ତରଳୁଛି ବରଫ ପାହାଡ଼
ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡ଼ିଆସୁଛି । ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି । ଏହା ଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧିପାଇଛି । ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି । ପ୍ରାୟ ୧ ଲକ୍ଷ ବର୍ଷ ପରେ ଏମିତି ଘଟଣା ଘଟିବାକୁ ଯାଉଛି ବୋଲି ପରିବେଶବିଜ୍ଞାନୀ ମତ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ଯାଗୁଁ ଏପରି ହେଉଥିବା କୁହାଯାଉଛି । ସୁମେରୁ ତୁଷାରହୀନ ହେଲେ ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଯିବ । ଏବେ ସୁମେରୁର ବରଫହୀନ କେତେକ ଅଞ୍ଚଳରେ ସବୁଜ ଶୈବାଳ ଦେଖାଯାଉଛି । ଏହା ଏକ ବିପଜ୍ଜନକ ପରିସ୍ଥିତିର ପୂର୍ବାଭାସ ଦେଉଛି । ଉପଗ୍ରହ ପଠାଇଥିବା ଚିତ୍ର ଅନୁସାରେ ଆମେରିକାର ରାଷ୍ଟ୍ରୀୟ ତୁଷାର ଓ ବରଫ ତଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସୁମେରୁ ଠାରେ ୧୧.୧ ନିୟୁତ ବର୍ଗ କିମିର ଭାସମାନ ବରଫ ପାହାଡ଼ ରହିଛି । ଏହା ଗତ ୩୦ ବର୍ଷର ହାରାହାରି ପରିମାଣଠାରୁ ପ୍ରାୟ ୧.୫ ନିୟୁତ ବର୍ଗ କି.ମି କମ୍ । ଗତ ୩୦ ବର୍ଷ ତଳେ ହାରାହାରି ଭାସମାନ ହିମ ପାହାଡ଼ ପରିମାଣ ୧୨.୭ ନିୟୁତ ବର୍ଗ କି.ମି ଥିଲା । ରୁଷିଆର ଉତ୍ତର ଉପକୂଳରେ ଥିବା ସାମୁଦ୍ରିକ ବରଫ ସୁମେରୁ ହିମ ପାହାଡ଼କୁ ସଂରକ୍ଷିତ ରଖିବାରେ ସହାୟତା କରିଥାଏ । ମାତ୍ର ବିଶ୍ୱ ତାପନ ଯୋଗୁ ତାହା ଦ୍ରୁତଗତିରେ କ୍ଷୟ ହେବାରେ ଲାଗିଛି । ବିଶ୍ୱ ତାପନ ଯୋଗୁଁ ସମୁଦ୍ର ତଳେ ବର୍ଷ ବର୍ଷ ଧରି ବରଫ ଅବସ୍ଥାରେ ରହିଥିବା ଗ୍ରୀନ୍ ହାଉସ୍ ଗ୍ୟାସ୍ ମିଥେନ ପୁଣି ଗ୍ୟାସ ଅବସ୍ଥାକୁ ଫେରି ସମୁଦ୍ର ଉପରି ଭାଗକୁ ବୁଦ୍ବୁଦ୍ ହୋଇ ଫୋଟକା ଭାବେ ଉଠୁଥିବା ପରିବେଶ୍ବିତ୍ ଅନୁଧ୍ୟାନ କରିଛନ୍ତି । ଫଳରେ ଜଳର ଉପରି ଭାଗରେ ଥିବା ଭାସମାନ ହିମ ପାହାଡ଼ ତରଳିବାରେ ଲାଗିଛି । ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ବିଶ୍ୱ ତାପମାନ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାମୁଦ୍ରିକ ବରଫ ଯୋଗୁଁ ପୃଥିବୀର ଏହି ଅଞ୍ଚଳ ଧଳା ଦେଖାଯାଏ । ଏହା ସୂର୍ଯ୍ୟ କିରଣକୁ ସ୍କାଟରିଂ କରିବାରେ ସହାୟତା ମଧ୍ୟ କରିଥାଏ । ମାତ୍ର ପ୍ରଦୂଷଣ ଯୋଗୁ ଧୀରେ ଧୀରେ ପୃଥିବୀର ଏହି ଅଂଶ କଳା ରଙ୍ଗ ଧାରଣ କରିବ । ଫଳରେ ପୃଥିବୀ ପୃଷ୍ଠରେ ଥିବା ମହାସାଗର ଅଧିକ ମାତ୍ରାରେ ଅବଶୋଷଣ କରିବ । ଏହା ଯୋଗୁ ମଧ୍ୟ ଭାସମାନ ବରଫ ପାହାଡ଼ ଅଧିକ ପରିମାଣରେ ତରଳିବ । ଏହି ଧାରା ଜାରି ରହିଲେ ୨୦୫୦ ସୁଦ୍ଧା ସୁମେରୁ ବରଫ ଶୂନ୍ୟ ହେବାର ଆଶଙ୍କା ଦେଖାଦେଇଛି । ଗତ ବର୍ଷ ଜାନୁଆରି ମାସରେ ସୁମେରୁ ଅଞ୍ଚଳରେ ସବୁଠୁଁ କମ୍ ବରଫ ଥିଲା । ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ଏହି ପରିସ୍ଥିତି ଲାଗି ରହିଥିଲା । ତେଣୁ ଏହା ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି ବୋଲି ପରିବେଶବିତ୍ ମତପୋଷଣ କରିଛନ୍ତି ।
ବରଫ ପାହାଡ଼ ତରଳିବା ଯୋଗୁ ସମୁଦ୍ର ଜଳସ୍ତର ବଢ଼ିଚାଲିଛି । ଏହା ଜାରି ରହିଲେ ଆସନ୍ତା ୨୦୩୦ ସୁଦ୍ଧା ବମ୍ବେ, ବ୍ୟାଙ୍କକ, ଜାକର୍ତ୍ତା, ମାନିଲା ସମେତ ଅନେକ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି । ଏହା ଦ୍ୱାରା ବ୍ୟାଙ୍କକ ସହର ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି । ୧୨ ବର୍ଷ ପରେ ଏହି ସହରର ପ୍ରାୟ ୪୦ ପ୍ରତିଶତ ଅଂଶ ଜଳମଗ୍ନ ହେବାର ଆଶଙ୍କା ରହିଛି । ଗ୍ରୀନ୍ପିସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ବ୍ୟାଙ୍କକ ସହରର ୨ରୁ ୩ ସେ.ମି. ଅଂଶ ବୁଡ଼ିବାରେ ଲାଗିଛି । ସମୁଦ୍ର ଜଳସ୍ତର ବୃଦ୍ଧି ଦକ୍ଷିଣ ଏସିଆର ଅନେକ ସହର ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ପରିବେଶବିଜ୍ଞାନୀ ସୂଚନା ଦେଇଛନ୍ତି ।