ଟ୍ରେନ ଯୋଗେ ଯିବେ ଋଷିକେଶ ଓ ହରିଦ୍ୱାର
ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୩ ସମ୍ପର୍କିତ ଏକ ବୈଠକ ଜିଲପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ୫ ଜିଲାରୁ ଆସୁଥିବା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଉତ୍ତମ ପରିଚାଳନା ଉପରେ ଶ୍ରୀ ଶିନ୍ଦେ ଗୁରୁତ୍ୱାରୋପ କରିଥିଲେ । ଚୟନ ହୋଇଥିବା ବରିଷ୍ଠ ନାଗରିକମାନେ ଆସନ୍ତା ୨୦ ତାରିଖରେ ବାଲେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବେ । ବାଲେଶ୍ୱର, ଭଦ୍ରକ ମୟୂରଭଂଜ, କେନ୍ଦୁଝର ଓ ଯାଜପୁରରୁ ମୋଟ ୯୭୦ ଜଣ ତୀର୍ଥଯାତ୍ରୀ ଓ ୩୦ ଜଣ ଏସକର୍ଟ ଏହି ଯାତ୍ରାରେ ସାମିଲ ହେବେ । ୧୯ ତାରିଖରେ ୫ ଜିଲାରୁ ବରିଷ୍ଠ ନାଗରିକମାନେ ବାଲେଶ୍ୱରରେ ପହଞ୍ଚିବେ । ସେମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ତୀର୍ଥଯାତ୍ରୀଙ୍କୁ ବିଧି ଅନୁସାରେ ସ୍ୱାଗତ ସହିତ ସମସ୍ତଙ୍କର ପଞ୍ଜୀକରଣ କରାଯିବ । ୧୯ ତାରିଖ ସଂଧ୍ୟାରେ ନୋସି ବିଜିନେସ ପାର୍କରେ ତୀର୍ଥଯାତ୍ରୀଙ୍କ ପାଇଁ ଭଜନ ସଂଧ୍ୟା ଆୟୋଜନ ନିଷ୍ପତ୍ତି ନିଆଯାଇଛି । ୨୦ ତାରିଖ ପୂର୍ବାହ୍ନରେ ତୀର୍ଥଯାତ୍ରୀମାନେ ହରିଦ୍ୱାର ଓ ଋଷିକେଶ ଯାତ୍ରା କରି ୨୫ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ । ଯାତ୍ରା ଆରମ୍ଭ ସମୟରେ ବାଲେଶ୍ୱର ରେଳ ଷ୍ଟେସନରେ ପାରମ୍ପରିରକ ବାଦ୍ୟ ଓ ନୃତ୍ୟ ମାଧ୍ୟମରେ ସେମାନଙ୍କୁ ବିଦାୟ କରାଯିବ । ଏହି ତୀର୍ଥଯାତ୍ରାକୁ ସୁବ୍ୟବସ୍ଥା କରିବା ନିମନ୍ତେ ଯଥେଷ୍ଟ ସ୍ୱେଚ୍ଛାସେବୀ, ପୁଲିସ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ, ଅତିରିକ୍ତ ପର୍ଯ୍ୟଟନ ନିର୍ଦ୍ଦେଶକ ଗଗନ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


