ଠକାମୀର ଶିକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଭିନ୍ନ ପ୍ରକାର ଠକାମୀର ଶିକାର ହେଉଛନ୍ତି ଆଦିବାସୀ ଦଳିତ ତଥା ଅଶିକ୍ଷିତ ମହିଳା ଓ ପୁରୁଷ । ଆଦିବାସୀ ଅଞ୍ଚଳରେ ଅଶିକ୍ଷିତ ଲୋକଙ୍କୁ ଲୁଟୁଛନ୍ତି ସହରିଆ ଶିକ୍ଷିତ ଲୋକ । ଏଭଳି ଭାବେ ଭୁବନେଶ୍ୱରର କିଛି ଲୋକ ଦାରିଙ୍ଗବାଡ଼ି ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଦାରିଙ୍ଗବାଡ଼ି ବ୍ଲକର ରହିଥିବା ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତି ପରିଚାଳନା ପରିଷଦର ଅଫିସର କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍‌ ଠାରୁ ୪୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି । ମହିଳାଙ୍କୁ ଉକ୍ତ ବୁଣାକାର ସମବାୟ ସମିତିରେ ନିଯୁକ୍ତି ସହ ବିଭିନ୍ନ ସହାୟତା ପାଇବା ପାଇଁ ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଛନ୍ତି । ନିଯୁକ୍ତି ପରେ ଜଣକର ମାସିକ ଦରମା ୧୧ ହଜାର କରିବା ସହ ନୂଆ ବାଇକ,ଶାଢ଼ୀ,ମୋବାଇଲ ଦେବା ନେଇ ଲୋକଙ୍କୁ ପ୍ରଲୋଭନ ଦେଖେଇଥିଲେ । ଗୋଟିଏ ଗୋଟିଏ ଗ୍ରୁପର ସଭାପତି ଓ ସମ୍ପାଦକଙ୍କ ଠାରୁ ଗ୍ରୁପ ଗଠନ ପାଇଁ ୧୦୦୦ ଟଙ୍କା,ବାଇକର ଇନ୍ସ୍ୟୁରାନ୍ସ ବାବଦକୁ ୧୫ ହଜାର ଟଙ୍କା, ସାର୍ଟିଫିକେଟ ପ୍ରଦାନ ପାଇଁ ୯ ହଜାର ୬ ଶହ ଟଙ୍କା ଓ ପାସବୁକ୍‌ ଖୋଲିବା ପାଇଁ ୧୫ ଶହ ଟଙ୍କା ନେଇଥିବା ମହିଳା ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ।ଏପରିକି ଭୁବନେଶ୍ୱର ଯିବା ଆସିବା, ଖାଇବା ଓ ରହିବା ବାବଦକୁ ପ୍ରତି ଗ୍ରୁପର ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ସ୍ୱୟଂ ସହାୟକ ସଂଘର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଗୋଟିଏ ଗୋଟିଏ ଗ୍ରୁପରୁ ୪୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରୁ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ରାହେଲି,ମମତା, ଖାସ ଫାଉଣ୍ଡେସନ,ଗ୍ଲୋରି ,ନୀଳଗିରି,ଆରାବଳୀ, ଇମାନୁଏଲ,ଜିହ ବାଜିରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଠକାମୀର ଶୀକାର ହୋଇଥିବା ମହିଳା ମାନେ ନ୍ୟାୟ ପାଇବା ପାଇଁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ସହ ଟଙ୍କା ଠକି ନେଇଥିବା ଠକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ