଲେଙ୍କା , ସାବିତ୍ରୀ ବେହେରା, ରେଣୁବାଳା ପଟ୍ଟନାୟକ, ବାସୁଦେବ ଦାସ ପ୍ରମୁଖ ବସ୍ ଯାତ୍ରୀ ଅଭିଯୋଗ କରିଥିଲେ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାସନ ଖଣି ବ୍ୟବସାୟୀଙ୍କ ହାତର ମାଟି କଣ୍ଢେଇ ସାଜିଛି । ପ୍ରାୟ ୨୦ ଟି ବସ୍ ର ଯାତ୍ରୀମାନେ ମିଳିମିଶି ରାସ୍ତାରୁ ଟ୍ରାଫିକ ଜାମ୍ ହଟାଇବା ପାଇଁ ଉଦ୍ୟମ କରିଥିଲେ ହେଁ , ଏଥିରେ ସଫଳତା ପାଇପାରିନଥିଲେ । କାରଣ, ଟ୍ରାଫିକ ଜାମ୍ ଦୀର୍ଘ ୨୦ କିଲୋମିଟର ବ୍ୟାପି ହୋଇଥିଲା । ଦିନ ୮ଟା ବେଳେ ପରୀକ୍ଷାର୍ଥୀମାନଙ୍କ ଅଭିଭାବକମାନେ ପୋଲିସ ପ୍ରଶାସନକୁ ଜଣାଇବା ପରେ ପୋଲିସ ସଦଳବଳେ ପହନଚି ସ୍କୁଲବସ୍ ଓ ଯାତ୍ରୀବାହୀ ବସ୍ ଗୁଡିକୁ ଟ୍ରକ କବଜାରୁ ମୁକୁଳାଇଥିଲେ । ସମ୍ପୂର୍ଣ୍ଣ ରାଜପଥଟି ଟ୍ରକ କବଜାରେ ରହିଯାଇଥିଲା । ତେବେ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଜିଲା ପ୍ରଶାସନ ପକ୍ଷରୁ ଘରୋଇ ସୁରକ୍ଷା କର୍ମୀ , ହାଇେଓ ପେଟ୍ରୋଲିଂ ଗାଡି ନିୟୋଜିତ କରାଯାଇଥିଲେ ମଧ୍ୟ ଏହି ଜାମ୍ କୁ ରୋକିବାରେ ପ୍ରଶାସନ ବିଫଳ କିପରି ହେଉଛି । ତେଣେ ଯୋଡା ମହିଳା ମହାବିଦ୍ୟାଳୟରେ ଚାଲିଥିବା ଯୁକ୍ତ ୨ ପ୍ରଥମ ବର୍ଷର ପରୀକ୍ଷାର୍ଥିମାନେ ମଧ୍ୟ ମହାବିଦ୍ୟାଳୟରେ ବିଳମ୍ବରେ ପହନଚିଥିଲେ । ବେପରୁଆ ଗାଡି ଚାଳନା , ବିଶୃଙ୍ଖଳିତ ଓଭରଟେକ୍ , ରାସ୍ତାର ଦୂରାବସ୍ଥା, ରାସ୍ତାର କ୍ଷମତାଠାରୁ ଅଧିକ ଭାରୀଯାନ ଚଳାଚଳ ପ୍ରଭୃତି କାରଣ ଯୋଗୁ ଏହି ଟ୍ରାଫିକ ଜାମ୍ ସମସ୍ୟା ଉପୁଜୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଏପରିକି କିଛି ଯାତ୍ରୀବାହୀ ବସ୍ ର ଯାତ୍ରୀମାନେ ରାସ୍ତା ଅବରୋଧ କରିବେ ବୋଲି ମଧ୍ୟ ଅନ୍ଟା ଭିଡିଥିଲେ । ଯଦି ଏହିପରି ଅବସ୍ଥା ଲାଗି ରହେ ମାଟ୍ରିକ ପରୀକ୍ଷାର୍ଥୀମାନେ ପରୀକ୍ଷାରୁ ବଂଚିତ ହେବାର ଆଶଙ୍କା ଯଥେଷ୍ଟ ରହିଛି ।


