ଡିସେମ୍ବର ୧ ରୁ କଡାକଡି ହେବ ମୋଟରଯାନ ଆଇନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ସରକାର ୨୦୧୯ ମୋଟର ଯାନ ଆଇନକୁ ୩ ମାସ କୋହଳ କରିଥିବା ବେଳେ ଏହାର ଅବଧି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୧ ତାରିଖ ଠାରୁ ନୂତନ ନିୟମକୁ କଡା କଡି ପାଳନ ହେବାକୁ ଯାଉଛି । ଏହା ଫଳରେ ଚାଳକ ମାନଙ୍କ ମନରେ ଏକ ପ୍ରକାଣ ଛନକା ଭୟ ଦେଖାଦେଲାଣି । ଏଥି ସହ ସହର ଓ ନିକଟବର୍ତି ଗ୍ରାମାଂଚଳରେ ବେପାରୁଆ ଓ ବିନା ଲାଇସେନ୍ସରେ ବାଇକ ଚାଳନା କରି ଲୋକଙ୍କୁ ମରଣ ମୁହଁକୁ ନେଉଥିବା କିଛି ଯୁବକ ଓ ରୋଡ଼ ରୋମିଓ ମାନଙ୍କ ଉପରେ ଅଙ୍କୁଶ ଲାଗୁ ୨୦୧୯ ନୂତନ ମୋଟର ଯାନ ଆଇନଲାଗୁ ହେବା ଫଳରେ ରୋଡ ରୋମିଓ ମାନେ ସାବାଡ ହେବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ହିଂଜିଳି ଥାନା ଅଂଚଳରେ ଦୂର୍ଘଟଣାରେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିବାର ଜଣାପଡ଼ିଛି । ଆସନ୍ତା ୧ ତାରିଖ ଠାରୁ ପୁଣି ନୂଆଁ ମୋଟର ଯାନ ଆଇନ ସାଙ୍ଗକୁ ନୁଆଁ ଫାଇନ ଏମାନଙ୍କୁ ସାବାଡ଼ କରିବ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫ ହଜାର, ମୋବାଇଲରେ ଗପି ଗପି ଗାଡ଼ି ଚାଳନା କଲେ ୫ ହଜାର, ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୦ ହଜାର, ୨ୟ ଥର ସକାଶେ ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୫ ହଜାର, ବାଇକରେ ୩ ଜଣ ବସିଥିଲେ ୧ ହଜାର, ଇନସୁରାନ୍ସ ନଥିଲେ ୨ହଜାର, ପରମିଟ ନଥିଲେ ୧୦ ହଜାର, ବାଇକ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ ୧ ହଜାର, ନାବାଳକ ଗାଡ଼ି ଚଲାଇଲେ ୨୫ ହଜାର, ଦୃତଗତିରେ ବାଇକ ଚାଳନା କଲେ ୨ହଜାର ଓ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା ଲାଗିବାର ନିୟମ ରହିଛି ବୋଲି ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆଇଆଇସି ଦାସ ବ୍ଳ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ହିଂଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ୨ ଟି ଟିମ୍ ଗଠନ କରାଯାଇଛି । ଗତ ୧ ତାରିଖ ସକାଳ ୧୦ ଠାରୁ ସହରର ପୃଥକ ପୃଥକ ସ୍ଥାନରେ ତନଖି କରାଯାଇ ନିୟମ ଅବମାନନା କରୁଥିବା ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହାକୁ ଆଖି ଆଗରେ ରଖି ଗାଡ଼ି ମାଲିକ ମାନେ ନିଜ ନିଜ ଗାଡ଼ିର କାଗଜ ପତ୍ର ଯୋଗାଡ଼ କରିବା ସହ ହେଲମେଟ କିଣା ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି ।


