ମେଡିକାଲ କଲେଜ ସ୍ଥାପନା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ; ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନା ଦାବିନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବା ଜଣା ପଡିଛି । ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲାର ଜନ ସାଧାରଣଙ୍କୁ ଉନ୍ନତମାନ ର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମେଡିକାଲ କଲେଜ ସ୍ଥାପନା ଦାବି ପ୍ରତି ଜନ ସମର୍ଥନ ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ରାଜ୍ୟରେ ୩ଟି ମେଡିକାଲ କଲେଜକୁ ବୃଦ୍ଧିକରି ୧୦ରେ ପହଁଚି ଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ସେଥିରୁ ବାଦ୍ ପଡିଛି । କୃଷି ପ୍ରଧାନ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ, ରାଜପଥ ଓ ରେଲପଥ ଜନିତ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ମେଡିକାଲ କଲେଜ ଦ୍ୱାରା ସହଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ । ଏହାକୁ ଦୃଷ୍ଟିରେ ରଖି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗଣ କନଭେସନ ସ୍ଥାନୀୟ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାବାସୀ ଶାସକ ଦଳକୁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶାସକ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଲୋଚନାରେ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି କନଭେନସନରେ କେନ୍ଦ୍ରାପଡା ବିକାଶ ସାମୁଖ୍ୟର ଆବାହକ ଅଧ୍ୟାପକ ଅଜୟ ସାମଲ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏହି ବୈଠକରେ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ସିପିଆଇର ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଗୈାରାଙ୍ଗ ଚରଣ ବେହେରା ଓ ଆଦିକନ୍ଦ ରାଉଳ ଆଲୋଚନା କରିଥିବା ବେଳେ ସିପିଆଇଏମ ଜିଲ୍ଲା ସଂପାଦକ ଗୟାଧର ଧଳ ଓ କଂଗ୍ରେସ ନେତା ଫକିର ଚରଣ ଖଟୁଆ ମେଡିକାଲ କଲେଜ ପ୍ରତିଷ୍ଠାର ରାଜନୈତିକ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି କନଭେସନରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ବିଏସପି ନେତା ରଞ୍ଜନ ମଲିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନେତା ଉପେନ୍ଦ୍ର ନାଥ ପ୍ରଧାନ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ଆଇଏନଟିୟୁସିର ଜିଲ୍ଲା ସଭାପତି ମୁକ୍ତାର ଖାଁ, ମେଳା ବ୍ୟବସାୟୀ ସଂଘର ଚିତ ରଞ୍ଜନ ମହାନ୍ତି, ନବ ନିର୍ମାଣ କୃଷକ ସଂଗଠନର ଦୋଳ ଗୋବିନ୍ଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ, ଧୋୟାଂଚଳ ବିକାଶ ପରିଷଦର ରାଜକୁମାର ବିଶ୍ୱାଳ, ଶିକ୍ଷକ ନେତା ଦିବାକର ଜେନା , କେନ୍ଦ୍ରାପଡା ସାହିତ୍ୟ ସଂସଦର ସଭାପତି ଡ଼ଃ. ବାସୁଦେବ ଦାସ, ପୂର୍ବତନ ସୈନିକ ସଂଘର ମେଜର ଭରତ ଜେନା, ବିଷ୍ଣୁ ଚରଣ ବାରିକ, ବସନ୍ତ ସେଠୀ, ରାମକୃଷ୍ଣ ଦାସ, ସରୋଜ କୁମାର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଏହି ଆନ୍ଦୋଳକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ସର୍ବ ଶେଷରେ ଆସନ୍ତା ମାର୍ଚ୍ଚ ୪ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଏକ ବିରାଟ ଗଣ ଧାରଣା କରାଯିବା ସହିତ ତା ପୂର୍ବରୁ ବିଭିନ୍ନ ବ୍ଲକ ସ୍ତରରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ କନଭେସନ ମାନ କରାଯିବାକୁ ସ୍ଥିର ହୋଇଛି । କର୍ମଚାରୀ ନେତା ଅମୀୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଭାଗିରଥୀ ଜେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ