ଡକାୟତି ଯୋଜନା କରୁଥିବା ୫ ଆସାମୀଙ୍କୁ ଗିରଫ କଲା ପୋଲିସ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ରାତିରେ ବନ୍ତ ଥାନା ଅଧିନ ଟିଲୋ ବଡସାହି ଗ୍ରାମରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ୫ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୨ଟି ଭୁଜାଲୀ, ଗୋଟିଏ ଲୁହା ରଡ୍, ଟର୍ଚ୍ଚ ଲାଇଟ୍, ୩ଟି ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ ହୋଇଛି । ଏନେଇ ରବିବାର ଥାନାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଧାମନଗର ଏସ୍.ଡି.ପି.ଓ ବିଜୟକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଯୁବକ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ହରିପୁର ସାତଭଉଣୀର ଦୀପକ କୁମାର ବେହେରା(୨୫), ଚନ୍ଦନ କୁମାର ବାରିକ(୨୩), ବିଶ୍ୱେଶ୍ୱର ପରିଡା(୨୭), ଅନ୍ନପାଳର ଜିତେନ୍ଦ୍ର ଦାସ(୩୦), ଲାଙ୍ଗୁଡି ମହାଦେବ ସାହିର ସୁନୀଲ କୁମାର ନାୟକ(୨୧) ବୋଲି ଜଣାଯାଇଛି । ଏନେଇ ପୋଲିସ କେସ ନଂ-୧୧୧/୨୩ ମୂଳେ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ପୋଲିସ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ରାତି ସାଢେ ୧୧ଟା ବେଳେ ଟିଲୋ ଆଇ.ଟି.ଆଇ କେନାଲ ରୋଡ୍ ପଡିଆ ପାଖରେ କିଛି ଯୁବକ ମାରଣାସ୍ତ୍ର ଧରି ଡକାୟତି କରିବା ପାଇଁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା । ତତ୍କ୍ଷଣାତ୍ ପୋଲିସ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରିବା ବେଳେ ୫ ଜଣ ଯୁବକ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା । ସମସ୍ତ ଯୁବକ ମାନଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେମାନେ ଟିଲୋ ବଡସାହି ଗ୍ରାମରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ । ସମସ୍ତ ଆସାମୀ ମାନେ ପୂର୍ବରୁ ଘଟଗାଁ ଥାନା ଅଞ୍ଚଳରେ ବିଭିନ୍ନ ଚୋରି ସହିତ ସଂପୃକ୍ତି ଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଅପରପକ୍ଷେ ବନ୍ତ ଥାନା ଅଞ୍ଚଳରେ ପୂର୍ବରୁ ହୋଇଥିବା ବିଭିନ୍ନ ଚୋରି ସହିତ ଏମାନଙ୍କର ସଂପୃକ୍ତି ଅଛିକି ନାହିଁ ସେ ସଂପର୍କରେ ପୋଲିସ ତଦନ୍ତ କରୁଛି ବୋଲି ଜଣାଯାଇଛି । ମାତ୍ର ଗତ ଜୁନ୍ ୨୦ ରେ ଟିଲୋ ବଡସାହି ଗ୍ରାମରେ ୨ଟି ବଡ ଧରଣର ଚୋରି ଓ ଜୁନ୍ ୨୧ରେ ନିଳୋକ ପଞ୍ଚାୟତ ବାଇପୁର ଗ୍ରାମରୁ ବୋଲେରୋ ଚୋରି ଏବଂ ପଧାନପଡା ପଞ୍ଚାୟତ ନିମପଲ୍ଲୀ ଛକ ଠାରୁ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲୁଟ୍ କରିବା ଘଟଣାରେ ପୋଲିସକୁ କୌଣସି ସଫଳତା ମିଳି ପାରିନଥିବା ଜଣାଯାଇଛି ।