ଏକାମ୍ର ଭୁବନେଶ୍ୱର ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ
ଭୁବନେଶ୍ୱର : ଏକାମ୍ର ଭୁବନେଶ୍ୱର ବିଧାନସଭାର ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ଏକାମ୍ର ଜନଜାଗରଣ ମଞ୍ଚ ତରଫରୁ ଆଜି ଅଭିଯୋଗ କରାଯାଇ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବା ପାଇଁ ଦାବୀ କରାଯାଇଛି । ଅଭିଯୋଗ ଅନୁସାରେ ଭାଜପା ପ୍ରାର୍ଥୀ ଶ୍ରୀ ବାବୁ ସିଂ ୨୦୧୨ ମସିହାରେ ଭୁବନେଶ୍ୱର ସିଭିଲ୍ କୋର୍ଟ ଦ୍ୱାରା ଜାଲସାଜି ଓ ଜମି ହଡ଼ପ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପ୍ରକାଶଥାଉ କି ୨୦୦୫ ମସିହାରେ ପ୍ରତ୍ୟାଶୀ ବାବୁ ସିଂ ଏକାମ୍ର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩ଜଣ ବ୍ୟକ୍ତିଙ୍କ ନାମରେ ଥିବା ଜମିକୁ ଏକ ପାୱାର ଅଫ୍ ଆଟର୍ଣ୍ଣିଂ ଦ୍ୱାରା ନିଜ କବଳକୁ ଆଣିଥିଲେ । କିନ୍ତୁ ୨୦୧୦ ମସିହାରେ ଜମିର ଉତ୍ତରାଧିକାରୀ ସିଭିଲ୍ କୋର୍ଟରେ ଅଭିଯାଗ କରିଥିଲେ ଯେ ଯେଉଁମାନଙ୍କୁ ଜମି ମାଲିକ ରୂପେ ଦର୍ଶାଇ ବାବୁ ସିଂ ପାୱାର ଅଫ୍ ଆଟର୍ଣ୍ଣିଂ ପ୍ରସ୍ତୁତ କରିଥିଲେ, ସେମାନେ ପ୍ରକୃତ ମାଲିକ ନୁହଁନ୍ତି । ପ୍ରକୃତ ମାଲିକଙ୍କ ମଧ୍ୟରୁ ୨ଜଣ ଯଥାକ୍ରମେ ୧୯୮୭ ଓ ୧୯୯୭ ରେ ମୃତ୍ୟୁବରଣ କରିଥିବା ବେଳେ ୨୦୦୫ ମସିହାରେ ସେମାନଙ୍କ ନାମରେ ଜାଲ୍ ବ୍ୟକ୍ତିଙ୍କ ଜରିଆରେ ଜାଲ୍ ଦସ୍ତାବିଜ୍ କରି ପ୍ରସ୍ତୁତ କରି ବାବୁ ସିଂ ଜମି ହଡ଼ପ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସିଭିଲ୍ କୋର୍ଟ ଏ ସମ୍ବନ୍ଧରେ ଏହାର (କେସ୍ ନଂ ୩୭୦/୧୦) ନିଜର ରାୟ ଦେଇ ବାବୁ ସିଂଙ୍କୁ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିଥିବାର ଦୋଷୀ ସାବ୍ୟସ୍ତ କରିଥିଲେ । ସୂଚନାଥାଉକି, ଘଟଣାକୁ ନେଇ ଗତ ମାର୍ଚ୍ଚ ୨୯ ତାରିଖରେ ଧଉଳି ଥାନାରେ ଅଭିଯୋଗ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ନିର୍ବାଚନୀ ନିୟମାବଳୀ ଅନୁସାରେ ପ୍ରାର୍ଥୀଙ୍କ ବିରୁଦ୍ଧରେ ଥିବା ମକଦ୍ଦମା ସମ୍ବନ୍ଧରେ କେବଳ ସୂଚନା ଦେବା ପାଇଁ ନିୟମ ରହିଥିଲେ ମଧ୍ୟ ଏହିଭଳି ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜନପ୍ରତିନିଧିଭାବେ ସୁଯୋଗ ନ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ମଞ୍ଚର ମୁଖପାତ୍ର ହିଂମାଶୁ ହୋତାଙ୍କ ନେତୃତ୍ୱରେ ସଭ୍ୟମାନେ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ସାକ୍ଷାତ୍ କରି ଅଭିଯୋଗ କରିଥିଲେ ।


