ତମାଖୁ ବିକ୍ରି ନିଷିଦ୍ଧକୁ ୮ ବର୍ଷ ପୂରିଲା, ଚାଲିଛି ବେଧଡ଼କ ଗୁଟଖା ବେପାର : ପ୍ରଶାସନ ନିଦାବିଷ୍ଣୁ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟରେ ଗୁଟଖା କାରବାରକୁ ନିଷିଦ୍ଧ କରାଯାଇଛି । ବିକ୍ରି ଓ ଉତ୍ପାଦନରେ ଲାଗିଛି କଟକଣା । ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିିଖରେ ଏମିତି ଏକ ଆଇନ ପ୍ରଣୟନ କରିଥିଲେ ରାଜ୍ୟ ସରକାର । ଆଇନ ଉଲଙ୍ଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନର ରହିଛି ବ୍ୟବସ୍ଥା । ସରକାର ଏ କ୍ଷେତ୍ରରେ ମିଳୁଥିବା ରାଜସ୍ୱକୁ ଗୋଡ଼ରେ ଆଡ଼େଇ ଦେଇଥିଲେ ଜନସାଧାରଣଙ୍କ ସ୍ୱାର୍ଥ ସକାଶେ । କିନ୍ତୁ ପ୍ରଶାସନର ଉଛାଶକ୍ତିର ଅଭାବ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ଫାଇଲ ଭିତରେ ରହିଯାଇଥିବା ବେଳେ ଏହା କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏମିତି ନୁହେଁ ଯେ, ଗୁଟଖା ଓ ପାନମସଲା ବଜାରରେ ଲୁଚାଛପାରେ ଚାଲିଛି । ବଜାରରେ ବହୁଳ ମାତ୍ରାରେ ଖୁଲୁମୁଖୁଲା ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନିରବ ସାଜିଛି । ସାଧାରଣତଃ ଯୁବପିଢି ସମେତ ହାଇସ୍କୁଲ ଓ କଲେଜ ପଢୁଆ ଛାତ୍ର ମାନଙ୍କ ପାଇଁ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ ଫେସନରେ ପରିଣତ ହୋଇଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଚା ଓ ପାନ ଦୋକାନରେ ଖୁଲୁମଖୁଲା ବିକ୍ରିବଟା ଚାଲିଛି । ଏଭଳି ନିଶା ବଳୟ ମଧ୍ୟରେ ଜଣକ ପରେ ଜଣେ ମୁଖ ଗହ୍ୱର ଓ କର୍କଟ ଭଳି ମାରାତ୍ମକ ରୋଗର ଶିକାର ପାଲଟୁଛନ୍ତି । ଗୋଟିଏ ପଟେ ଯୁବପିଢି ଜାଣିଶୁଣି କର୍କଟର ବିଷ ବଳୟ ମଧ୍ୟକୁ ନିଜକୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି । ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟର ଅବାଧ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାରେ ବିଭାଗୀୟ ଅଧିକାରୀ ଆନ୍ତରିକତା ପ୍ରକାଶ କରୁନଥିବା ବେଳେଏହାର ସିଧାସଳଖ ପ୍ରଭାବ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ କରୁଥିବା ଯୁବପିଢିଙ୍କ ଭବିଷ୍ୟତ ବିପଦ ମୁହଁକୁ ଠେଲି ହୋଇଯାଉଛି ବୋଲି ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଇଛି । ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ ଜନିତ କର୍କଟ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିିଖରେ ରାଜ୍ୟ ସରକାର ଫୁଡ଼ ଷ୍ଟାଡ଼ାଣ୍ଡ ସେଫ୍ଟି ଆକ୍ଟ ଅନୁଯାୟୀ ବଜାରରେ ଏହାର ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଥିଲେ । ଘୋଷଣାର କିଛି ଦିନ ପର୍ଯ୍ୟନ୍ତ ଏହାକୁ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ପରବର୍ତୀ ସମୟରେ ପ୍ରଶାସନିକ ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଥିଲେ । ଯେଉଁ ବ୍ୟକ୍ତି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ବିକ୍ରୟ କିମ୍ବା ଯୋଗାଣ କରିବେ , ସେମାନଙ୍କୁ ଅର୍ଥ କିମ୍ବା ଜେଲ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ପରିତାପର ବିଷୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ଏମିତି ସ୍ଥାନ ନାହିଁ ଯେଉଁଠାରେ ଗୁଟଖା କିମ୍ବା ତମାଖୁ ଜାତୀୟ ପଦାର୍ଥ ଅତି ସହଜରେ ମିଳୁନାହିଁ । ଶିକ୍ଷାନୁଷ୍ଠାନ ପରିସର ଠାରୁ ୧୦୦ ଗଜ ଦୂରତା ମଧ୍ୟରେ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ବିକ୍ରି ନିଷେଧ କରାଯାଇଥିଲେ ମଧ୍ୟ ହାତ ପାହାନ୍ତାରେ ଏସବୁ ଉପଲବ୍ଧ ହୋଇପାରୁଛି । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପିଢି ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ହିଞ୍ଜିଳିକାଟୁ ଓ ଏହାର ନିକଟବର୍ତି ଅଂଚଳର କିଛି ଗୁଟଖା ବେପାରୀ ଲକ୍ଷଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଓ ପାନମସଲା ଆଣି ଅବାଧରେ ବ୍ୟବସାୟ କରି ରାତାରାତି ମାଲାମାଲ ହେଉଥିବା ଚର୍ଚ୍ଚା ଚାଲିଛି । ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମା ଭଳି ମାରାତ୍ମକ ରୋଗରେ ପିଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପାନ, ବିଡ଼ି, ଗୁଟଖା ଓ ସିଗାରେଟ ଭଳି ତମାଖୁ ସେବନକାରୀ ନିଜ ଅଭ୍ୟାସ ସହଜରେ ଛାଡ଼ି ପାରୁନାହାନ୍ତି । ତମାଖୁ ସେବନକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୃତକାରୀ କମ୍ପାନୀ ମଧ୍ୟ ବିଭିନ୍ନ ନାମରେ ନକଲି ଗୁଟଖା ପ୍ରସ୍ତୃତ କରି ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।


