ଡକାୟତି ଓ ହତ୍ୟା ମାମଲାରେ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ଡକାୟତି ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ନିମାପଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମାସ ୨୫ ତାରିଖରେ ହାଇଦ୍ରାବାଦ ଯାଉଥିବା ରାମଚଣ୍ଡୀ ଥାନା କାନପୁର ଗ୍ରାମର ଦୁଇ ଭାଇଙ୍କୁ ଗାଡ଼ି ଚଢାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଠାରୁ ଟଙ୍କା ଓ ସୁନା ଚେନ ଡକାୟତି ହୋଇଥିଲା ।ସ୍ଥାନୀୟ ଲୋକମାନେ ଦୁଇ ଭାଇଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲ କୁ ପଠାଇ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭାଇ ଗଙ୍ଗାଧର ଦାସ ଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ନିମାପଡ଼ା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଥିଲା ।ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପ୍ରଦୀପ୍ତ କୁମାର ଝୁଜାର ସିଂ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଅଂଚଳରେ ଚଢାଉ କରି ଏହି ଘଟଣା ରେ ସଂପୃକ୍ତ ଅତୁର ରହେମାନ ନାମକ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ପ୍ରକାଶ କରିଛନ୍ତି


