ଡିଜିଟାଲ ଡିଟକ୍ସ କ୍ୟାମ୍ପେନ୍
ସାରା ବିଶ୍ବରେ ବଢ଼ି ଚାଲିଥିବା ମୋବାଇଲ୍ ଫୋନ୍, କମ୍ପ୍ୟୁଟର, ଗ୍ୟାଜେଟ୍ ଓ ଇଣ୍ଟରନେଟ୍ କେବଳ ମଣିଷର କାମକୁ ସହଜ କରିବା ପାଇଁ ତିଆରି ହୋଇଥିବାବେଳେ ଏବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଏପରି ସ୍ଥିତି ଉପୁଜିଛି ଯେ ଲୋକେ ଏହି ଗ୍ୟାଜେଟସ୍ର ଦୁଷ୍ପରିଣାମ ସମ୍ପର୍କରେ ଆଲୋଚନା କରିବାରେ ଲାଗିଛନ୍ତି। ପୂରା ବିଶ୍ବରେ ଏବେ ଡିଜିଟାଲ ଡିଟକ୍ସ ସମ୍ପର୍କରେ ଲୋକେ କଥା ହେଉଛନ୍ତି। ଏବେ ଏପରି ଏକ ସମୟ ଆରମ୍ଭ ହୋଇଛି, ଯେଉଁଥିରେ ଲୋକେ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡିଜିଟାଲ ଡିଟକ୍ସର ସାହାରା ନେଉଛନ୍ତି।
ଏବେ ସାରା ବିଶ୍ବରେ ଲୋକଙ୍କୁ ମୋବାଇଲ୍ ଫୋନ୍ ଅଭ୍ୟାସରୁ ମୁକ୍ତି ଦେବା ପାଇଁ ଡିଜିଟାଲ ଡିଟକ୍ସ କ୍ୟାମ୍ପେନ୍ ଚାଲିଛି। ଏହା ଅନୁଯାୟୀ ଡିଜିଟାଲ ଡିଟକ୍ସ କ୍ୟାମ୍ପସ୍ (ଇଣ୍ଟରନେଟ୍ ନିଶା ମୁକ୍ତ କେନ୍ଦ୍ର) ଲୋକଙ୍କୁ ସେମାନଙ୍କ ଡିଜିଟାଲ ଉପକରଣ ଅଭ୍ୟାସଠାରୁ ଦୂରେଇ ରହିବା ପାଇଁ କାମ କରୁଛି। ଏଠାରେ ଲୋକଙ୍କୁ ମୋବାଇଲ୍ ଫୋନ୍, କମ୍ପ୍ୟୁଟର, ଗ୍ୟାଜେଟ୍ସ ଓ ଇଣ୍ଟରନେଟ୍ଠାରୁ ଦୂରରେ ରଖି ଲୋକଙ୍କ ସହିତ ମିଳିମିଶି ରହିବା ଓ ସେମାନଙ୍କୁ ସାକ୍ଷାତ କରି କଥା ହେବା ଲାଗି ପ୍ରୋତ୍ସାହିତ କରାଯାଏ। କେତେକ କ୍ୟାମ୍ପସ୍ରେ ଡିଜିଟାଲ ଉପକରଣରୁ ଦୂରେଇ ରଖିବା ଲାଗି କଠୋର ନିୟମ ପାଳନ କରାଯାଏ। କିନ୍ତୁ କେତେକ କ୍ୟାମ୍ପସ୍ରେ କିଛିଟା ନରମ ବ୍ୟବହାର କରାଯାଏ। ରୋଚକ କଥା ହେଉଛି ଅନେକ ସମୟରେ ମା’ବାପାମାନେ ସେମାନଙ୍କ ପିଲାଙ୍କ ଇଣ୍ଟରନେଟ୍ ଅଭ୍ୟାସ ଛଡ଼ାଇବା ଲାଗି ମଧ୍ୟ ଏଭଳି ଇଣ୍ଟରନେଟ୍ ନିଶାମୁକ୍ତ କେନ୍ଦ୍ରକୁ ସେମାନଙ୍କୁ ପଠାଇ ଥାଆନ୍ତି।
ସାରା ବିଶ୍ବରେ ଏବେ ଡିଜିଟାଲ ଉପକରଣ ପାଇଁ ହେଉଥିବା ରୋଗ ଓ ସମସ୍ୟା ସମ୍ପର୍କରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ଗବେଷଣାରୁ ଜଣାପଡ଼ୁଛି। ଅଧିକାଂଶ ଗବେଷଣାରେ ଏହିସବୁ ଉପକରଣକୁ ସବୁବେଳ ପାଇଁ ସାମାଜିକ ରୂପରେ କ୍ଷତିକାରକ ବୋଲି କୁହାଯାଉଛି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ୍ ଫୋନ୍ଠାରୁ ଦୂରେଇ ରହିବା ଫଳରେ ୧୮ ପ୍ରତିଶତ ଲୋକଙ୍କ ମନର ଶାନ୍ତି, ୧୪ ପ୍ରତିଶତ ଲୋକଙ୍କୁ ଆରାମ, ୧୦ ପ୍ରତିଶତ ଲୋକଙ୍କୁ ଖୁସି ଓ ୬ ପ୍ରତିଶତ ଲୋକଙ୍କୁ ସ୍ବାଧୀନତା ଅନୁଭବ ହୋଇଥାଏ। ମନୋବୈଜ୍ଞାନିକମାନେ ସବୁବେଳେ ଗ୍ୟାଜେଟ୍ଠାରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥାନ୍ତି।


