ଡିସେମ୍ବର ୯ରୁ ୧୨ ତାରିଖ ଚିନ୍ମୟ ମିଶନର ଜ୍ଞାନଯଜ୍ଞ (ପ୍ରବଚନ) କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ଚିନ୍ମୟ ମିଶନର ବାଲେଶ୍ୱର ଶାଖା ପକ୍ଷରୁ ଆସନ୍ତା ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ମୋତିଗଞ୍ଜ ବଜାରସ୍ଥିତ ରାଜସ୍ଥାନ ଭବନରେ ଜ୍ଞାନଯଜ୍ଞ (ପ୍ରବଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିଦିନ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଧ୍ୟାନସିଦ୍ଧାନ୍ତ ଅଭ୍ୟାସ ଯୋଗ ଓ ସନ୍ଧ୍ୟା ୬ଟା ୩୦ରୁ ୮ଟା ପର୍ଯ୍ୟନ୍ତ ‘ପ୍ରେମ ରହସ୍ୟ (ନବଧା ଭକ୍ତି), ଭକ୍ତି କ’ଣ ଓ କେତେ ପ୍ରକାର? ଶ୍ରେଷ୍ଠ ଭକ୍ତି କ’ଣ? ଭଗବାନ କିଏ? ପାରିବାରିକ ସମ୍ପର୍କକୁ କିପରି ଉନ୍ନତ କରିପାରିବା? କାର୍ଯ୍ୟକ୍ଷେତ୍ରରେ ସଫଳତା କିପରି ମିଳିବ? ମାନସିକ ଚାପରୁ କିପରି ମୁକ୍ତ ହେବା?’ ପ୍ରଭୃତି ସମସ୍ୟା ଓ ସମାଧାନ ଉପରେ କୋଏମ୍ବାଟୁର (ତାମିଲନାଡ଼ୁ) ଆଚାର୍ଯ୍ୟା ପ୍ରବକ୍ତା ସ୍ୱାମୀନୀ ବିମଳାନନ୍ଦା ସରସ୍ୱତୀ ଭାରତୀୟ ସଂସ୍କୃତି ଆଧାରରେ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିବେ । ପ୍ରବକ୍ତା ସ୍ୱାମିନୀ ଇଂଜିନିୟରିଂ ଡିଗ୍ରୀ ପ୍ରାପ୍ତ କରିବା ପରେ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦଜୀଙ୍କର ଜଣେ ପ୍ରମୁଖ ଶିଷ୍ୟା ଥିଲେ । ଚିନ୍ମୟ ମିଶନର ବେଦାନ୍ତ ପାଠ୍ୟକ୍ରମରେ ସେ ଶିକ୍ଷାସମାପ୍ତ ପରେ ଦୀର୍ଘ ୨୫ ବର୍ଷ ଧରି ଦେଶ ଓ ବିଦେଶରେ ଏହି ଆଧ୍ୟାମିôକ ଶିକ୍ଷାପ୍ରଦାନ କରିଆସୁଛନ୍ତି । ତେଣୁ ବାଲେଶ୍ୱରର ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ମିଶନ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହ ସମ୍ମୁଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।ସାମ୍ବାଦିକମାନଙ୍କୁ ଏହି ଭବ୍ୟ କାର୍ଯ୍ୟକ୍ରମ ସଂପର୍କରେ ବାଲେଶ୍ୱର ଚିନ୍ମୟ ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାଶ, ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ଉପସଭାପତି ଅକ୍ଷୟ କୁମାର ତ୍ରିପାଠୀ, ସଂପାଦକ ଦିବାକର ମହାପାତ୍ର, ସଂଯୋଜକ ଡାକ୍ତର ଗଣେଶ ଚନ୍ଦ୍ର ପରିଡ଼ା ଓ କୋଷାଧ୍ୟକ୍ଷ ଗଙ୍ଗାଧର ପୃଷ୍ଟି ପ୍ରମୁଖ ଅବଗତ କରାଇଥିଲେ । ଚିନ୍ମୟ ମିଶନର ସଦସ୍ୟ ଇଂ. ବନମାଳୀ ନାୟକ, ପ୍ରଫୁଲ୍ଲ କୁମାର ଦାସ, ଡ. ବେଣୁମାଧବ ଶତପଥୀ, ବସନ୍ତ କୁମାର ନାୟକ, ରବିନାରାୟଣ ଭୋଳ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।