ତେଜସ୍ୱିନୀଙ୍କୁ କର୍ଣ୍ଣାଟକ ବିଜେପି ଉପାଧ୍ୟକ୍ଷ ଦାୟିତ୍ୱ
ବେଙ୍ଗାଲୁରୁ(ଏଜେନ୍ସି): ଦିବଗନ୍ତ କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାରଙ୍କ ପତ୍ନୀ ତେଜସ୍ୱିନୀଙ୍କୁ ଆଜି କର୍ଣ୍ଣାଟକ ବିଜେପି ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଚଳିତ ଲୋକସଭା ନିର୍ବାଚନରେ ଦକ୍ଷିଣ ବେଙ୍ଗାଲୁରୁ ଆସନରୁ ବିଜେପି ଯୁବନେତା ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରାର୍ଥୀ କରିବା ପରେ ତେଜସ୍ୱିନୀ ଦଳ ଛାଡିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରି ସ୍ଥିତିରେ ବିଜେପି ତେଜସ୍ୱିନୀଙ୍କୁ ଥଇଥାନ କରିବାକୁ ଯାଇ ତାଙ୍କୁ କର୍ଣ୍ଣାଟକ ପ୍ରଦେଶ ବିଜେପିର ଉପାଧ୍ୟକ୍ଷ ଘୋଷଣା କରିଛି । ସୂଚନାଯୋଗ୍ୟ, ବିଜେପି ନେତା ଅନନ୍ତ କୁମାରଙ୍କ ଦେହାନ୍ତ ପରେ ଏହି ଆସନରେ ବିଜେପି ତାଙ୍କ ପତ୍ନୀ ତେଜସ୍ୱିନୀଙ୍କୁ ପ୍ରାର୍ଥୀ କରିବା ଅନୁମାନ କରାଯାଉଥିଲା । କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ୍ ୟେଦ୍ୟୁରପ୍ପା ମଧ୍ୟ ଏହି ଆସନ ପାଇଁ ତେଜସ୍ୱିନୀଙ୍କ ନାଁ ସୁପାରିସ କରିଥିଲେ । ମାତ୍ର କେନ୍ଦ୍ରୀୟ କମିଟି ଏହି ଆସନରୁ ଯୁବନେତା ତଥା ଡାକ୍ତର ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା । ଏହି ଘଟଣାରେ ଅସନ୍ତୁଷ୍ଟ ହୋଇପଡିଥିବା ତେଜସ୍ୱିନୀ ଦଳ ଛାଡିବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଥିଲା । ମାତ୍ର
ବିଜେପି ପକ୍ଷରୁ ଆଜି ତାଙ୍କୁ ନୂଆ ଦାୟିତ୍ୱ ଦିଆଯିବା ପୂର୍ବକ ଥଇଥାନ କରାଯାଇଛି ।


