ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଟ୍ରି ମ୍ୟାନ ଅଫ ଦି ଇଣ୍ଡିଆ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଟ୍ରି ବ୍ୟାଙ୍କ ସ୍ଥାପନ, ପଶୁପକ୍ଷୀ ଆଦିଙ୍କ ସୁରକ୍ଷା ନିମନ୍ତେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ଗଠନ କରି ଦେଶ ବିଦେଶରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ୧୨୩ତମ ମହତାବ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଟ୍ରି ମ୍ୟାନ ଅଫ ଦି ଇଣ୍ଡିଆ ସମ୍ମାନ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ବୃକ୍ଷରୋପଣ ଓ ପରିବେଶ ସୃଷ୍ଟି ଆଦି କାର୍ଯ୍ୟରେ ଡକ୍ଟର ଶ୍ରୀଚନ୍ଦନ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ଉଦ୍ୟମରେ ଲକ୍ଷାଧିକ ବୃକ୍ଷରୋପଣ ସହ ବହୁ ଜଙ୍ଗଲ ସୁରକ୍ଷା ଓ ବହୁ ଲଣ୍ଡା ପାହାଡ଼ ସବୁଜିମା ହୋଇପାରିଛି । ବିଶେଷକରି ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଶାଳ-ଶାଗୁଆନ ଜଙ୍ଗଲ ଦାମିଆ ବର୍ବରା ସୁରକ୍ଷା ଅଭିଯାନ, ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଲବଣାକ୍ତ ହ୍ରଦ ଚିଲିକାର ପକ୍ଷୀ ସୁରକ୍ଷା ସହ ଜୈବ ବିବିଧତାର ସୁରକ୍ଷା ଅଭିଯାନ, ଚନ୍ଦକା ଅଭୟାରଣ୍ୟର ସୁରକ୍ଷା, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ୧୦ ହଜାରରୁ ଅଧିକ ବୃକ୍ଷରୋପଣ, କମାଗୁରୁ କଲେଜ ପରିସରରେ ୫ ହଜାରରୁ ଅଧିକ ବୃକ୍ଷରୋପଣ ତାଙ୍କ କାର୍ଯ୍ୟକ୍ରମର ଗୋଟିଏ ଗୋଟିଏ ନମୂନା । ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଡକ୍ଟର ଶ୍ରୀଚନ୍ଦନ କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଥିବା ବେଳେ ଜାତୀୟ ସେବା ଯୋଜନାର ସର୍ବଭାରତୀୟ ଅଧିକାରୀ ପ୍ରଫେସର ବି. ଆର.କେ ରାଜୁଙ୍କ ଦ୍ୱାରା ସମ୍ମାନିତ ହେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଗ୍ରୀନମ୍ୟାନ୍‌, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ଭାରତ ଗଛ ପୁରୁଷ, ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଠାରୁ ଗଛ ସାର୍‌, ପୂର୍ବତନ ରାଜ୍ୟପାଳ ଏସ୍‌.ସି ଜମୀଙ୍କ ଠାରୁ ଗଛ ମଣିଷ, ପୂର୍ବତନ ରାଜ୍ୟପାଳ ରାମେଶ୍ୱର ଠାକୁରଙ୍କ ଠାରୁ ସବୁଜ ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ସବୁଜ ସାଥୀ ଆଦି ସମ୍ମାନ ପାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଅନୁଷ୍ଠାନ ଦ୍ୱାରା ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଡକ୍ଟର ଶ୍ରୀଚନ୍ଦନ ସମ୍ମାନିତ ହୋଇଛନ୍ତି । ଏହି ଉତ୍ସବରେ ମହତାବ ଜୟନ୍ତୀ କମିଟିର ସମ୍ପାଦକ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଡ଼ଡ଼େଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ