ଡକାୟତ ଉଦ୍ୟମ ପଣ୍ଡ: ୧୨ ଅପରାଧି ଗିରଫ

ଡକାୟତ ଉଦ୍ୟମ ପଣ୍ଡ: ୧୨ ଅପରାଧି ଗିରଫ
ଡକାୟତ ଉଦ୍ୟମ ପଣ୍ଡ: ୧୨ ଅପରାଧି ଗିରଫ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ପୋଲିସ୍ କୁ ମିଳିଛି ବଡ ସଫଳତା । ଦୁର୍ଦ୍ଦାନ୍ତ ଲୁଟେରା ମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ଆସିକା ଓ ବୁଗୁଡା ଥାନା ପୋଲିସ୍ ଟିମ୍ । ଗତକାଲି ବିଳମ୍ବିତ ରାତ୍ରିରେ ଆସିକା ଅଂଚଳରେ ଡକାୟତି ଯୋଜନା କରୁଥିବା ଏକ ୬ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ୍ କାବୁ କରିନେଇଛି । ସେହିପରି ବୁଗୁଡା ଥାନା ପୋଲିସ୍ ଅଂଚଳରେ ଡକାୟତି ଯୋଜନା କରୁଥିବା ଆଉ ଏକ ୬ଜଣିଆ ଗ୍ୟାଙ୍ଗକୁ ବୁଗୁଡା ପୋଲିସ୍ ଉଠାଇ ନେଇଛି । ପୋଲିସ୍ ସେମାନଙ୍କ ନିକଟରୁ ୪ଟି ପିସ୍ତଲ୍, ଗୋଟିଏ ଖେଳନା ବନ୍ଧୁକ, ୧୨ ରାଉଣ୍ଡ ଗୁଳି, ୧୨ଟି ବୋମା, ୩ଟିଖଣ୍ଡା, ୨ଟି କାତି, ୩ଟି ଛୁରୀ, ୧ଟି ଗୁପ୍ତି ଓ ପଞ୍ଚ ସହ ସେମାନଙ୍କ ନିକଟରୁ ୫୮ହଜାର ଟଙ୍କା ଜବତ କରିଛି । ଏହା ସହ ସେମାନେ ବ୍ୟବହାର କରୁଥିବା ୫ଟି ମୋଟର ସାଇକେଲକୁ ମଧ୍ୟ ଜବତ କରିଛି । ଏହି ଅପରାଧି ମାନେ ହେଲେ ଆସିକା କଲେଜ ଛକର ସନ୍ତୋଷ ନାହାକ (୩୨) , ଭେଟନଇଁ ର ସନ୍ତୋଷ ଜେନା(୨୭) , ଆସିକା କୁମ୍ଭାର ସାହିର ସଂଜୟ ବେହେରା (୩୬) , ଭେଟନଇଁର ତାପସ ରଂଜନ ସେନାପତୀ (୨୯) , ଆସିକା ମାମୁଢିଅ ପିଙ୍କୁ ସାହୁ (୨୪) , ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମ ବୁଚି ପାତ୍ର (୨୫) । ସେହିପରି ବୁଗୁଡା ଥାନା ପୁଲିସ ଗିରଫ କରିଥିବା ଆଉ ୬ଜଣ ଅପରାଧୀ ହେଲେ ଆସିକା ଭେଟନଇଁ ର ଶଙ୍କର ଦାସ (୨୮) , ଆସିକା ନୂଆଗାଁ ର ପ୍ରହ୍ଲାଦ କୁମାର ସାହୁ (୨୪) , ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମର ଶିବସେନାପତି (୨୮) , ହିଞ୍ଜିଳି ଗୋରୁହାଟର ଜମୀର ଖାଁ (୨୭) ଓ ଆସିକା ପାକଲା ପଲ୍ଲୀର ସାଇ ଶଙ୍କର ପୋଲାଇ (୩୧) । ସେମାନେ ଦୀର୍ଘ ଦିନ ହେଲା ଗଂଜାମ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଲୁଟ, ରାହାଜାନୀ, ଡକାୟତୀ, ଓ ଆକ୍ରମଣ ଆଦି ଅପରାଧ ମାନ ଘଟାଇ ଆସୁଥିଲେ । ବିଶେଷ କରି କେତକ ଫାଇନାନ୍ସ କଂପାନୀ, ଗୋରୁ ଚାଲାଣ ଓ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ଏମାନେ ଟାର୍ଗେଟ୍ କରିଥାନ୍ତି । ଗଂଜାମ ଜିଲ୍ଲାର ଆସିକା, ବୁଗୁଡା, ଗାଂଗପୁର, ବୋଲଗଡ ଆଦି ଥାନାରେ ସେମାନଙ୍କ ନାମରେ ୧୦ଟି ମାମଲା ରହିଛି ଓ ସେମାନେ ଏତେ ପରିମାଣର ପିସ୍ତଲ ଓ ଗୁଳି କେଉଁ ଠାରୁ ଆଣୁଥିଲେ ତାହାର ମଧ୍ୟ ତଦନ୍ତ କରାଯାଉଛି ବୋଲି ଗଂଜାମ ଏସ୍.ପି. ବ୍ରିଜେଶ କୁମାର ରାଏ ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଏସ୍.ପି ପତିତପାବନ ଚୈଧୁରୀ ,ଡି.ଏସ୍.ପି. ଏସ୍.ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ତାଙ୍କ ଟିମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ