ଅଙ୍ଗନବାଡି କେନ୍ଦ୍ର ବନ୍ଦକୁ ନେଇ ଓଡିଶା-ଆନ୍ଧ୍ର ବିବାଦ ଉଭୟ ସରକାରଙ୍କ ମିଳିତ ପର୍ଯ୍ୟବେକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକର ତଥା ଓଡିଶା ଆନ୍ଧ୍ର ସୀମାର ବିବାଦୀୟ ମାଣିକପାଟଣା ଗ୍ରାମରେ ଚାଲିଛି ଉଭୟ ସରକାରଙ୍କ ମିଳିତ ପର୍ଯ୍ୟବେକ୍ଷଣ । ଘଟଣାରୁ ପ୍ରକାଶ ଯେ, ଗତ ଦୁଇ ଦିନ ପୂର୍ବେ ଓଡିଶା ରାଜ୍ୟ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରଟିକୁ କିଛି ବ୍ୟକ୍ତି ବନ୍ଦ କରିବା ଯୋଗୁଁ ଖବର ପାଇ ଘଟଣା ସ୍ଥଳରେ ଉଭୟ ରାଜ୍ୟ ଆନ୍ଧ୍ର ଓଡିଶା ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିବା ସହ ବିବାଦ ଦେଖା ଦେଇଥିଲା । ଯାହାର ଖବର ପାଇ ସଠିକ ତଦନ୍ତ କରିବା ସକାଶେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ତତ୍ୱାବଧାନରେ ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ପାତ୍ର, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ରାୟଗଡ ବିଡିଓ ରାଜାରଂଜିତ ପ୍ରତାପ ବଳ, ଗାରବନ୍ଧ ଥାନା ଅଧିକାରୀ ସର୍ବଶ୍ୱର ସାମନ୍ତରାୟ, ରାଜସ୍ୱ ନିରୀକ୍ଷକ ଓ କର୍ମଚାରୀ ପହଞ୍ôଚ ଆନ୍ଧ୍ର ପ୍ରଶାସନ ସହ ବିଚାର ବିମର୍ଶ କରିଥିଲେ । ସୀମା ବିବାଦ ନେଇ ଲାଗିଥିବା ସଂଘର୍ଷକୁ ଗୁରୁତ୍ୱ ଦିଆଯାଇ ଆଲୋଚନା ଜାରି ରହିଛି । ଘଟଣାସ୍ଥଳରେ ଉଭୟ ଆନ୍ଧ୍ର-ଓଡିଶା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା । ତତ୍କାଳୀନ ଭାବେ ସମସ୍ତ ଅଧିକାରୀମାନଙ୍କୁ ନେଇ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଉଭୟ ଆନ୍ଧ୍ର-ଓଡିଶା ସରକାରୀ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିବାଦିୟ ପ୍ରକାରେ ଊଭୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଅଙ୍ଗନବାଡି କେନ୍ଦ୍ର କାହା ରାଜ୍ୟରେ ଉପସ୍ଥିତ ରହିଛି ତାହାର ସଠିକ ତଦନ୍ତ କିଛି ଦିନ ମଧ୍ୟରେ କରିବା ସକାଶେ ବୈଠକରେ ନିଷ୍ପତ୍ତି ହୋଇଛି ।


