ତିତ୍ଲି ମହାବାତ୍ୟାକୁ ୨ ବର୍ଷ ପୁରିଲା ;ଧୋଇ ଯାଇଥିବା ଫୁଲସରା ପୋଲ ନିର୍ମାଣ ହୋଇନାହିଁ, ୧୦ ଗ୍ରାମବାସୀ ପ୍ରଭାବିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗତ ତିତ୍ଲି ମହାବାତ୍ୟାରେ ବହୁ ଧନ ଜୀବନ ଘର ଦ୍ୱାର ନଷ୍ଟ ହୋଇଥିବାବେଳେ ସେଥି ମଧ୍ୟରୁ ଆର୍.ଉଦୟଗିରି ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ସ୍ଥିତ ଅନ୍ତରବା ନିକଟସ୍ଥ ଫୁଲସରା ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ । ଏହା ଦ୍ୱରା ଏହି ଅଞ୍ଚଳର ୧୦ଗୋଟି ଗ୍ରାମବାସୀଙ୍କ ଜୀବନଯାପନ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଲୋକେ ବହୁ ଦୁଃଖ କଷ୍ଟ ପାଇବା ସହ ଅତି ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ଦାବୀ କରିଛନ୍ତି । ଘଟଣାରୁ ପ୍ରକାଶ, ଆଜିକୁ ପ୍ରାୟ ୨ବର୍ଷ ତଳେ ଯେତେବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲିଥିଲା ସେହି ସମୟରେ ସେହି ପୋଲ ନିର୍ମାଣ ପାଇଁ କିଛି ଅନୁଦାନ ଆସିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବ୍ରିଜ ନିର୍ମାଣ ନିମନ୍ତେ ଆସିଥିବା ଅନୁଦାନ ଟଙ୍କା ପୋଲ କାମ ପାଇଁ ନିଅଣ୍ଟିଆ ହେବ ବୋଲି କାମଟିକୁ ସ୍ଥଗିତ ରଖାଯାଇଥିଲା । ପୁଣି ସେହି ଅଞ୍ଚଳକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ପରିଦର୍ଶନରେ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରି ଆସିଥିଲେ, ତଥାପି କୌଣସି ସଫଳତା ଅଞ୍ଚଳବାସୀଙ୍କୁ ମିଳିପାରି ନାହିଁ । ସେହି ରାସ୍ତାଦେଇ ପ୍ରାୟ ୧୦ଗୋଟି ଗ୍ରାମର ଜନ ସାଧାରଣ ଯାତାୟତ କରନ୍ତି ମାତ୍ର ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବାରୁ ରୋଗୀମାନଙ୍କୁ ନେବା ଆଣିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯିବା ଆସିବାରେ ବହୁ ଦୁଃଖ କଷ୍ଟ ପାଉଛନ୍ତି । କିଛି ଦିନ ବ୍ୟବଧାନ ପରେ ଜିଲ୍ଲାପରିଷଦ ବୈଠକରେ ଫୁଲସରା ପୋଲ ପ୍ରସଙ୍ଗରେ ବାରମ୍ବାର ପ୍ରଶ୍ନ ଉଠିବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଢ କୋଟି ଟଙ୍କା ବ୍ରିଜ ନିର୍ମାଣ ନିମନ୍ତେ ମଞ୍ଜୁର କରାଯାଇଥିଲା । ତଥାପି ପୋଲ ନିର୍ମାଣର କୌଣସି ଅଗ୍ରଗତି ହୋଇପାରିନାହିଁ ।