ତଦନ୍ତରେ ସ୍ୱଚ୍ଛତା ପାଇଁ ଡିଏଫଓ ସଂଗ୍ରାମଙ୍କୁ ପାରଳାରୁ ବଦଳି କରାଯାଉନି କାହିଁକି ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ୫୭ ଦିନ ଅତିକ୍ରାନ୍ତ କଲା । ତଥାପି ଘଟଣାର କୌଣସି ସ୍ପଷ୍ଟତା ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସିପାରିଲା ନାହିଁ । ଘଟଣାଟି ତଦନ୍ତ ଓ ଜେରା ନାମରେ ବାରମ୍ବାର ଦିନ ଗଢି ଚାଲିଛି । ଦିନ ଯେତେ ବଢିଚାଲିଛି ଘଟଣାର ତଥ୍ୟ ଓ ପ୍ରମାଣ ସେତିକି ପରିମାଣରେ ନଷ୍ଟ ହେବାରେ ଲାଗିଛି । ସବୁ ଠାରୁ ମୁଖ୍ୟ ଘଟଣା ହେଲା ଘଟଣାର ମୁଖ୍ୟ ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କାହିଁକି ପାରଳାଖେମୁଣ୍ଡିରୁ ବଦଳି କିମ୍ବା ଅନ୍ତର କରାଯାଉ ନାହିଁ ବୋଲି ସବୁସ୍ତରରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାରଳା ଡିଏଫ୍‌ଓ କଣ ରାଜ୍ୟ ସରକାରଙ୍କ ଗେଲ୍‌ହାପୁଅ ଅଟନ୍ତି କି ? ପାରଳା ଡିଏଫଓଙ୍କୁ ବଦଳି ନ କରି ତଦନ୍ତରେ ସ୍ୱଚ୍ଛତା ନ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି । ଲୋକେ କହୁଛନ୍ତି ଯେ, ସାଧାରଣତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛତା ପାଇଁ ଯିଏ ହୁଅନ୍ତୁ ନା କାହିଁକି ତଦନ୍ତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଭଳି ପଦକ୍ଷେପ ଗ୍ରହଣ କରିଥାନ୍ତି । ହେଲେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟମନ୍ତ୍ରୀ କାହିଁକି ବିହିତ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ବନ ବିଭାଗର ପୂର୍ବତନ କର୍ମଚାରୀ ଗଙ୍ଗା ପ୍ରଧାନ ପାରଳା ଡିଏଫଓଙ୍କୁ ନେଇ ବିସ୍ଫୋରକ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଅର୍ଦ୍ଧରାତ୍ରରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ଏସିଏଫ ସୌମ୍ୟ ମହାପାତ୍ରଙ୍କ ଘରକୁ ଯିବା ଆସିବା କରୁଥିବା ମୁଁ ଦେଖିବା ଯୋଗୁଁ ମୋତେ ଚାକିରୀରୁ ବିଦା କରିଦେଲେ । ମୋ ଭଳି ଅନେକ କର୍ମଚାରୀ ରହିଛନ୍ତି । ସମସ୍ତେ ଜାଣନ୍ତି ଏହି ଡିଏଫଓଙ୍କ କାରନାମା । ହେଲେ ସତ୍ୟ ଘଟଣା ପ୍ରକାଶ କଲେ ବିପଦ ରହିଥିବା ଜାଣି ସମସ୍ତେ ଚୁପ ରହିଛନ୍ତି । ଏହାର ମୁଖ୍ୟ କାରଣ, ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ବନ ଉପଖଣ୍ଡର ସର୍ବୋଚ୍ଚ କର୍ତ୍ତା । ତାଙ୍କ ବିରୁଦ୍ଧରେ ଯଦି କୌଣସି କର୍ମଚାରୀ କିଛି ପ୍ରକାଶ କରନ୍ତି ତେବେ ମୋ ପରି ସେ ମାନଙ୍କର ଚାକିରୀ ଯାଇପାରେ କିମ୍ବା ଅନ୍ୟ କୌଣସି ବଡ ବିପଦ ସୃଷ୍ଟି ହୋଇପାରେ । ତେଣୁ ବନ କର୍ମଚାରୀମାନେ ସତ୍ୟ ଘଟଣା ଜାଣିଥିଲେ ସୁଦ୍ଧା ଭୟରେ ପ୍ରକାଶ କରିପାରୁ ନାହାନ୍ତି । ତେଣୁ ପାରଳାଖେମୁଣ୍ଡି ଡିଏଫଓ ପଦବୀରୁ ସଂଗ୍ରାମ କେଶରୀ ବେହେରାଙ୍କୁ କୌଣସି ଭାବେ ଅନ୍ତର କରାଗଲେ ମୋ ଭଳି ଅନ୍ୟ କର୍ମଚାରୀମାନେ ମଧ୍ୟ ଏସିଏଫଓ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ନେଇ ନିଶ୍ଚିତ ଭାବେ ଅନେକ ତଥ୍ୟ ଓ ସତ୍ୟ ଘଟଣା ପ୍ରକାଶ କରିବେ । ଏହି ପରିପ୍ରେକ୍ଷୀରେ ଏହି ଘଟଣାର ତଦନ୍ତରେ ସ୍ୱଚ୍ଛତା ପାଇଁ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡିରୁ ତୁରନ୍ତ ବଦଳି ବା ଅନ୍ତର କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ