ତପ୍ତପାଣି ବସ୍ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ- ପରିବହନ ମନ୍ତ୍ରୀ

ପାରଳାଖେମୁଣ୍ଡି – ବୁଧବାର ଭୋର ସମୟରେ ଗଞ୍ଜାମ ଜିଲା ତପ୍ତପାଣି ଘାଟିର ପାଳୁଖୋଳ ବ୍ରିଜ ତଳକୁ ବସ୍ ଓଲଟି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୮ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ଶିଶୁ ଓ ୨ ଜଣ ପୁରୁଷ ରହିଛନ୍ତି। ମୃତକମାନେ ହେଲେ ରାୟଗଡ଼ାର ବିଦ୍ୟୁତ ନାୟକ(୪୨), ପୁତାବଗଡ଼ର ଝୁନୁ ବେହେରା(୪୨), କବିସୂର‌୍ୟ୍ୟନଗରର କରିସ୍ମା ନାୟକ(୨୫) ଓ କୋଦଳା ଅଞ୍ଚଳର ଏଲ. ରମେଶ ବେହେରା(୪୫), ସୁନୀଲ ନାୟକ(୩୨), ସଂଘମିତ୍ରା ମହାପାତ୍ର(୪୦), ଅନ୍ବେଷା ମହାପାତ୍ର(୧୨), ସୁବାସିନୀ ମହାରଣା(୩୪)। ଅନ୍ୟପଟେ ଆହତଙ୍କ ମଧ୍ୟରୁ ୨୮ ଜଣ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ୪ ଏବଂ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବସ୍ର ବ୍ରେକ୍ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟ  ତ୍ୱରାନ୍ବିତ କରିବା ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍ପି ବିଜ୍ରେଶ ରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ନେଇ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ଗ୍ୟାସ୍ କଟରରେ ବସ୍କୁ କାଟି ଲୋକଙ୍କୁ ବାହାର କରାଯାଉଛି । ସୂଚନାଥାଉକି ରାୟଗଡ଼ାର ଟିକିରି ଅଞ୍ଚଳରୁ ବସ୍ଟି ବ୍ରହ୍ମପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ସାଢ଼େ ୩ଟାରେ ମାରୁତି ନାମକ ଘରୋଇ ବସ୍ଟି ତପ୍ତପାଣି ଘାଟି ଦେଇ ଯାଉଥିବାବେଳେ ପାଳୁଖୋଳା ପୋଲ ତଳକୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ମୋହନା ବ୍ଲକ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଚଳାଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ନିଆଯାଇ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ