ତଦନ୍ତ ପରେବି ଉଜୁଡି ଯାଇଥିବା ଫସଲର କ୍ଷତିପୁରଣ ମିଳୁନି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୨ଏକର ଧାନଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ଅଭିଯୋଗର ତଦନ୍ତ ପରେବି ସଂପୃକ୍ତ ଚାଷୀଙ୍କୁ କ୍ଷତିପୁରଣ ମିଳୁନଥିବା ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର(ପାରାଚକ) ଗ୍ରାମର କ୍ଷୁଦ୍ରଚାଷୀ ସ୍ୱର୍ଗତ ଭାଗବତ ସେଣଙ୍କ ପୁତ୍ର ଅମର ସେଣ ଗତ ୨୦୨୨ମସିହାରେ ୨ଏକର ଚାଷଜମିରେ ଋଣକରି ଧାନଚାଷ କରିଥିଲେ । କିନ୍ତୁ ସରକାର କେନାଲରେ ପାଣି ଯୋଗାଇ ନଦେବାରୁ ତାଙ୍କର ୨ଏକର ଧାନଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ନେଇ ଅମର ଜନ ଅଭିଯୋଗ ଶୁଣାଣି ଶିବିରରେ ବାରମ୍ବାର ଅଭିଯୋଗ କରିବା ପରେ ଗତ ୨୩.୧୧.୨୦୨୨ରିଖରେ ପତ୍ରସଂଖ୍ୟା- ୬୭୭(୪)ରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସହକାରୀ ଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଜରୁରୀ ଅଧିକାରୀ, କେନ୍ଦ୍ରାପଡା ତହସିଲଦାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ । ସଂପୃକ୍ତ ଅଧିକାରୀମାନେ ମିଳିତ ଭାବେ ତଦନ୍ତ କରି କ୍ଷୁଦ୍ରଚାଷୀ ଅମରଙ୍କର କ୍ଷତି ହୋଇଥିବା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥିଲେବି ଅଦ୍ୟାବଧି କୈାଣସି ସରକାରୀ ସହାୟତା ଅମରଙ୍କୁ ପ୍ରଦାନ କରାଯାଇନଥିବା ସେ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବ ବୋଲି ଅମରଙ୍କୁ ପ୍ରତିଶୃତି ଦେଇଥିବା ଜଣାଡିଛି ।