ତୁଣ୍ଡ ନଫିଟିଲେ ମୁଣ୍ଡ ତଳକୁ

କାର୍ତ୍ତିକମାସରେ ବଗ ବି ମାଛ ଛାଡ଼ିଦିଏ – ଆମେ ଶୁଣିଆସୁଛୁ – ମାତ୍ର ଆମ ଗାଁଗଣ୍ଡାର ଦଳପୋଖରୀ ପାଖାପାଖି ମଇଦାନଗୁଡାକରେ ବହୁ ରାଜନୀତିକ ବକଧାର୍ମିକ ନିଜ ମସୁଧାର ମହାମେଲଣମାନ ବସାଇସାରିଲେଣି । ଆମେ ଜାଣିଛୁ – ଏଇ କିଛିଦିନ ପରେ ସେମାନେ ଏଠୁ ଉଡ଼ିଯାଇ ଡେଣା ମେଲାଇବେ ନିଜ ଦୌଲତର ଦରବାରରେ । ଆମ ଏଠି ମାଳମାଳ କଂଟା ପଡିଥିବ । ସେଠି ସେମାନେ ମହାଉଲ୍ଲାସରେ ଆଇଁଷ ଚାଟୁଥିବେ । ଏଇ ଆଇଷିଆଁ ରାଜନୀତିର ରଙ୍ଗ ଆମ ଓଡିଶାଭୂଇଁକୁ ପାଉଁଶିଆ କରିଦେଲାଣି ପୂରାପୂରି । କାହିଁକି ଏମାନେ ଜନାଦେଶକୁ ନିଜ ସପକ୍ଷରେ କବଳିତ କରିରଖିବାପାଇଁ ଶହଶହ କୋଟି ଆରାମରେ ଖର୍ଚ୍ଚ କରିଦେଉଛନ୍ତି – ଆମ ଅନ୍ଧାରିମୁଲକକୁ ଏମାନେ କ’ଣ କୋଉ ଆଲ୍ଲାଉଦିନ କୁହୁକଦୀପ ଜଳାଇଦେଇ ଆଲୁଅ କରିଦେବେ?
ଏମାନେ କିଛି କରିବେନି! ପ୍ରତି ଚାରିପାଂଚ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ସ୍କୁଲ । ପିଲେ ପାଠ ପଢ଼ନ୍ତୁ କି ନ ପଢନ୍ତୁ – ସାଇନ୍ବୋର୍ଡ୍ମରା ଖଣ୍ଡେଖଣ୍ଡେ କେଇବଖରିଆ ଦୟନୀୟ ପକ୍କାଘର ବାଟୋଇମାନଙ୍କ ଆଖିରେ ପଡେ । ଏବେ କିନ୍ତୁ ଯେଉଁଠି ସ୍କୁଲ, ସେଇ ପାଖଆଖରେ ଗୋଟାଏ ଗୋଟାଏ ହସ୍ପିଟାଲ ଠିଆ କରାଇବା ପାଇଁ ଓଡିଶାସାରା ଦାବୀର ତୋଫାନ ସୃଷ୍ଟି ହେଉ । ଏଠି ଯଦି ଲୋକେ ଭୋକଶୋଷରେ ବା ବ୍ୟାଧିରେ ପଡି ଛଟପଟ ହେଉଛନ୍ତି – ଘରେ ମାଟିକାମୁଡି ଅକାଳମୃତ୍ୟୁଶଯ୍ୟାରେ ଆଖିବୁଜି ଦେଉଛନ୍ତି – ସେମାନଙ୍କ ପାଇଁ ସ୍ୱର ଉଠାଇବା ଦରକାର – ଆଉ ଏ ଖରାଦିନିଆ ବକଧାର୍ମିକ ରାଜନୀତିଆମାନଙ୍କୁ କାନମୋଡ଼ି ବସ୍ଉଠ୍ କରାଇ ତାଗିଦା ଶୁଣାଇଦେବା ଦରକାର ଯେ – ଆଗେ ଏଠି ଆମପାଇଁ ହସ୍ପିଟାଲ – ତା’ପରେ ଯାଇ ତମ ବୋଲିବାଣୀର ବାଃ-ବାଃରେ କ୍ୟାପିଟାଲ! ଲୋକେ ପୋକମାଛି ପରି ମାଟି କାମୁଡି ଢୋକେ ପିଇ ଦଣ୍ଡେ ଜିଇ ବଂଚି ଥାଉଥାଉ ମାରକଦଶା ଭୋଗୁଥିବେ, ଆଉ ତମେ ସବୁ ଉପରେ ଉଡ଼ିଉଡ଼ି ତମ ଆଧୁନିକ ପୁଷ୍ପକବିମାନର ଅଧାଖିଡ଼ିକିଫାଙ୍କରୁ ଏ ଅତଳତଳର ଦାରୁଣକରୁଣ ଦୃଶ୍ୟ ଦେଖି ଖବରକାଗଜକୁ ବିଷାଦ-ବିବୃତି ବାଂଟି ଚାଲୁଥିବ – ଏ ଫିସାଦିଆ ବୃତ୍ତିକୁ ଆଗେ ବନ୍ଦ କର ! ଏଠାର ମଣିଷ ତମ କ୍ୟାପିଟାଲର ପଥୁରିଆ ଛାତିଉପରେ କଳାଟଙ୍କାର ମଦତ୍ରେ ଗଢ଼ା ନାମୀଦାମୀ ନର୍ସିହୋମ୍ କି ହସ୍ପିଟାଲଗୁଡ଼ାକର ଇମାରତୀ ନେଟୱାକର୍୍ରେ ଛନ୍ଦିହୋଇ ମଡ଼ା ପାଲଟିବାକୁ ଚାହୁଁନାହିଁ – ଏମିତିକି ଲକ୍ଷେ ଟଙ୍କା ପଇଠ ନ କଲେ ତମ କ୍ୟାପିଟାଲୀ ହସ୍ପିଟାଲ୍ ଆମ ମଡ଼ାକୁ ସୁଦ୍ଧା ଆମକୁ ହସ୍ତାନ୍ତରିତ କରିବାକୁ ମ୍ୟାନେଜମେଣ୍ଟ ପକ୍ଷରୁ ଶକ୍ତମନା! ତମେ ଏଇଭଳି ମଣିଷମରା ଚିକିତ୍ସା-ଚକ୍ରଗୁଡ଼ାକୁ ଘଣ୍ଟଘୋଡ଼ାଇ ରଖୁଛ – ଏଠି ଆମେ ଭୋଟ୍ ଦେଇ ଦେଇ ଭେଟଣା! ପାଂଚବର୍ଷରେ ଏଇ କେଇଟା ଦିନ ହିଁ କେବଳ ତୁମେ ଆସି ଆମ ଦୁଆରେ ହାଜର୍ – ହେଲେ ଆମେ ଜାଣିଛୁ ଯେ – ଆସନ୍ତାକାଲିଠୁଁ ତମ ଦୁଆରେ ଯଦି ଆମ ଧାଡି ଲମ୍ବିଚାଲିଥାଏ, ତା’ହେଲେ ପାଂଚମିନିଟ୍ ପାଇଁ ସୁଦ୍ଧା ତମ ଦେଖାଦର୍ଶନ ମିଳିବନାହିଁ । ଆମ ହାତରେ ତମ ଚାବିକାଠି – ହେଲେ ଆମ ପାଇଁ ତମ ବଖରାଗୁଡାକ ତାଲାବନ୍ଦ । ଏ ବିରୋଧାଭାସର ବିଡମ୍ବନାକୁ ବୁଝିବା ପାଇଁ ଆଉ କ’ଣ ବାକି ଅଛି ଆମର? ଆଗେ ଉତ୍ତର ଦିଅ – ତା’ପରେ ଯାଇ ଆମକୁ ତୁଷ୍ଟ କରାଇପାରିଲେ ଭୋଟ ନିଅ ।
ଆମ ଭୋଟ୍ ଖଣ୍ଡିକରେ ତମ ଭାଗ୍ୟ! ଏ କଥା ତମକୁ ବେଶ୍ ଭଲ ଭାବରେ ଜଣା । ହେଲେ ଆମକୁ ବାଟବଣା କରି ତମ ବର୍ଷବର୍ଷର ବିଶ୍ୱାସଘାତକ ରାଜନୀତି ଯେଉଁ ବର୍ବରତାର ବୁନିଆଦି ସୃଷ୍ଟି କରିଚାଲିଛି – ତା’ର ଶେଷଦିନର ଘଂଟା ଆମେ ବଜାଇବାର ନିଷ୍ପତ୍ତି ନେବା ଛଡା ଆଉ କୌଣସି ବାଟ ଆମକୁ ଦିଶୁନାହିଁ । ଦେଶର ଜଳ, ଜମି, ଜଙ୍ଗଲଠାରୁ ଆରମ୍ଭ କରି ଜନତାର ଜମା, ଜମାନା, ଜଗନ୍ନାଥ ପର୍ଯ୍ୟନ୍ତ ସବୁକିଛି ତମ କୂଟଚକ୍ରାନ୍ତର ଚକବନ୍ଦୀରେ ଚିହ୍ନିତ । ତମେ ଆମର ପାନୀୟ ଜଳକୁ କଳ-କୁବେରମାନଙ୍କ ନଳପାଣି କରିଦେଇଛ । ଆମ ଫଳମୂଳ, ଔଷଧୀୟ ବୃକ୍ଷଲତାର ଜଙ୍ଗଲ-ପାହାଡ଼ ଉପରେ ନିଲାମ ନୋଟିସ୍ ଟାଙ୍ଗିଦେଉଛ । ଆମ ବିଶ୍ୱାସର ବିଷ୍ଣୁପ୍ରତିମା ଜଗନ୍ନାଥଙ୍କୁ ତମ ନିଶ୍ୱାସରୁନ୍ଧା ରାଜନୀତିର ଟ୍ରେଡ୍ମାର୍କରେ ପରିଣତ କରିବାକୁ ପଛେଇନାହଁ । ଜଗନ୍ନାଥଙ୍କ ନାଁରେ ନାରା ଉଠାଉଥିବା ତମ ନାକରା ରାଜନୀତି ତରଫରୁ ଜନତାକୁ ଜଳକା କରିରଖିବାର ଯୋଗାଡ଼ଯନ୍ତ୍ର ଏବେବି କାଏମ୍ ।
ଏଠି ଆସି ତମେ ବିସ୍ଥାପିତ କରିଚାଲୁଛ ଆମ ଭିଟାମାଟିର ଭୂଗୋଳରୁ ହଜାର ହଜାର ବର୍ଷର ଜୀବନଯୋଦ୍ଧାମାନଙ୍କୁ, ସେଠି ଯାଇ ଜୁରିଚାଲିଛ ଆମ ଆଦିବାସୀ ଭାଇଭଉଣୀଙ୍କ ଅରଣ୍ୟପର୍ବତ ଆଉ ନୀଳଝରଣାର ଜୀବନୀଶକ୍ତିକୁ – କେଉଁଠି କେଉଁଠି ପୁଣି ପହଞ୍ଚିଯାଇ ଆମ ଗାଁଗଣ୍ଡାର ଭେଣ୍ଡାମାନଙ୍କୁ ମେଣ୍ଢାପଲ ପରି ଅଡେଇନେଉଛ ତମ ସହରରେ ନୌକର କରି ରଖିବାକୁ । ତମ ଶାସନର ଛଂଚାଣଡେଣା ଆମପାଇଁ କାଳଛାଇର ଗୋଟାଏ ଅଶୁଭ ଅକାଳ ଡାକିଆଣିଛି । ତମ ଘନଘୋର ଅନ୍ଧକାର ବିରୁଦ୍ଧରେ ଏବେ ଆମର ଭୋର୍ଭଙ୍ଗା ସକାଳ ସବୁଠି ଉଷୁମ ହେବାରେ ଲାଗିଛି । ଉଷୁମ ହେବା ପରେ ଯେଉଁଦିନ ପୂରା ଗରମ ହେଇଉଠିବ – ସେ’ଦିନ ତମ ଶାସନର ଶେଷଘଂଟଧ୍ୱନି ସରଗରମ କରିଦେବ ସାରା ବାତାବରଣକୁ । ଏ ମହାସମୁଦ୍ରରେ ଆଜି ଉଠିଛି ପାଗଳ ଜନତାର ଜୁଆର – ସେଇ ଜୁଆରରେ ଜନବିରୋଧୀ ଶାସନର ବାଣିଜ୍ୟତରୀ ଆସନ୍ତାକାଲି ଟଳମଳ ହେବାଟା ସୁନିଶ୍ଚିତ ।
ହେ ଜନଜହ୍ଲାଦଗଣ! କଦାପି ଭୁଲି ଯାଅନି ଏ ସତ୍ୟ ! ଭାବି ନିଅନି ଯେ – ଥରେ ଦି’ଥର ଇଲାକା ଦଖଲ କରିନେଲ ବୋଲି, ତମେ ଚିରକାଳ ହୋଇଥିବ ଆମ ଆଖି ଆଗରେ ସର୍ବେସର୍ବା ଆଉ ଆମେ ତମ ଆଖି ଆଗରେ ହୋଇରହିଥିବା ସଂବଳହୀନ ସର୍ବହରା ! ମନେରଖ ଯେ – ଏଇ ସର୍ବହରାମାନଙ୍କର ମିଳନପର୍ବ ଯଦି ସଫଳ ହୋଇପାରେ କେବେ, ତା’ହେଲେ ତମ ଗର୍ବୋଦ୍ଧତ ସୌଧସବୁ ଧୂଳିସାତ୍ ହେବାକୁ ବାଧ୍ୟ । ଦିନେ କୁଡିଆ ଭିତରୁ ଶୁଣାଯିବ ଆସନ୍ନ ବିଦ୍ରୋହର କୁଆଁରବ – ଯାହା ତମ କଂସଶାସନ ଆଉ ବଂଶଶାସନର ଧ୍ୱଂସକାମନା ପାଇଁ ଶୁଣାଇବ କୋଟିକଣ୍ଠରେ କରାଳ ବଜ୍ରହୁଙ୍କାର । ତମ ବରକନ୍ଦାଜ, ବାହୁବଳିବାହିନୀ, ମଦମତ୍ତ ଧନଦର୍ପୀ ମଦତ୍କାରୀମାନେ ଲୋଚାକୋଚା କାଗଜଟୁକୁରାପରି ଜନତାର ଚିରବିଦ୍ରୋହୀ ବୈଶାଖୀଘୂର୍ଣ୍ଣି ଆଗରେ ଛିନ୍ଛତ୍ର ହୋଇ କାହିଁକୁଆଡ଼େ ଉଡ଼ିଯିବେ, ତମେ କିଛି କରିପାରିବନାହିଁ । ତମ କାଣ୍ଡଜ୍ଞାନହୀନ କୂଟ ରାଜନୀତିର କୁଟିଳଚକ୍ର ଯେଉଁମାନଙ୍କୁ ଦାଣ୍ଡର ଭିକାରି କରିଦେବାକୁ ଯାଉଛି – ସେଇମାନେ ହିଁ ଦିନେ ତମ ଶାସନର ଶବଦାହ କରିବେ ଶ୍ମଶାନଭୂମିରେ ।
ମନେରଖ ଯେ – ତମ ନବାବୀ ରାଜ୍ ପାଇଁ ତଖ୍ତ୍ ତୟାର୍ କରାଇବାର ତାକତ୍ ଅଛି ଯେଉଁମାନଙ୍କର, ସେମାନଙ୍କର ବି ଅଛି – ତମ କପାଳରୁ ରାଜତିଳକ ପୋଛିନେଇ, ରାଜ୍ତଖ୍ତ୍କୁ ଚୂରମାର୍ କରି ମାଟିର ମଣିଷମାନଙ୍କୁ ମୁକୁଟ ପିନ୍ଧାଇଦେବାର ମହାଧିକାର । ଆମର ଏ ସମ୍ବିଧାନ ଯେଉଁ ମାନବିକ ଓ ନାଗରିକ ନ୍ୟାୟର ସୁରକ୍ଷା ପ୍ରତି ନିବେଦିତ, ସେଇ ପବିତ୍ର ସମ୍ବିଧାନର ନାମ ନେଇ ଦିନେ ଅନାମଧେୟ ଅଧିବାସୀମାନେ ତମ ଅନ୍ୟାୟର ଉଚ୍ଛେଦ ସାଧନ କରିବେ ହିଁ କରିବେ ।
ତମେ ଜାଣିପାରୁନାହଁ – ନନ୍ଦଘରେ କେବେଠୁଁ ଶିଶୁବିପ୍ଳବର ନବଜାତକ ପ୍ରସ୍ତୁତ ହୋଇସାରିଛି । ତମ ପୃଷ୍ଠପୋଷକତାପ୍ରାପ୍ତ ଭତ୍ତାଭୋଗୀ ଅସୁରମାନଙ୍କ ଆଗରେ ଏ ମାଟି-ପାଣି-ପବନ ପଦାନତ ହେବାର ନାହିଁ । ପାଉଁଶ ତଳର ନିଆଁପରି ବିଦ୍ରୋହୀ ସମୟ ଦିନେ ଅସଲ ଭବିଷ୍ୟତର ଅବତାର ନେବ, ସେ ଅବତାର ଆଗରେ ତମ ଅପଶକ୍ତିର ଗୃହପାଳିତ ଅର୍ଥଗୃଧ୍ରଦଳ ନତମସ୍ତକ ହେବାକୁ ବାଧ୍ୟ । ତମ ହିରଣ୍ୟକଶିପୁର ଦର୍ପ ଆଉ କେତେଦିନ? ତୁମ ରାଜଜ୍ୟୋତିଷୀ ଦଳକୁ ଡକାଇ ନିଜ ଶେଷଦିନର ତିଥିବାରନକ୍ଷତ୍ର ବାବଦରେ ଗୋପନ ପରାମର୍ଶ କରିପାର । ତମ ଭଡାଟିଆ ଭାଟମାନଙ୍କୁ ତମ ପ୍ରଶସ୍ତି-ପତ୍ରିକାର ନୂତନ ସୂଚିପତ୍ର ପ୍ରସ୍ତୁତିପାଇଁ ପାଉଣା ବଢାଇ ଦେଇପାର । ତମ ବ୍ୟସ୍ତବିବ୍ରତ ଗୁପ୍ତଚରମାନଙ୍କ ଠାରୁ ତମ ନିଜ ଆସନ୍ନ ବିପନ୍ନତାର ଆଭାସ ବାବଦରେ ତଥ୍ୟ ହାସଲ କରି ସବୁକିଛି ବୁଝିନେଇପାର । ହେଲେ କିଏ ତମକୁ ପରିତ୍ରାଣ ଦେବ କୁହ? ଶିରସ୍ତ୍ରାଣଦ୍ୱାରା ତୁମର ଶିରକମଳ କ’ଣ ସୁରକ୍ଷିତ ରହିପାରେ ଚିରକାଳ? ତୁମର ବ୍ୟୟବହୁଳ ବିଦେଶୀ ସାଞ୍ଜୁଗୁଡାକ ତୁମ ଦେଶୀଶାସନର ଦୁର୍ନୀତିଖୋର୍ ଦଲାଲ୍ମାନଙ୍କୁ କଣ ଦୀର୍ଘପରମାୟୁର ପତିଆରା ଦେଇପାରେ ସବୁଦିନ ପାଇଁଁ? ବିଦ୍ରୋହୀ ଜନତାର ବାକିଖାତାରେ ତମ ମହାଜନୀ କାରବାରର କ୍ରମବର୍ଦ୍ଧିଷ୍ଣୁ ଅଙ୍କଗୁଡାକ ଚକ୍ରବୃଦ୍ଧି ସୁଧା ସହିତ ଟିପା ସରିଲାଣି ବର୍ଷମାସଦିନଦଣ୍ଡ ଧରି । ଦିନେ ଏହି ଜନବିଦ୍ରୋହର ଅଗ୍ନିକାଣ୍ଡ ଜାଳିପୋଡି ପାଉଁଶ କରିଦେବ ତୁମ ନିଜ ତିଆରିକରା ଜଉଗଡ଼, ଏଥିରେ ସନ୍ଦେହ ନାହିଁ ତିଳେମାତ୍ର । ଆଜି କ୍ଷମା ମାଗିପାର ତୁମ ଅକଳନ୍ତି ଅପକର୍ମ ଆଉ ପାପକର୍ମ ପାଇଁ – କୃତକର୍ମପାଇଁ ଅନୁତାପ କରିପାର ମୃତସୈନିକମାନଙ୍କର ସ୍ମୃତିସ୍ତମ୍ଭ ନିକଟରେ – କିନ୍ତୁ ତୁମ ଉଚ୍ଛିଷ୍ଟ ଅନ୍ନରେ ପ୍ରତିପାଳିତ ପରାମର୍ଶଦାତାମାନେ ତୁମକୁ ଏଇ ନୀତିଶିକ୍ଷା ଦେବାକୁ ରାଜି ତ? ଶାସନ ବୃହତ୍ତର ଜନଗଣଙ୍କୁ ନେଇ, ନା ମୁଷ୍ଟିମେୟ ନ୍ୟସ୍ତସ୍ୱାର୍ଥ ଦଳର ଜଘନ୍ୟ ବନ୍ୟବର୍ବରମାନଙ୍କୁ ନେଇ? ଏ କଥା ଆଗେ ବୁଝ, ତା’ପରେ ଯାଇ ଭୁଲ ମାଗିବାକୁ ଆସ ।
ମହାଭାରତର କୁରୁସଭାରେ ସଂଘଟିତ ସେ ଅଘଟଣର ବ୍ୟାସକୃତ ବିବରଣୀ ମନପକାଇପାରୁଛ? କୁଳବଧୂ ପାଞ୍ଚାଳୀକୁ ବିବସନା କରିବାର ବୀଭତ୍ସ ଉଲ୍ଲାସରେ ଫାଟିପଡୁଛି ଦୁଷ୍ଟ ଦୁଃଶାସନ – ଅଥଚ ସଭାମଞ୍ଚର ଅଗ୍ରଭାଗରେ ଆସୀନ ବଂଶଗୌରବ ଭୀଷ୍ମ, କୁଳଗୁରୁ କୃପ ଓ ଅସ୍ତ୍ରଗୁରୁ ଦ୍ରୋଣଙ୍କ ସମେତ ଗୁରୁଜନବର୍ଗ ପ୍ରତିବାଦହୀନ । ହଁ, ତୁଣ୍ଡ ଫିଟୁନାହିଁ – ମୁଣ୍ଡ ତଳକୁ … ଏମିତି ଗୋଟାଏ ସଂକଟାପନ୍ନ ସ୍ଥିତିର ଉତ୍ପୀଡ଼କ ସୂଚକ ସେଦିନର ସେ ମହାଭାରତୀୟ ଦିବସ – ଦିବସ ତ ନୁହେଁ, ଯେପରି ବିବଶ ମଧ୍ୟାହ୍ନର ଦାରୁଣ ଗୋଟାଏ ଅନ୍ଧକାରୀ ଅବତାର!
ଆଜି କିନ୍ତୁ ଭାରତୀୟ ଭୋଟର୍ ଆଗରେ ସେ ମହାଭାରତୀୟ ଦିବସର କୌଣସି ମାହାତ୍ମ୍ୟ ନାହିଁ । ଆଜି ତୁଣ୍ଡ ନ ଫିଟାଇ ମୁଣ୍ଡି ତଳକୁ ନୁଆଁଇରଖିବାର ନଜିର୍କୁ ମାନିପାରିବୁନି ଆମେ । ଆମର କଥା ହେଉଛି ବ୍ୟଥାର କଥା – ତମକୁ କାନ ମୋଡ଼ି ଏ କଥା ଶୁଣାଇଦେବାକୁ ପଡ଼ିବ ଆଜି । ଆମ ପାଇଁ ଆଜିର ମହାସତ୍ୟ ହେଉଛି : ତୁଣ୍ଡ ନ ଫିଟିଲେ ମୁଣ୍ଡ ତଳକୁ! ତୁଣ୍ଡ ତେଣୁ ଫିଟାଇବାକୁ ପଡୁଛି – ମୁଣ୍ଡ ଉଠାଇ! ସେଦିନ ଜଣେ କୁଳବଧୂର ମର୍ଯ୍ୟାଦାଲୁଣ୍ଠନ ପ୍ରତି ମହାଭାରତ ଆଖିବୁଜି – କାନବୁଜି – ପାଟିବୁଜି ଯେଉଁ ଘୋର ଅନ୍ୟାୟ କରିଥିଲା, ସେ ଅନ୍ୟାୟର ଆଜି ଋଣ ପରିଶୋଧ କରିବାକୁ ହେବ ତୁମକୁ – ତୁମେ ଯେଉଁମାନେ ଆଜିର ଭାରତରେ ସେଇ ଦୁରାଚାରୀ କୁରୁ-ଆଦର୍ଶର ଆଧୁନିକ ଅନୁଗାମୀ! ତୁମ ଶାସନରେ ଏଠି ନାରୀର ନିରାପତ୍ତା ନାହିଁ – ଅହୋରାତ୍ର ନାବାଳିକା ପ୍ରତି ବଜାୟ ରହିଛି ଦୁଃସହ ଦୁଷ୍କର୍ମର ଦୂଷିତ ଧାରା – ଅଥଚ ଦିନଆଲୁଅରେ ଏଠି ଆୟୋଜିତ ହେଉଛି ତୁମ ରାଜନୀତିର ରଙ୍ଗିନ୍ ରୋଡ୍ ଶୋ’ … ମିଠାହସ ବାଣ୍ଟୁଥିବା ହେ ଚହଟଚିକ୍କଣ ମୁଖିଆଙ୍କ ଚେଲାଚାମୁଣ୍ଡାଏ, ଧିକ୍ ତୁମରି ଏ ରାଜାନୁଗତ୍ୟ – ଏ ଅନ୍ଧାନୁଗତ୍ୟ – ଯାହାର ନିର୍ଲଜ୍ଜତାକୁ ମାଆ-ମାଟି-ମଣିଷ ବରଦାସ୍ତ କରି ନପାରେ କଦାପି! ଏବେ ନିର୍ବାଚନ ପ୍ରଚାର ବେଳକୁ ପ୍ରତିଦିନ ଶହେ କୋଟି ଟଙ୍କା ଜବତ ହେଉଥିବାର ଜବର ଖବର ଗଣମାଧ୍ୟମ ବାଣ୍ଟିସାରିଲାଣି – ଏ ଟଙ୍କା କାହାର? କେଭେଁ ତମର ତ ନୁହେଁ, ଆମ ଦେଶର, ଆମ ଜନଗଣର । ନାରୀର ଇଜ୍ଜତକୁ ଧୂଳିରେ ମିଶାଇଦେଇଥିବା ତମ ରାଜନୀତିର ପୁରୁଷପଣିଆ ଏଥର ଧରାଶାୟୀ ହେବାକୁ ଯାଉଛି ଆସନ୍ତାକାଲି – ମନେରଖ! ଗାଆଁ ଗାଆଁରେ ଗୁଂଜରଣ, ସହର-ସହରରେ ଶିହରଣ, ପାହାଡ଼ିମୁଲକରେ ପ୍ରାଣପଣ – ଆଜି ଆନ୍ଦୋଳନ – ଆଗାମୀକାଲି ଅଭୂତପୂର୍ବ ଜନଜାଗରଣ – ତୁଣ୍ଡ ନ ଫିଟିଲେ ମୁଣ୍ଡ ତଳକୁର ତୁମୂଳ ଆହ୍ୱାନ … ଖେଳିଯିବ, ଖେଦିଯିବ, କ୍ଷେପିଯିବ କ୍ଷେତ୍ରରୁ କ୍ଷେତ୍ର – କୁରୁକ୍ଷେତ୍ରରୁ ଧର୍ମକ୍ଷେତ୍ର – ଶ୍ରୀକ୍ଷେତ୍ର … ସବୁ କ୍ଷେତ୍ର! ହେ କୁର୍ସିଲୋଭୀ କୁତ୍ସିତ କସରତକାରୀ, ହେ ବାଣୁଆ ବଳାକ୍ରାରୀ, ହେ ଶାସନ-ଶିକାରୀ – ଏଥର ତୁଣ୍ଡପିଟା ମାମୁଲି ମଣିଷର ମୁକାବିଲା ପାଇଁ ପ୍ରସ୍ତୁତ ଥାଅ!
ତୁମ କିଣାବିକାର ରାଜନୀତିରେ ଭାରତୀୟ ଭୋଟର ଆଉ ନିଜର ନିଲାମ ପାଇଁ ରାଜି ନୁହେଁ । ଆଜି ଅରାଜୀ ହେବାର ବେଳ । ଆଜି ନାରାଜୀ ହେବାର ବେଳ । ଆଜି ସବୁ ନକଲି ନାରାବାଜିର ଦୁର୍ଗପତନବେଳ । ତୁମର ଦୁଷ୍ଟ ଦଳପତିମାନଙ୍କୁ ଜାଗ୍ରତ ଜନସମାଜର ଏ ସତର୍କ ଚେତାବନୀକୁ ଅକ୍ଷରେ ଅକ୍ଷରେ ଶୁଣାଇଦିଅ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ