ତୃଣମୂଳ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଦଳ ନୁହେଁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ବାଲେଶ୍ୱର ସହର ଆତିଥ୍ୟ ସଭାଗୃହରେ ଜିଲ୍ଲା ତୃଣମୂଳ କଂଗ୍ରେସର ବାଲେଶ୍ୱର ସଂସଦୀୟ କ୍ଷେତ୍ର ତଥା ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଦିବ୍ୟସିଂହ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର ଓଡିଶା ପ୍ରଭାରୀ ପ୍ରଦୀପ କୁମାର ପାତ୍ର ଏବଂ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ଅଧ୍ୟାପକ ଗୋବିନ୍ଦ ଭଗବାନ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରଭାରୀ ଶ୍ରୀଯୁକ୍ତ ପାତ୍ର ପ୍ରାର୍ଥୀମାନଙ୍କନ ନାମ ଘୋଷଣା ସହିତ ତୃଣମୂଳ କଂଗ୍ରେସ ପାର୍ଟି ସର୍ବଭାରତୀୟ ସଭାନେତ୍ରୀ ତଥା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କର ନେତୃତ୍ୱ ଓ ଦଳର ଆଭିମୁଖ୍ୟ, ନୀତି ତଥା ଲୋକାଭିମୁଖୀ ବିକାଶର ଅବତାରଣା କରିବା ସହିତ ଦଳର ସର୍ବଭାରତୀୟ ସାଧାରଣ ସଂପାଦକ ସୁବ୍ରତ ବକ୍ସି ଓ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସାଙ୍ଗଠାନିକ ଦକ୍ଷତାର ଅବତାରଣା କରିଥିଲେ । ଅଧିକାଂଶ ରାଜନୈତିକ ଦଳର ମାଲିକମାନେ ଲୋକମାନଙ୍କ ଦ୍ୱାରା ବାରମ୍ବାର ପରୀକ୍ଷିତ ଓ ଉପେକ୍ଷିତ ପ୍ରାର୍ଥୀମାନଙ୍କୁ ଭୋଟରମାନଙ୍କ ଉପରେ ଲଦି ଦେଉଥିବାରୁ ପୃଥିବୀର ସର୍ବବୃହତ ଗଣତନ୍ତ୍ର ଆଜି ସମ୍ପୂର୍ଣ୍ଣ ଦିଶାହରା ବୋଲି ପ୍ରଚାର କମିଟିର ଅଧ୍ୟକ୍ଷ, ଅଧ୍ୟାପକ ଗୋବିନ୍ଦ ଭଗବାନ ପ୍ରମୁଖ କ୍ଷୋଭ ପ୍ରକାଶ କରିଥିଲେ । ଦଳ ନୁହେଁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ, ଭୋଟରମାନେ ସଚେତନଶୀଳ ହୋଇ ଯୋଗ୍ୟତମ ପ୍ରାର୍ଥୀମାନଙ୍କୁ ନିର୍ବାଚନ କରି ଦଳତନ୍ତ୍ରର ପ୍ରଭାବ ଖତମ କଲେହିଁ ଅସଲ ଗଣତନ୍ତ୍ରର ପ୍ରଭାବ ବଳବତ୍ତର ରହିପାରିବ ବୋଲି ତୃଣମୂଳ କଂଗ୍ରେସ ଆହ୍ୱାନ ଦିଏ । ତୃଣମୂଳ କଂଗ୍ରେସ ବାଲେଶ୍ୱର ଜିଲ୍ଲା ଓ ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ମଧ୍ୟରେ ଜଳେଶ୍ୱରରୁ ଦୀପକ କୁମାର କାପୁଡୀ, ଭୋଗରାଇରୁ ସଲିମ ଅଲ୍ଲୀ, ବସ୍ତାରୁ ନନ୍ଦନ ପାଲ, ରେମୁଣାରୁ ବିଧାନ ଚନ୍ଦ୍ର ଜେନା, ବାଲେଶ୍ୱର ସଦରରୁ ମେହେରାଜ ଅଲ୍ଲୀ ଏବଂ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ହାଜି ଇସ୍ତେହାର ପ୍ରମୁଖ ଅଟନ୍ତି ।


