ତୁ’ ମୋତେ ନ ଖା’, ମୁଁ ତୋତେ ନଖାଏ
ବିପିନ ବିହାରୀ ମହାନ୍ତି
ଆମେ ଯେତେ ନିଶା ଖାଉ, ତା ମଧ୍ୟରେ ଧୂମପାନ ଅନ୍ୟତମ । ଧୂମପାନ ତମାଖୁ ସେବନର ଅନ୍ତର୍ଗତ । ସିଗାରେଟ୍, ବିଡ଼ି ଏବଂ ପିକା ଇତ୍ୟାଦି ସମାଜର ଅଶେଷ କ୍ଷତି କରୁଥିଲେ ହେଁ; ଏହାକୁ ନିଷେଧ କରିବାରେ ସେମିତି କିଛି ଆଖି ଦୃଶିଆ କଡ଼ା ଆଇନ୍ ନାହିଁ । ତମାଖୁ ସେବନ ଏବଂ ଧୂମପାନ କାରଣୁ ଅଧୁନା ପୃଥବବୀରେ ପ୍ରତି ଦଶ ସେକେଣ୍ଡରେ ଜଣେ ମରୁଛନ୍ତି, ଆଶା କରାଯାଏ ଯେ, ଏହାର ବହୁଳ ବ୍ୟବହାର ଉପରେ ଲଗାମ ନଲଗାଇଲେ ଅଥବା ଏହାକୁ ସଂପୂର୍ଣ୍ଣ ବାରଣ ନକଲେ, ପ୍ରତିସେକେଣ୍ଡରେ ଜଣେ ଲେଖାଏଁ ମରିବା ସୁନିଶ୍ଚିତ । ଆମ ଭାରତରେ ତମାଖୁ ସେବନ ଜନିତ ସଂଖ୍ୟା ଏବେ ୧୨କୋଟିରୁ ଉର୍ଦ୍ଧ୍ୱ ଏବଂ ଏଥିରେ ପ୍ରତିବର୍ଷ ମରନ୍ତି ପ୍ରାୟ ନଅକୋଟି । ଏକ ସ୍ୱାସ୍ଥ୍ୟ ସୂଚନାରୁ ଜଣା ପଡ଼ିଛି ଯେ, ଭାରତର ୬୦ଲକ୍ଷ ହୃଦ୍ରୋଗୀମଧ୍ୟରୁ ୩୦ଲକ୍ଷ ହୃଦ୍ରୋଗୀ ହେଉଛନ୍ତି ତମାଖୁ ବା ଧୂମପାନ ସେବନ ଜନିତ ରୋଗୀ । ଭାରତରେ ଥିବା କର୍କଟ ରୋଗୀଙ୍କ ମଧ୍ୟରେ ୯୦% ତମାଖୁ ସେବନ ଜନିତ କର୍କଟ ରୋଗୀ, ମୁଖଗହ୍ୱର କର୍କଟ ରୋଗର ମୁଖ୍ୟ କାରଣ । ଯଦି ସତର୍କତା ଅବଲମ୍ବନ କରାନଯାଏ ତେବେ ନିକଟ ଭବିଷ୍ୟତରେ ଏହା ଆଶାତୀତ ଭାବେ ବୃଦ୍ଧି ପାଇବ । ତମାଖୁରେ ୭୦୦୦ ପ୍ରକାର ରାସାୟନିକ ପଦାର୍ଥ ଅଛି ଯାହା ମଧ୍ୟରୁ ଅଧିକାଂଶ ଉପାଦଳନା ପ୍ରବେଶ କରି ବଭିନ୍ନ ରୋଗର କାରଣ ହୋଇଥାଏ । ଏହା ଶରୀରକୁ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ପ୍ରଭାବିତ କରିବା ସହ କର୍କଟ, ହୃତ୍ପିଣ୍ଡ ସଂକ୍ରାନ୍ତୀୟରୋଗ, ଫୁସ୍ଫୁସ୍ ଜନିତ ରୋଗ ଏବଂ ହୃତ୍ଘାତରେ କାରଣ ହୋଇଥାଏ । ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱର ସର୍ବାଧିକ ମୁଖ କର୍କଟ ରୋଗୀ ଭାରତରେ ହିଁ ଅଛନ୍ତି । ଏହାର ମୁଖ୍ୟ କାରଣ ସେହି ଧୂମପାନ ଏବଂ ତମାଖୁ ସେବନ । ଏବେ କଅଁଳ ବୟସର ପିଲାମାନେ ବିଶେଷକରି ୧୩-୧୫ ବର୍ଷର ପିଲାଏ ସର୍ବାଧିକ ଧୂମପାନ କରୁଛନ୍ତି । ଏହା ଏମିତି ଏକ ନିଶା ଯାହା ଥରେ ମାତ୍ର ଅଭ୍ୟାସ ରତ ହୋଇଗଲେ, ସାରା ଜୀବନ ଛାଡ଼ି ହୁଏନାହିଁ ଏବଂ ତାହା ତୁମକୁ ଗୋଡ଼ାଇ ଗୋଡ଼ାଇ ଖାଏ ।ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିଟି ସିଗାରେଟ୍ ସେବନ ଦ୍ୱାରା ମଣିଷର ଆୟୁ ୫ମିନିଟ୍ କମିଥାଏ । ଖଣ୍ଡିଏ ହୁକା ଟାଣିଲେ ୧୧ମିନିଟ୍ ଆୟୁ କମେ ଯାହାକି ୨୦ଟି ବିଡ଼ି ଟଣା ସହିତ ସମାନ । ଏହା ଅର୍ଥ ନୁହେଁ ବିଡ଼ିରେ କମ୍ ନିକୋଟିନ୍ ଅଛି ବୋଲି ତାକୁ ଖାଇବା । ଆମେ ମନେ ରଖିବା ଉଚିତ୍ ଯେ ପ୍ରାଣଘାତୀ ଆକ୍ରମଣ ପାଇଁ ଟୋପାଏ ବିଷ ପାନ ଯେପରି, ସେମିତି ବିଡ଼ି ଓ ସିଗାରେଟ୍ ଖାଉଥିବା ଲୋକଙ୍କ କଥା । ବିଡ଼ି ବା ସିଗାରେଟ୍ ଅଭ୍ୟାସ କରୁଥିବା ଲୋକଙ୍କର ଆୟୁଷର ୬ରୁ ୧୦ ପୂର୍ବରୁ ମୃତ୍ୟୁବରଣ ହୋଇଥାଏ । ଏବେ ତ ଉଭୟ ପୁରୁଷ ଏବଂ ମହିଳା ମାନେ ତମାଖୁ ସହିତ ଧୂମପାନ କରୁଛନ୍ତି । ଆମ ଭାରତରେ ଏହିପରି ପୁରୁଷ ସେବନକାରୀ ସଂଖ୍ୟା ୫୬.୪% ଏବଂ ନାରୀ ମାନଙ୍କ ସଂଖ୍ୟା ୪୪.୬% । ଆମ ଦେଶରେ ଏକ ତୃତୀୟାଂଶ ଜନସଂଖ୍ୟା ଏଥିରେ ଅଭ୍ୟସ୍ତ ।
ବିଶ୍ୱ ତମାଖୁ ସର୍ବେକ୍ଷଣ ୨୦୧୦ ଅନୁସାରେ ଯୁବକମାନଙ୍କର ୫୨% ଘରେ, କର୍ମକ୍ଷେତ୍ରରେ ୩୦% ଏବଂ ଜନତା ପରିବହନରେ ୧୭.୫% ତମାଖୁ ସେବନ ପ୍ରତି ଉନ୍ମୁକ୍ତ ଅଟନ୍ତି । ଉଲ୍ଳେଖ୍ୟ ଯୋଗ୍ୟ ଯେ ଯେଉଁମାନେ ଏହାକୁ ସେବନ କରନ୍ତି, ସେମାନେ ତ ଏହାର ଶିକାର ହୁଅନ୍ତି, ତାଙ୍କ ସହିତ ବା ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁ ଯେଉଁମାନେ ଅଣ ଧୂମପାନକାରୀ ସେମାନେ ଘରେ ବା’ କର୍ମ କ୍ଷେତ୍ରରେ ଯେଉଁଠି ଥାଆନ୍ତି, ୨୫.୩୦% ହୃଦରୋଗ ଏବଂ ୨୦-୩୦% ଫୁସ୍ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି । ଅନ୍ତରାଷ୍ଟ୍ରୀୟ ଗବେଷଣାରୁ (ଏସ୍.ଏଚ୍.ଏସ୍) ଏହା ମଣିଷ ପାଇଁ ପଦାଙ୍କିତ କାରଣ ହୋଇଛି । ଏସ୍.ଏଚ୍.ଏସ୍ରେ ୭୦୦୦ ବିଷାକ୍ତ ରାସାୟନିକ ମଧ୍ୟରୁ ୬୯ ଗୋଟି କର୍କଟ ରୋଗର କାରଣ ।ନିକଟରେ ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ତମାଖୁ ସେବନ କାରଣରୁ ଆମେରିକାରେ ପ୍ରତିବର୍ଷ ପ୍ରାୟ ପାଞ୍ଚଲକ୍ଷ ଲୋକ କ୍ୟାନ୍ସରର ଶିକାର ହୋଇଥାଆନ୍ତି । ଆମେରିକାର ରୋଗ ନିୟନ୍ତ୍ରଣ ଓ ମୁକାବିଲା କେନ୍ଦ୍ର (ସିଡ଼ିସି)ର ତଥ୍ୟାନୁଯାୟୀ କ୍ୟାନ୍ସର ଅର୍ଦ୍ଧାଧିକ ମାମଲା ଫୁସ୍ଫୁସ୍ ଓ ଶ୍ୱାସନଳୀ ସମ୍ବନ୍ଧିତ । ଏତଦ୍ ଭିନ୍ନ ମୁହଁ, ପେଟ ଓ କିଡ଼୍ନୀ କ୍ୟାନସର ହେବାର ସମ୍ମାବନା ମଧ୍ୟ ତମାଖୁ ସେବନରୁ ବୋଲି ସତର୍କ କରାଯାଇଛି । ଦେଶର ଆର୍ଥିକ କ୍ଷେତ୍ରରେ ଏହାର ପ୍ରଭାବ ମଧ୍ୟ ବେଶ୍ କ୍ଷତିକାରକ; ପାଖାପାଖି ୧୬୭ ଶହ କୋଟି ଡ଼ଲାର ।ଏସ୍.ଏଚ୍.ଏସ୍ ପ୍ରତି ଉନ୍ମୁକ୍ତ ପିଲାମାନେ ହଠାତ୍ ପ୍ରାଥମିକ ଲକ୍ଷଣ ସହ (ଏସ୍.ଆଇ.ଡ଼ି.ଏସ୍) ତୀବ୍ର ଶ୍ୱାସ, କଣ୍ଠ ସମସ୍ୟା, ଶ୍ୱାସନଳୀ ପ୍ରଦାହ ଏବଂ ଅତିଶୟ ଆଜମୀ ନିମନ୍ତେ ବର୍ଦ୍ଧିତ ବିପଦରେ ଥାଆନ୍ତି । ଏସ୍.ଏଚ୍.ଏସ୍ ପ୍ରତି ଯୁବକ ମାନଙ୍କର ଉନ୍ମୁକ୍ତ, ହୃତପିଣ୍ଡ ଓ ଧମନୀ ରୋଗ, କୋରରୋନରୀ ହୃଦୟ ରୋଗ ଏବଂ ବାୟୁ କୋଷ ଫୁସ୍ ଫୁସ୍ କର୍କଟର କାରଣ ହୋଇଥାଏ ।
୨ ଅକ୍ଟୋବର ୨୦୦୮ ରେ ଭାରତ ସରକାର ସର୍ବ ସାଧାରଣ ସ୍ଥାନରେ ଧୂମପାନ ନିଷେକ୍ଷ” ଉପରେ ସଂଶୋଧିତ ଆଇନ୍ ଲାଗୁ କରିଛନ୍ତି । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ୨୦୦ଟଙ୍କା ଜୋରିମନା ଦେବାର ନିୟମ ଥିଲା ଏହାକୁ ଧରାଇଦେବାରେ ସ୍ୱାସ୍ଥ୍ୟ ଓ ଗୃହ ବିଭାଗ ତରଫରୁ କର୍ମଚାରୀମାନଙ୍କୁ ନେଇ ସ୍ୱେଚ୍ଛାସେବା ସଂଗଠନ ମାଧ୍ୟମରେ ବ୍ୟବସ୍ଥା ଅଛି । ସରକାରୀ କର୍ମଚାରୀ ତାଙ୍କ କାର୍ଯ୍ୟାଳୟରେ ଧୂମପାନ କଲେ ୫୦୦ଟଙ୍କା ଏବଂ ଦୁଇଜଣ ମିଶି ଧୂମପାନ କଲେ ୧୦ ହଜାର ଟଙ୍କାର ଜୋରିମାନା କଥା ବି ଅଛି ।ଏସବୁ ସତ୍ତ୍ୱେ ଧୂମପାନକାରୀଙ୍କ ସଂଖ୍ୟା ବଢ଼ି ରହିଛି । ଆଇନ୍ ତା’ ପୋଥି ଭିତରେ ନୀରବ । କର୍ମୀଙ୍କ କଥା ଛାଡ଼ । ମଦ କୁହେ; ତୁମେ ମାନେ ମୋତେ ଖାଉନ, ମୁଁ ତୁମକୁ ଖାଉଛି । ଏବେ ଧୂମପାନ କଥା ସେୟା, ଆମେ କ’ଣ କହିବା ଯେ ଧୂମପାନ ଆମକୁ ଖାଉ !
ଧୂମପାନ ନିଷେଧ ପାଇଁ ଆମ ଜାତୀୟ ସରକାର ନାନାବିଧ ପଦକ୍ଷେପ ନେଇଛନ୍ତି । ସିଗାରେଟ୍ ଟାଣିବା ଓ ତମାଖୁ ଚୋବାଇବାରେ କଡ଼ା କଟକଣା ଜାରିକରିବାରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଗତ ସେପ୍ଟେମ୍ବର ୨୦୧୪ରେ କମିଟି ତାଙ୍କ ସୁପାରିଶ ଦେଇଛନ୍ତି । ଏହା ଏକ ସ୍ପର୍ଶକାତର ବିଷୟ ହେତୁ ଆଗାମୀ ଶୀତକାଳୀନ ଅଧିବେଶନରେ ସାଂସଦରେ ପାରିତ ହୋଇ ନିୟମରେ ପରିଣତ ହେବାର ଅଛି । ଏହା ଯଦିହୁଏ, ତେବେ ପୂର୍ବ ଆଇନ୍ର ସଂଶୋଧିତ ରୂପରେ ସର୍ବସାଧାରଣ ସ୍ଥାନରେ ଧୂମପାନକଲେ ପୂର୍ବ ପ୍ରଚଳିତ ୨୦୦ ଟଙ୍କା ପରିବର୍ତ୍ତେ ଏହା ୨୦ ହଜାର ଟଙ୍କା ଜୋରିମନା ହେବ । ସିଗାରେଟ୍ର ବ୍ୟବହାର ରୋକିବା ଏବଂ ହ୍ରାସପାଇଁ ଏଣିକି ପ୍ୟାକେଟ୍ରୁ ଖୋଲି କେହି ଖୁଚୁରା ବିକିପାରିବେ ନାହିଁ କାରଣ ଖୋଲା ସିଗାରେଟ୍ ପାନ ବିଡ଼ି ସିଗାରେଟ୍ ଦୋକାନରେ ଅଧିକ ବିକ୍ରି ହୋଇଥାଏ । ତେବେ ପ୍ୟାକେଟ୍ ବିକ୍ରି ଉପରେ ବି ପ୍ରଶ୍ନବାଚୀ ଅଛି । ପ୍ୟାକେଟ୍ଟିଏ ପାଖରେ ଥିଲେ ଅଧିକ ପିଇବାକୁ ଇଛାହୁଏ । ପୁନଶ୍ଚ କଂପାନୀମାନଙ୍କୁ ସତର୍କ କରାଇ କୁହାଯାଇଛି ଯେ ସେମାନେ ପ୍ୟାକେଟ୍ ଉପରେ ୮୦% ସ୍ଥାନରେ ବୈଧାନିକ ସତର୍କତାସ୍ୱରୂପ ଫଟୋ ସହିତ ଚେତାବନୀକୁ ଦୃଶ୍ୟମାନ ବଡ଼ ଆକାରରେ ସ୍ତାନିତ କରିବେ । ପୂର୍ବରୁ ଏହାକୁ ଖିଲାପ କଲେ ୫୦୦୦ ଟଙ୍କା ଜୋରିମନା ଦେବାକୁ ଥିଲା । ଏବେ ଏହାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ, ତମାଖୁ ସେବନ ନିମନ୍ତେ ସର୍ବନିମ୍ନ ବୟମ୍ ୧୮ରୁ ୨୫କୁ ବୃଦ୍ଧି କରାଯାଇଛି । ଏହା କେତେଦୂର କାର୍ଯ୍ୟକାରୀ, ହେବ ତାହା କେବଳ ଦେଖିବାକୁ ରହିଲା ।ପ୍ରତିବର୍ଷ ୧୧ଅକ୍ଟୋବରକୁ ଧୂମପାନ ନିଷେଧ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ଛାତ୍ର ଛାତ୍ରୀ, ଶିକ୍ଷକ, ବୁଦ୍ଧିଜିବୀ ଏବଂ ସର୍ବ ସାଧାରଣ ମଧ୍ୟରେ ସଚେତନ ସୃଷ୍ଟିକରାଇ ଧୂମପାନ ସେବନରୁ ନିବୃତ୍ତ କରାଇବାକୁ ପ୍ରବର୍ତ୍ତାଉଛନ୍ତି ।ଧୂମପାନ କେବଳ ଆମ ରୋଗର ଏକ ମାରତ୍ମକ କାରଣ ନୁହେଁ । ଏହା ଏକ ନିହାତି ଅସଭ୍ୟତା ଏବଂ ଅଭଦ୍ରତା । ଏ ନେଇ ଗାନ୍ଧି କହିଛନ୍ତି ।ଯେବେଠାରୁ ମୁଁ ବଡ଼ ହୋଇଛି, ମୁଁ କେବେବେି ଧୂମପାନ କରିବାକୁ ଇଛା କରିନାହିଁ ଏବଂ ସର୍ବଦା ଧୂମପାନ ଅଭ୍ୟାସକୁ ଅସଭ୍ୟ, ଘୃଣ୍ୟ ଓ କ୍ଷତିକାରକ ବୋଲି ବିବେଚନା କରିଛି । ମୁଁ କେବେବି ବୁଝିପାରିନାହିଁ ଯେ ସମଗ୍ର ବିଶ୍ୱରେ ଧୂମପାନ ପାଇଁ ଏତେ ଆବେଗ କାହିଁକି ? ଧୂମପାନ କରୁଥିବା ଲୋକମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥିବା ଏକ ରେଳଡ଼ବାରେ ବସିବାକୁ ମୁଁ ସହ୍ୟ କରିପାରିବି ନାହିଁ । -ସତ୍ୟ ସହିତ ମୋ ପରୀକ୍ଷା ।
ଅଧ୍ୟାକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା, ପ୍ରତିଷ୍ଠାନ
ବିପିନ ବିହାରୀ ପାଠାଗାର, ଜଟଣୀ