ଡିସେମ୍ବର ମାସରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦୧୩ ମସିହା ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନକୁ ରଦ୍ଦ କରାଯାଇ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି ସହ ବାର୍ଷିକ ଇନ୍‌କ୍ରିମେଣ୍ଟ ଦେଇ ସେମାନଙ୍କୁ ନିୟମିତ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନା ଚୁକ୍ତିଭିତ୍ତିକ ନିଯୁକ୍ତି ବାତିଲ୍ ହୋଇଛି ନା ନିୟମିତ ହୋଇଛନ୍ତି ଚୁକ୍ତିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ । ୨୦୦୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି ଏବଂ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଯେଉଁମାନେ ଓଡ଼ିଶାର ଆର୍ଥିକ ସଙ୍କଟ ସମୟରେ ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ କାର୍ଯ୍ୟ କରି ସରକାରଙ୍କ ରାଜକୋଷକୁ ଭରଣା କଲେ, ସେମାନଙ୍କୁ ସରକାର ଅଣଦେଖା କରିଛନ୍ତି । ଅନ୍ୟ ବିଭାଗର ୫୬ ହଜାର କର୍ମଚାରୀଙ୍କ ୬ ବର୍ଷର ଚୁକ୍ତିକାଳକୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ଗଣନା କରାଯାଇଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ବେତନ ଦିଆଯାଉଥିବା ବେଳେ ଆମ ରାଜ୍ୟରେ ମାତ୍ର ୨୨୦୦ ଟଙ୍କା ଗ୍ରେଡ୍‌ପ ଦେଇ ୭ମ ବେତନ କମିଶନ ସଂଶୋଧନ କରାଯାଇଛି । ଯାହଦ୍ୱାରା ପ୍ରାଥମିକ ଶିକ୍ଷକମାନଙ୍କ ଦରମା ସବୁଠାରୁ ସର୍ବନିମ୍ନ ହୋଇଛି । ଗଣଶିକ୍ଷକମାନଙ୍କୁ ଓ ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ରଭୁକ୍ତ କରାଯାଉ ନାହିଁ କିମ୍ବା କଳାକ୍ରିଡ଼ା ଶିକ୍ଷକମାନଙ୍କ କ୍ୟାରିୟର ଆଡ଼ଭାନ୍ସମେଣ୍ଟ ପଲିସି ନିର୍ଦ୍ଧାରଣ ନକରିବା ଯୋଗୁ ସେମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରାଥମିକ ଶିକ୍ଷକମାନେ ୨୦୧୭ ମସିହାରେ କେନ୍ଦ୍ରୀୟ ହାରରେ ଦରମା ଓ ୬/୮ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ମୂଳ ଚାକିରିରେ ଇନ୍‌କ୍ରିମେଣ୍ଟ ଦେଇ ଗଣନା କରିବା ପାଇଁ ଆନ୍ଦୋଳନ କରିଥିଲେ । କିନ୍ତୁ ସରକାର ଏହି ମୌଳିକ ଦାବିକୁ ପୂରଣ କରିବା ପରିବର୍ତ୍ତେ କେବଳ କ୍ୟାଡ଼ର ସଂଶୋଧନ କରିଥିଲେ । ଯାହାଦ୍ୱାରା ମୌଳିକ ଦାବୀ ପୂରଣ ହେଉନି କିମ୍ବା ସମସ୍ତ ଶିକ୍ଷକ ପଦ୍ନୋତି ମଧ୍ୟ ପାଇପାରୁ ନାହାଁନ୍ତି । ଶିକ୍ଷକମାନଙ୍କର ଦାବୀ କ୍ୟାଡ଼ର ସଂଶୋଧନ ନୁହେଁ ବରଂ ମୌଳିକ ଦାବୀ ପୂରଣ କରିବା ଆବଶ୍ୟକ । ୩ ଦଫା ଦାବୀରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଶିକ୍ଷକ ନେତୃତ୍ୱଙ୍କ ସହିତ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପାଇଲା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିଥିଲେ । କିନ୍ତୁ ପ୍ରତିଶ୍ରୁତିର ୧୦ ମାସ ବିିତିଯାଇଥିଲେ ମଧ୍ୟ ସରକାର ଶିକ୍ଷକମାନଙ୍କ ଦାବୀକୁ ପୂରଣ କରିନଥିଲେ । ତେଣୁ ରାଜ୍ୟର ପ୍ରଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସବୁବର୍ଗର ଶିକ୍ଷକ ବାଧ୍ୟ ହୋଇ ଚଳିତବର୍ଷ ସେପ୍ଟେମ୍ବର ମାସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା କଲା ପରେ ଶିକ୍ଷକମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଅଦ୍ୟାବଧି ୩ ମାସ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର ଦାବୀ ପରଣ କରାଯାଉ ନାହିଁ । ସରକାରଙ୍କ ପ୍ରତିଶ୍ରୁତି ହିଁ ପ୍ରତିଶ୍ରୁତିରେ ରହିଯାଉଛି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା, ୬/୮ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ୬/୮ଟି ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା, ଠିକା ଓ ଚୁକ୍ତିଭିତ୍ତିକ ନିଯୁକ୍ତି ବାତିଲ କରିବା, କଳାକ୍ରିଡ଼ା ଶିକ୍ଷକମାନଙ୍କର କ୍ୟାରିୟର ଆଡ଼ଭାନ୍ସମେଣ୍ଟ ପଲିସି କରିବା, ଗଣଶିକ୍ଷକ ଓ ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ରଭୁକ୍ତ କରିବା ଓ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଦାବୀଗୁଡ଼ିକୁ ସରକାର ଏକ୍ସମାସ ପୂର୍ବରୁ ପୂରଣ ନକଲେ ବାଧ୍ୟ ହୋଇ ଆମ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସବୁବର୍ଗର ପ୍ରଥମିକ ଶିକ୍ଷକ ମିଳିତ ଭାବରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପିଷ୍ଟାର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଶ୍ରୀକାନ୍ତ ବାରିକ, ଜନ୍ମେଜୟ ମାଝୀ, ଦିଲ୍ଲୀପ ମିଶ୍ର, ଆଭାଲିନ ପରିଡ଼ା, ସୁଧାଂଶୁ ଭୂଷଣ ନାୟକ, ଜ୍ୟୋତିପ୍ରକାଶ ଷଡ଼ଙ୍ଗୀ, ରଶ୍ମୀରଞ୍ଜନ ଧଳ, ମାନସ ପରିଡ଼ା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ