ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରଭାବ ଏଫ୍ଏଟିଏଫ୍ର କଳା ତାଲିକାଭୁକ୍ତ ହେବ ପାକିସ୍ତାନ!

ଇସଲାମାବାଦ୍(ଏଜେନ୍ସି): ବିଶ୍ୱ ଦରବାରରେ ଭାରତ ସରକାରଙ୍କ ଲବି ତଥା କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ୍, ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫ୍ଏଟିଏଫ୍)ର କଳା ତାଲିକାଭୁକ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏସମ୍ପର୍କରେ ନିଜେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେସୀ କହିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଏବେ ଏଫ୍ଏଟିଏଫ୍ର ଧୂଷର (ଗ୍ରେ) ତାଲିକାରେ ରହିଥିବାରୁ ବର୍ଷକୁ ୧ଠବିଲିୟନ ଡଲାରର କ୍ଷତି ସହୁଛି । ଯଦି ଏଫ୍ଏଟିଏଫ୍ର କଳା ତାଲିକା ଶ୍ରେଣୀରେ ପାକିସ୍ତାନ୍ ଆସିଯାଏ ତେବେ ପାକିସ୍ତାନ୍କୁ ଆହୁରି ଅନେକ ଗୁଣ କ୍ଷତି ସହିବାକୁ ହେବ । ଯାହାକି ପାକିସ୍ତାନ୍ର ଆର୍ଥିକ ସ୍ଥିତି ଉପରେ ଭାରିମାତ୍ରାରେ ପ୍ରଭାବ ପକାଇବ । ପାକିସ୍ତାନର ଏପ୍ରକାର ସ୍ଥିତି ପାଇଁ କ୍ୟୁରେସୀ ଭାରତ ସରକାରଙ୍କ କୂଟନୀତିକୁ ଦାୟୀ କରିଛନ୍ତି ।
ଆତଙ୍କବାଦ ଦମନ ତଥା ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ ପାକ୍ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଏଫ୍ଏଟିଏଫ୍ ଗତ ବର୍ଷ ପାକିସ୍ତାନକୁ ଧୂଷର ତାଲିକାଭୁକ୍ତ କରିଛି । ନିକଟରେ ଭାରତର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରରେ ଯେପରି ପାକ୍ ସରକାରଙ୍କ ଆତଙ୍କବାଦ ପ୍ରୀତିକୁ ଉପସ୍ଥାପିତ କରାଯାଇଛି ଏହାଦ୍ୱାରା ପାକିସ୍ତାନ ଉପରେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଅସନ୍ତୁଷ୍ଟ ହୋଇପଡିଛନ୍ତି । ଏସବୁ ମଧ୍ୟରେ ଏଫ୍ଏଟିଏଫ୍ ମଧ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଛି । ପ୍ରକାଶ ଯେ, ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ôଚଯାଇଛି । ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ଆଉ ଋଣ ଦେବାକୁ ରାଜି ହେଉନାହାନ୍ତି । ମୋଟାମୋଟି ଭାବେ କହିଲେ ପାକିସ୍ତାନକୁ ବିଦେଶୀ ପୁଞ୍ଜି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗତବର୍ଷ ପାକିସ୍ତାନ ଗସ୍ତରେ ଆସିଥିବା ଏଫ୍ଏଟିଏଫ୍ର ଏକ ପ୍ରତିନିଧି ମଣ୍ଡଳୀ ପାକ୍ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ପାକ୍ ସରକାର ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଅନ୍ତି, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ । ସେହିପରି ମିଳିଥିବା ଅନ୍ୟତମ ସୂଚନାନୁସାରେ ପାକିସ୍ତାନକୁ ଆଜି ବିଶ୍ୱ୍ବ୍ୟାଙ୍କ ପକ୍ଷରୁ ଜୋରଦାର ଝଟ୍କା ଲାଗିଛି । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହେବାକୁ ଥିବା ଏକ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୨ଠ କୋଟି ଡଲାରର ଋଣକୁ ବିଶ୍ୱବ୍ୟାଙ୍କ ଅଟକାଇ ଦେଇଛି । ପାକିସ୍ତାନର ପ୍ରଗତି ଏବଂ ନିୟନ୍ତ୍ରଣରେ ଅଭାବ ଯୋଗୁ ବିଶ୍ୱବ୍ୟାଙ୍କ ମୁଖ୍ୟ ଏହି ନିଷ୍ପତ୍ତି ନେଇଥିବା କାରଣରେ ଦର୍ଶାଯାଇଛି । ପ୍ରକାଶ ଯେ, ବେଲୁଚିସ୍ତାନରେ ଏକ ସମନ୍ୱିତ ଜଳ ସମ୍ପଦ ପରି·ଳନା ଏବଂ ବିକାଶ ଯୋଜନାରେ ଏକ ବୃହତ ଜଳ ପ୍ରକଳ୍ପ ଲାଗି ପାକ୍ ସରକାର ବିଶ୍ୱବ୍ୟାଙ୍କ ସହ ୩ବର୍ଷ ତଳେ ଏକ ଚୁକ୍ତି କରିଥିଲେ । ପ୍ରକଳ୍ପରେ ୨୦ କୋଟି ୯୭ ଲକ୍ଷ ଡଲାର ଅର୍ଥରାଶି ଖର୍ଚ୍ଚ ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିବା ସହ ୨ଠ କୋଟି ଡଲାର ଋଣ ମଞ୍ଜୁରି ମଧ୍ୟ କରିଥିଲେ । କିନ୍ତୁ ଗତ କିଛି ବର୍ଷର ପାକିସ୍ତାନର ପ୍ରଗତି ରିପୋର୍ଟ, ପାଣ୍ଠି ବଣ୍ଟନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ବିଶ୍ୱବ୍ୟାଙ୍କ୍ ମୁଖ୍ୟ ଆଜି ପାକ୍କୁ ଦିଆଯିବାକୁ ଥିବା ଏହି ଅର୍ଥ ରାଶି ଉପରେ ରୋକ୍ ଲଗାଇଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ