ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟି ପକ୍ଷରୁ ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ସୋମବାର ପ୍ରଦାନ କରାଯାଇଛି । ତୁମ୍ବେଶ୍ୱର ଠାରେ ଦେବୀନଦୀରେ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ମେଗା ମଧୁର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଦେବୀନଦୀ ବନ୍ଧରେ ଏକ ଫାଟ ସୃଷ୍ଟି ହୋଇଛି । ଯେଉଁ ଫାଟକୁ ନେଇ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ସହିତ ଉକ୍ତ ନଦୀବନ୍ଧକୁ ମରାମତି କରିବା ପାଇଁ ସୁରକ୍ଷା କମିଟି ତରଫରୁ ବାରମ୍ବାର ପ୍ରଶାସନ ସହିତ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଯାହାଫଳରେ ବନ୍ଧର ସୁରକ୍ଷା ପାଇଁ କମିଟି ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଥମ ବୁରୁଜରୁ ୨ୟ ବୁରୁଜ ପର୍ଯ୍ୟନ୍ତ ନଦୀର ବେଡ ଲେବୁଲରୁ ଏକ କଂକ୍ରିଟ ୱାଲ ନଦୀବନ୍ଧ ଉଚ୍ଚତା ଠାରୁ ୫ଫୁଟ ଉଚ୍ଚତାରେ ନିର୍ମାଣ କରାଯାଉ, ନଦୀର ଜଳସ୍ତର ବଜାୟ ରଖିବା ପାଇଁ ନଦୀରେ ସୁବିଧା ଜାଗା ଦେଖି ଏକ ଆଡି ବନ୍ଧ ନିର୍ମାଣ କରାଯାଉ, ନାଉଗାଁ ବ୍ଳକର ସମସ୍ତ ପଂଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଏହାର ଅବିକଳ ନକଲ ଜିଲ୍ଲାପାଳ ଜଗତସିଂହପୁର, ଉପଜିଲ୍ଲାପାଳ ଜଗତସିଂହପୁର, ମନ୍ତ୍ରୀ, ଜଳସେଚନ ବିଭାଗ, ସାଂସଦ ଜଗତସିଂହପୁର, ବିଧାୟକ ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଥିବା ଜଣାଯାଇଛି । ଉକ୍ତ ଦାବିପତ୍ରକୁ ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ସୁବାସ ସ୍ୱାଇଁ, ବଂଶୀଧର ବେହେରା, ଅଶୋକ କୁମାର ସ୍ୱାଇଁ, କୈଳାଶ ପରିଡା, ରଂଜିତ କୁମାର ଜେନା ଆଦି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ