ତେଜରାତି ସାମଗ୍ରୀର କଳାବଜାର : ପ୍ରଶାସନ ନିରବ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦିନକୁ ଦିନ ମୃତ୍ୟୁ ହାର ସାଙ୍ଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସରକାର ଲକଡ଼ାଉନ ଅବଧିକୁ ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଲକଡ଼ାଉନ ବଢିବା ସହ ସ୍ଥାନୀୟ ବଜାରରେ ବିଭିନ୍ନ ପ୍ରକାର ରାସନ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । କେବଳ ଦର ବୃଦ୍ଧି ନୁହେଁ କିଛି ଗୋସେରୀ ସାମଗ୍ରୀର କଳାବଜାରୀ ହେୁଥିବା ମଧ୍ୟ ଅଭିଯୋଗ ହେଉଛି । ସାମଗ୍ରୀ ଗଛିତ ଥାଇ ମଧ୍ୟ କିଛି ଦୋକାନୀ ତାକୁ କୃତିମ ଅଭାବ ଦର୍ଶାଇ ଦର ବୃଦ୍ଧି କରି ବିକୁ ଥିବା ଦେଖିବାକୁ ମିଳୁଛି । ହୋଲସେଲର ମାନେ ଖୁଚୁରା ବେପାରୀଙ୍କୁ ପ୍ରିଂଟ୍ ମୁଲ୍ୟରେ ହିଁ ସାମଗ୍ରୀ ଯୋଗାଉଥିବା ବେଳେ ଗ୍ରାହକଙ୍କୁ କିପରି ବିକିବେ ତାହା ଖୁଚୁରା ବେପାରୀ ଜାଣିବା ମୁସ୍କିଲ ହୋଇପଡ଼ିଛି । ଲକଡ଼ାଉନକୁ ବାହାନା କରି କିଛି ଦିନ ତଳେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଅଟା, ଡ଼ାଲି, ଖାଇବା ତେଲର ଦର ବୃଦ୍ଧି କରି ଦିଆଯାଇଥିଲା । ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ଆଳୁ, ପିଆଜ ଓ ପନିପରିବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଦୋକାନ ବଜାରରେ ଅନ୍ୟ ଏକ ପ୍ରକାର ଦର ବୃଦ୍ଧିର ନମୁନା ଦେଖିବାକୁ ମିଳିଛି । କିଛି ଖୁଚୁରା ବେପାରୀ ୫ ଟଙ୍କା ପ୍ରିଂଟ୍ ରହିଥିବା ମାଗି, ନୁନୁଲ୍ସକୁ ୬ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି ଏବଂ ୧୦ ଟଙ୍କା ପ୍ରିଂଟ ରହିଥିବା ଅମୁଲ ପ୍ୟାକେଟକୁ ୧୧ ଟଙ୍କାରେ ବିକ୍ରି କରାଯାଉଥିବା ମଧ୍ୟ ଜଣାପଡ଼ିଛି । ଏ ନେଇ କିଛି ଖୁଚୁରା ବେପାରୀଙ୍କୁ ପଚାରିବାରୁ ସେ କହିଥିଲେ ହୋଲସେଲର ମାନେ ଉକ୍ତ ସାମଗ୍ରୀ ଗୁଡ଼ିକୁ ପ୍ରିଂଟ ରେଟ୍ରେ ଆମକୁ ବିକ୍ରି କରୁଥିବାରୁ ବାଧ୍ୟ ହୋଇ ଆମେ ଏହାକୁ ୬ ଟଙ୍କାରେ ବିକ୍ରି କରୁଛୁ । ତେବେ ଆଉ କିଛି ଖୁଚୁରା ବେପାରୀ ଭୟଭୀତ ହୋଇ ଉକ୍ତ ସାମଗ୍ରୀ ବିକ୍ରି କରୁନଥିବା କହୁଛନ୍ତି । ରାସନ ସାମଗ୍ରୀ ବ୍ରହ୍ମପୁର ଅଂଚଳର ବଡ଼ବଜାର ଅଂଚଳରୁ କିଣି ସ୍ଥାନୀୟ ଅଂଚଳର ରାସନ ଦୋକାନୀ ମାନେ ବିକ୍ରି କରୁଥିବା ବେଳେ ସେହି ଅନୁପାତରେ ସ୍ଥାନୀୟ ଅଂଚଳର ଖୁଚୁରା ବେପାରୀ ମାନେ ବିକ୍ରି କରବାକୁ ପଡ଼ୁଛିି ବୋଲି କିଛି ବ୍ୟବସାୟୀ କହିଛନ୍ତି । ଘଟଣା ନେଇ ସ୍ଥାନୀୟ ଯୋଗାଣ ନିରୀକ୍ଷକ ପୁରଂଜୟ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।