ଟ୍ୟାଙ୍କର ଧକ୍କାରେ ଯୁବକ ମୃତ ;ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ରାସ୍ତାରୋକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ୫ନମ୍ବର(କ) ଜାତୀୟ ରାଜପଥର କଜଳା ଗଡା ନିକଟରେ ସାଇକେଲରେ ରାସ୍ତା ଅତିକ୍ରମ କରୁଥିବା ଜନୈକ ଯୁବକଙ୍କୁ ଅନ୍ୟ ଏକ ଟ୍ୟାଙ୍କର ରଙ୍ଗରୁଟରେ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ । ସଂପୃକ୍ତ ଯୁବକଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଶଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯିବା ପରେ ବଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଯୁବକ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପଂଚାୟତର ମରଡପୁର ଗ୍ରାମର ହଳଧର ମଳିକଙ୍କ ପୁଅ କିଶୋର ମଳିକ(୨୫) । ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପହଁଚିବା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଧକ୍କାଦେଇଥିବା କଜଳା ଗଡା ନିକଟ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଥିଲା । ଖବର ପାଇ ସଦର ଥାନା ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା । ସଦର ଥାନା ପୋଲିସ ସଂପୃକ୍ତ ଧକ୍କାଦେଇଥିବା ଟ୍ୟାଙ୍କରଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।