ଟ୍ରେକର ମାଲିକ ସଂଘ ପକ୍ଷରୁ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଛତ୍ରପୁର, (ଓ୍ବାଇଏନ୍ଏସ୍):ବର୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି । ଏହାକୁ ସମର୍ଥନ ଜଣାଇ ରାଜ୍ୟ ସରକାର ସମସ୍ତ ପ୍ରକାର ଗାଇଡଲାଇନ ପ୍ରଚଳନ କରିଛି । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଜିଲ୍ଲା ଗ୍ରୀନରୁ ରେଡ଼ ଜୋନ ହୋଇଛି । ସରକାରଙ୍କ ପକ୍ଷରୁ ରାସନ କାର୍ଡ଼ ହିତାଧିକାରୀ ଓ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ବାଦ୍ ପଡ଼ିଛନ୍ତି ଟ୍ରେକର ଚାଳକମାନେ । ଛତ୍ରପୁର ଟ୍ରେକର ମାଲିକ ସଂଘ ପକ୍ଷରୁ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ସରକାର ନିୟମାବଳିକୁ ସମ୍ମାନ ଜଣାଇ ଦୀର୍ଘଦିନ ଧରି ଘରେ ବସି ଆମର ପରିବାର ହନ୍ତସନ୍ତ ହୋଇସାରିଲେଣି । ତେଣୁ ଆମର ପରିବାର ଚଳିବା ନିମନ୍ତେ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏଥିରେ ଛତ୍ରପୁର ଟ୍ରେକର ମାଲିକ ସଂଘ ସଭାପତି ଏନ.କେ ରେଡ୍ଡି, ପ୍ରଫୁଲ କୁମାର ସ୍ୱାଇଁ, କେ.ରାମବାବୁ ଆଚାରୀ, ବୈରାଗୀ ବେହେରାଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।


