ଢେଙ୍କିକୋଟ୍ ଅଂଚଳରେ ଭିତିରିଆ ଚାଲିଛି ଗ୍ୟାସ୍ କଳାବଜାରୀ
ଘଟଗାଁ,(ନାରାୟଣ ପଲାଇ):କେନ୍ଦ୍ର ସରକାର ଘରର ରୋଷେଇ କାର୍ଯ୍ୟରେ ମହିଳା ମା ମାନଙ୍କର ସୁବିଧା ପାଇଁ ଘରେ ଘରେ ଗ୍ୟାସ୍ ଯୋଗାଉଥିବା ବେଳେ ଅନେକ ସ୍ଥାନରେ ଲୋକେ ଅଜାଣତରେ ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏଭଳି କିଛି ଅଭିଯୋଗ ଆସି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଅଂଚଳରେ । ଆଜକୁ ପ୍ରାୟ ଚାରି ବର୍ଷରୁ ଉର୍ଦ୍ଧ୍ୱ ହେବ ଦିନବନ୍ଧୁ ଭାରତ୍ ଗ୍ୟାସ୍ ଗ୍ରାମୀଣ ବିତ୍ରକ ନାମରେ ପଂଜିକୃତ ଗ୍ୟାସ୍ ଏଜେନ୍ସି ଢେଙ୍କିକୋଟ ଅଂଚଳରେ କଳାବଜାରୀ ବେପାରୀଙ୍କୁ ଗ୍ୟାସ୍ ଦେଇ ଅଧିକ ଦରରେ ବିକ୍ରି କରି ଉଭୟ ଗ୍ୟାସ୍ ଏଜେନ୍ସି ମାଲିକ ଏବଂ ବେପାରୀ ମାଲେମାଲ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ସମ୍ପୁର୍ଣ୍ଣ ଖବର ଅନୁସାରେ ଆଜକୁ ୪ବର୍ଷ ପୂର୍ବରୁ ହରିଚନ୍ଦନପୁରସ୍ଥିତ ଭଗାମୁଣ୍ଡାରେ ଥିବା ଦିନବନ୍ଧୁ ଭାରତ୍ ଗ୍ୟାସ୍ ଗ୍ରାମିଣ ବିତ୍ରକ ଢେଙ୍କିକୋଟ୍ ଅଂଚଳରେ ଲୋକମାନଙ୍କୁ ଗ୍ୟାସ୍ ଦେବା ଆରମ୍ଭ କରିଥିଲା । ତେବେ କିଛି ମାସ କରିବା ପରେ ଉକ୍ତ ଗ୍ୟାସ୍ ଏଜେନ୍ସି ଅତି ଚୁରତାର ସହ ଢେଙ୍କିକୋଟ ମାର୍କେଟ୍ ଉପରେ ଥିବା ଜଣେ ବେଣୁଧର ସାହୁ ନାମକ ବ୍ୟକ୍ତିଙ୍କୁ ପ୍ରତ୍ୟେକ ସପ୍ତାହରେ ଦୁଇଦିନ ଆସି ଗ୍ୟାସ୍ ଦେଇ ଚାଲିଯାଉଥିଲା । ଯାହାଫଳରେ ବେଣୁଧର ସାହୁ ଗ୍ୟାସ୍ ସିଲିଣ୍ଡରସବୁ ବେଆଇନ୍ ଭାବେ ଗୋଟିଏ ଗୋଦାମ୍ ଗୃହରେ ରଖି ଖୁଲମଖୁଲା ସିଲିଣ୍ଡର ପିଛା ସରକାରଙ୍କ ଦରଠାରୁ ୮୦ ରୁ ୧୦୦ଟଙ୍କା ଅଧିକ ଦରରେ ହିତାଧିକାରୀଙ୍କୁ ବିକ୍ରି କରିଆସୁଅଛି ବୋଲି ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି କଳାବଜାରୀ ଧନ୍ଦାରେ ଉଭୟ ଗ୍ୟାସ୍ ଏଜେନ୍ସି ମାଲିକ ଏବଂ ବେପାରୀ ମାଲେମାଲ୍ ହେଉଥିବା ବେଳେ ଗ୍ୟାସ୍ ହିତାଧିକାରୀ ମାନେ ଠାକାମିର ଶିକାର ହେଉଥିଲେ ଏବଂ ଆଜି ପର୍ଯ୍ୟନ୍ତ ଠାକାମିର ଶିକାର ହୋଇ ଆସୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରେ ଘରେ ଗ୍ୟାସ୍ ଯୋଗାଇ ଦେବା ପରେ ୨୦୧୯ ମସିହାରେ ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ୍ ବ୍ଲକ୍ରେ ଥିବା ଜନସେବା କେନ୍ଦ୍ରରେ ୫ ରୁ ୧୦ଟି ଗ୍ୟାସ୍ ସିଲିଣ୍ଡର୍ ରଖି ସରକାରଙ୍କ ଦର ଅନୁଯାୟୀ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଦିନବନ୍ଧୁ ଗ୍ୟାସ୍ ଏଜେନ୍ସି ଆସି ଢେଙ୍କିକୋଟ୍ ବଜାରରେ ଥିବା ଦୀପକ୍ କୁମାର ମିଶ୍ରଙ୍କର ଜନ ସେବା କେନ୍ଦ୍ର ସହିତ ସର୍ବାଧିକ ୭ଟି ଗ୍ୟାସ୍ ସିଲିଣ୍ଡର୍ ରଖି ବିକ୍ର କରିବାର ଏକ ରାଜିନାମା କରିଥିଲା । ରାଜିନାମା କରାଇବାର ୬ ମାସ ପରେ ଜନ ସେବା କେନ୍ଦ୍ରରେ ପ୍ରତ୍ୟେକ ସପ୍ତାହରେ ୭ଟି ଗ୍ୟାସ୍ ସିଲିଣ୍ଡର ଦେଇଛି କିନ୍ତୁ ଉକ୍ତ କଳାବଜାରୀ ବେପାରି ପାଖରେ ୧୦୦ରୁ ଉର୍ଦ୍ଧ୍ୱ ସିଲିଣ୍ଡର ଦେଉଥିବା କଥା ଜନ ସେବା କେନ୍ଦ୍ର ମାଲିକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଳାବଜାରୀ ବେପାରୀ ଜଣଙ୍କ ଗ୍ୟାସ୍ ହିତାଧିକାରୀଙ୍କ ଠାରୁ ସବୁଦିନ ପାଇଁ ଗ୍ୟାସ୍ ବହି ଗୁଡିକୁ ରଖି ଗ୍ୟାସ୍ ଦେଉଛି! ଫଳରେ ଲୋକେ ବାଧ୍ୟ ହୋଇ ବେପାରୀ ପାଖରୁ ନେଉଥିବା କଥା ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଥିଲା । ତେବେ ଏଭଳି ଢେଙ୍କିକୋଟ ଅଂଚଳରେ ଗ୍ୟାସ୍ କଳାବଜାରୀ ହେଉଥିବାର ଖବର ପାଇ ଆମ ପ୍ରତିନିଧି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଢେଙ୍କିକୋଟ୍ ଅଂଚଳରେ ପହଂଚିଥିଲେ ଏବଂ ଲୋକମାନଙ୍କର ଅଭିଯୋଗ ଅନୁଯାୟୀ ଅବିକଳ ଦୃଶ୍ୟ ଦେଖିବାକୁ ପାଇଥିଲେ । ତାସହିତ ନିଜେ ବେପାରୀ ଜଣଙ୍କ ଆଜକୁ ୪ ବର୍ଷ ହେବ ଏଭଳି ବେଆଇନ୍ ଭାବେ ଗ୍ୟାସ୍ ଯୋଗାଉଥିବା କଥା ଆମ ପ୍ରତିନିଧି ପାଖରେ ପ୍ରକାଶ କରିଥିଲେ । ତେବେ ଏସମ୍ବନ୍ଧରେ ଘଟଗାଁ ଯୋଗାଣ ନିରୀକ୍ଷକଙ୍କୁ ଅବଗତ କରାଇବାରୁ ସେ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଢେଙ୍କିକୋଟ୍ ଅଂଚଳରେ ଗ୍ୟାସ୍ କଳାବଜାରୀ ବନ୍ଦ ନହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।


