ତୁରନ୍ତ ସମସ୍ୟାର ସମାଧାନ ଦାବିରେ ଯାତ୍ରା କମିଟି ମହାସଂଘ ତରଫରୁ ଯାତ୍ରାମାଲିକ ମହାସଂଘକୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଓଡିଶା ଯାତ୍ରା କମିଟି ମହାସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଗତ ୫.୨.୨୦୨୧ରିଖ ଦିନ ଯାତ୍ରା ମାଲିକ ମହାସଂଘକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ପ୍ରତିକ ସମୟରେ ଯାତ୍ରା ପରିବେଷଣ ସାଧାରଣ ଲୋକମାନଙ୍କର ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଯାତ୍ରାର ଗୁରୁତ୍ୱ ବଢିଚାଲିଛି । ଏହି ଯାତ୍ରା ପରିବେଷଣ ପାଇଁ ଯାତ୍ରା କମିଟି ତରଫରୁ ଯାତ୍ରା ମାଲିକମାନଙ୍କୁ ଚୁକ୍ତିଭିତ୍ତିକ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥାଏ । କିନ୍ତୁ ମହାମାରୀ କରୋନା ଯୋଗୁଁ ଯାତ୍ରା ପରିବେଷଣରେ ବାଧା ସୃଷ୍ଟି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସୁଚାରୂ ରୂପେ ଯାତ୍ରା ପରିବେଷଣ ପାଇଁ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇ ଦାବିପତ୍ର ମାଧ୍ୟମରେ ଯାତ୍ରା ମାଲିକ ମହାସଂଘକୁ ହସ୍ତାନ୍ତର କରାଯାଇଛି । ଯାତ୍ରା କମିଟି ବିନା କୌଣସି ଯାତ୍ରା ମାଲିକମାନେ ଯାତ୍ରା ପରିବେଷଣ କରିପାରିବେ ନାହିଁ । ତେଣୁ ଯାତ୍ରା କମିଟିମାନଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ଯାତ୍ରା ମାଲିକମାନେ ଯାତ୍ରା ପରିବେଷଣ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଗତ ମାର୍ଚ୍ଚ ମାସ ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଯାତ୍ରା ପରିବେଷଣ ନକରି ଅଗ୍ରୀମ ନେଇଥିବା ଅର୍ଥରାଶିକୁ ତୁରନ୍ତ ଫେରସ୍ତ କରୁନ୍ତୁ ଏବଂ ଏହାକୁ ଯାତ୍ରା ମାଲିକ ସଂଘ ଗୁରୁତର ସହ ବିଚାରକୁ ନେଇ ତୁରନ୍ତ ଏହାର ସମାଧାନ ରାସ୍ତା ବାହାର କରାଯାଉ, ୨୦୨୧-୨୨ବର୍ଷରେ ଯାତ୍ରା ଋୁତୁ ପାଇଁ ସମସ୍ତ ଯାତ୍ରା କମିଟି ଓ ଯାତ୍ରାମାଲିକମାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଉ, ପ୍ରତି ଯାତ୍ରାର ଅଭିନୟ ପାଇଁ ରାତିପିଛା ୧ଲକ୍ଷରୁ ୧ଲକ୍ଷ ୧୦ ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଉ, ଯାତ୍ରାପାର୍ଟି ବୁକିଂ କରିବା ପାଇଁ ଅଗ୍ରୀମ ଟୋକନ ରାଶି ୨୫ ହଜାର ଟଙ୍କାରେ ସୀମିତ ରଖାଯାଉ, ଚୁକ୍ତିପତ୍ର ସ୍ୱାକ୍ଷରିତ ସମୟରେ ୩ ରାତ୍ରିରୁ ଅଧିକ ଯାତ୍ରା ପରିବେଷଣ ପାଇଁ ୨ ରାତ୍ରିର ଅଗ୍ରୀମ ଓ ୩ ରାତ୍ରିରୁ କମ ପାଇଁ ୧ଦିନର ଅଗ୍ରୀମ ରାଶିରେ ସୀମିତ ରଖାଯାଉ, ଯାତ୍ରାପାର୍ଟିର ଶିଳ୍ପୀମାନଙ୍କ ପାଇଁ ୧୧ଟି ଛୋଟ ଓ ୪ଟି ବଡ଼ ସମୁଦାୟ ୧୫ ବଖରା ଘର ସୀମିତ ରଖାଯାଉ, ଯାତ୍ରାର ସମସ୍ତ ପରିମିଶନର ଖର୍ଚ୍ଚ ଯାତ୍ରା ପାର୍ଟିର ମାଲିକମାନେ ବହନ କରନ୍ତୁ, ଜାଳେଣୀ କାଠ, ଡ଼ିଜେଲ ଓ ପ୍ରଚାର ଗାଡ଼ିର ଖର୍ଚ୍ଚ ସବୁ ଯାତ୍ରାପାର୍ଟିର ମାଲିକମାନେ ବହନ କରନ୍ତୁ, ନିର୍ଦ୍ଦିଷ୍ଟ କଳାକାରଙ୍କ ଉପରେ ପ୍ରାଧାନ୍ୟ ନଦେଇ ନାଟକ ଉପରେ ପ୍ରାଧାନ୍ୟ ଦିଆଯାଉ, ଉନ୍ନତମାନର ନାଟକ ଉପରେ ପ୍ରାଧାନ୍ୟ ଦେଇ ଅଶ୍ଳିଳତା ଓ ନଗ୍ନତାକୁ ବାଦ ଦିଆଯାଉ, ବର୍ତ୍ତମାନର କୋଭିଡ଼ କଟକଣା ପାଇଁ ଖର୍ଚ୍ଚ ରାଶିର ବର୍ଦ୍ଧିତ ଯୋଗୁ ଚୁକ୍ତିଭିତ୍ତିକ କ୍ୟାମ୍ପର ଅନୁଦାନ ରାଶିକୁ ଶତକଡ଼ା ୨୦ରୁ ୨୫% ମଧ୍ୟରେ ସୀମିତ ରଖାଯାଉ ।
ଯଦି ଖୁବ୍ କମଦିନ ମଧ୍ୟରେ ଏହିସବୁ ସମସ୍ୟାର ସମାଧାନ ପାଇଁ ଯାତ୍ରା ମାଲିକ ସଂଘ ଯାତ୍ରା କମିଟି ମହାସଂଘ ସହ ଆଲୋଚନା ନକରନ୍ତି, ତେବେ ବାଧ୍ୟ ହୋଇ ଯାତ୍ରା କମିଟି ମହାସଂଘ, ଓଡ଼ିଶା ଏହା ଉପରେ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ମହାସଂଘର ସଭାପତି ପ୍ରଦୀପ ଦାସ, ସମ୍ପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ମାନସ ସାମନ୍ତ, ଆଞ୍ଚଳିକ ସମ୍ପାଦକ ସୋମନାଥ ପଣ୍ଡା, ସୀତାକାନ୍ତ ମହାପାତ୍ର, ଇନ୍ଦ୍ରଜିତ ପରିଡ଼ା ଓ ଯାତ୍ରା କମିଟି ମହାସଂଘର ସମସ୍ତ ସଦସ୍ୟମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ