ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକଙ୍କ ହତ୍ୟା ଉପରୁ ପରଦା ହଟିଲା, ଦୁଇ ହଜାର ଟଙ୍କା ପାଇଁ ହତ୍ୟା କରିଥିବା ସ୍ୱୀକାର କଲା ହତ୍ୟାକରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣା ଘଟଣା ଉପରୁ ପରଦା ହଟିଛି । ହତ୍ୟାର ୧୮ଦିନ ପରେ ନନ୍ଦିପଦା ପୁଲିସକୁ ଏକ ବଡ ସଫଳତା ମିଳିଥିବାବେଳେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୋସୋ ଥାନା ଢ଼େଙ୍କା ପଞ୍ଚାୟତର କଣିଆରୀ ଗ୍ରାମର ଅରୁପ କୁମାର ଜେନା (୨୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାରୀ ଯୁବକ ଜଣକ ମାତ୍ର ଦୁଇ ହଜାର ଟଙ୍କା ପାଇଁ ଉକ୍ତ ଶିକ୍ଷକଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀଟିକୁ ହତ୍ୟାକରୀ ଅରୁପ ଗତ ନଭେମ୍ବର ୧୧ତାରିଖରେ ଅନଲାଇନ ମାଧ୍ୟମରେ ମଗାଇ ଥିବାବେଳେ ୧୪ତାରିଖରେ ସେହି ଛୁରୀରେ ଶିକ୍ଷକଙ୍କୁ ହତ୍ୟାକରିଥିଲା । ହତ୍ୟାକରୀ ଯୁବକ ଜଣକ ଶିକ୍ଷକଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରଖି ଆସୁଥିବା ଜଣାଯାଇଛି । ୧୩ତାରିଖ ରାତିରେ ସେ ଶିକ୍ଷକଙ୍କ ସହିତ ସ୍କୁଟିରେ ତାଙ୍କ ଘରୁ ଆସି ଶିକ୍ଷକଙ୍କ ରୁମରେ ସାଙ୍ଗରେ ଶୋଇଥିବାବେଳେ ଶିକ୍ଷକଙ୍କୁ ଦୁଇ ହଜାର ଟଙ୍କା ମାଗିଥିଲା । ମାତ୍ର ଶିକ୍ଷକ ଜଣକ ତୋ ବାପା ୫ହଜାର ନେଇଛଇ ତାକୁ ଫେରାଇ ନାହିଁ, ତେଣୁ ମୁଁ ଆଉ ଟଙ୍କା ଦେବିନି ବୋଲି ମନା କରିବାପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ଅରୁପକୁ ପୁଲିସର ଭୟ ଦେଖାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅରୁପ ପାଖରେ ପଡିଥିବା ଏକ ହେମଦସ୍ତା ବାଡିରେ ଶିକ୍ଷକଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା । ଶିକ୍ଷକ ଜଣକ କାଳେ ବଞ୍ଚିଯିବ ଭାବି ପୁନର୍ବାର ପାଖରେ ରଖିଥିବା ଛୁରୀରେ ଶିକ୍ଷକଙ୍କ ବେକ, ପେଟକୁ ଭୁଷି ହତ୍ୟା କରିଥିଲା । ମାରିବାପରେ ସେ ଶିକ୍ଷକଙ୍କ ବେକରୁ ସୁନା ଚେନ, ହାତରୁ ମୁଦି ଖୋଲିନେଇ ବାହାରୁ ତାଲା ପକାଇ ଶିକ୍ଷକଙ୍କ ସ୍କୁଟିକୁ ନେଇ ପଳାଇଥିଲା । ପୁଲିସ ହତ୍ୟାକରୀ ଅରୁପ ନିକଟରୁ ଶିକ୍ଷକଙ୍କ ପିନ୍ଧା ମୁଦିକୁ ଜବଦ କରିଥିବାବେଳେ ସୁନା ଚେନଟିକୁ ଜବଦ କରିବାକୁ ଚେଷ୍ଟା ଜାରି ରଖିଥିବା ଏସଡିପିଓ ପ୍ରଶାନ୍ତ କୁମାର ବେହେରା ସୁଚନା ଦେଇଛନ୍ତି । ଶିକ୍ଷକଙ୍କ ମୋବାଇଲ ଟିକୁ ସେ କରିଆରୀ ଗାଁରେ ଥିବା ଏକ ପୋଖରୀକୁ ଫିଙ୍ଗି ଦେଇଥିବା ପୁଲିସ କହିଛି । ସେ ହତ୍ୟା କରିସାରି ଯିବାବେଳେ ବାଟରେ ସଢ଼ା କେନାଲରେ ପୁରା ପାଣି ଥିବାରୁ ତା ମଧ୍ୟକୁ ସ୍କୁଟିଟିକୁ ପାଣିରେ ଭଷାଇ ଦେଇଥିଲା । ଯାହାକୁ କି ପୁଲିସ ଘଟଣାର ୧୪ଦିନ ପରେ ହାଟଡିହି ଅଗ୍ନିଶମ ବିଭାଗ ସହାୟତାରେ ସଢ଼ା କେନାଲ ଭିତରୁ ସ୍କୁଟିକୁ ଉଦ୍ଧାର କରିଥିଲା । ଅରୁପ ସଂପୃକ୍ତ ଶିକ୍ଷକଙ୍କ ନିକଟରେ ଶିକ୍ଷାଲାଭ କରୁଥିଲା ଓ ଜଣେ ପୁରାତନ ଛାତ୍ର ଥିଲା ବୋଲି ଜଣାଯାଇଛି । ବିଶେଷକରି ଶିକ୍ଷକଙ୍କ ଚାରିତ୍ରିକ ଦୋଷରୁ ଅନେକ ପିଲା ନଷ୍ଟ ହୋଇଯାଉଥିବାରୁ ଏହାକୁ ନେଇ ଅରୁପ ମନରେ ଶିକ୍ଷକଙ୍କ ବିରୁଦ୍ଧରେ ଘୃଣାଭାବ ଯାତ ହେବାସହ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେ ଏକ ପ୍ରକାର ନିଷ୍ପତି ନେବା ସହିତ ହତ୍ୟାପାଇଁ ଅନଲାଇନରେ ଛୁରୀ ମଗାଇଥିଲାବୋଲି ଆଲୋଚନା ହେଉଛି ।
ଏଠାରେ ସୁଚନା ଯୋଗ୍ୟ ଯେ ଗତ ନଭେମ୍ବର ମାସ ୧୩ତାରିଖ ରବିବାର ରାତିରେ ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଥିବା ଅନିରୁଦ୍ଧ ସ୍ୱାଇଁଙ୍କୁ ମରୈଗାଁ ଛକରେ ଥିବା ତାଙ୍କ ଭଡାଘରେ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ହତ୍ୟାକାରୀ ହତ୍ୟାକାଣ୍ଡ ସ୍ଥଳରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ଏକ ହାତରେ ପିନ୍ଧା ଷ୍ଟିଲବଳା ଛାଡି ଦେଇ ଯାଇଥିବାରୁ ତାହାକୁ ନେଇ ତଦନ୍ତକୁ ଆଗେଇଥିଲା । ମୃତ ଶିକ୍ଷକଙ୍କ ଭାଇଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ପୁଲିସ ଥାନା କେସନଂ-୨୭୭/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ